ଭୁବନେଶ୍ବର: ସୋମବାର ସାଲିଆସାହି ସ୍ବାଧୀନନଗର ବସ୍ତିରୁ ଅପହୃତ ୩ବର୍ଷର ଶିଶୁପୁତ୍ରକୁ ନୂଆପଲ୍ଲୀ ଥାନା ପୁଲିସ ମୟୂରଭଞ୍ଜ ଜିଲ୍ଲା ବହଲ୍ଦା ଗାଁରୁ ଉଦ୍ଧାର କରିଛି। ଅପହରଣରେ ସମ୍ପୃକ୍ତ ପଦ୍ମାବତୀ ନାଗ୍ଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଯୁବକ ଫେରାର୍ ଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଗୌରୀ ସିଂହ(୩୫) ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସଂପର୍କୀୟ ଭାଇ ଜଳନ୍ଧର ବାସ୍କେଙ୍କର ୩ବର୍ଷର ଶିଶୁପୁତ୍ର ସୋନୁକୁ ଅପହରଣ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ନୂଆପଲ୍ଲୀ ଥାନା ପୁଲିସ ସ୍ଥାନୀୟ ବସ୍ତି ଅଞ୍ଚଳର ଲୋକଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରିଥିଲା। ପରେ ଜଣାପଡ଼ିଥିଲା ଯେ ପଦ୍ମାବତୀ ହିଁ ସୋନୁକୁ ଅପହରଣ କରିଛି। ପୁଲିସ ପଦ୍ମାବତୀର ଫୋନ୍ ନମ୍ବର ଟ୍ରାକ୍ କରି ପ୍ରଥମେ ସେ ରହୁଥିବା ମଞ୍ଚେଶ୍ବରସ୍ଥିତ ବସ୍ତିରେ ଚଢ଼ଉ କରିଥିଲା। ସେଠାରୁ ଖବର ପାଇ ପୁଲିସ ଯାଜପୁର ରୋଡ୍ ଟମ୍କାରେ ଥିବା ଜଣେ ସଂପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ମାତ୍ର ପୁଲିସ ଚଢ଼ଉ ଖବର ପାଇ ପଦ୍ମାବତୀ ଶିଶୁପୁତ୍ରକୁ ଧରି ମୟୂରଭଞ୍ଜ ବହଲ୍ଦା ପଳାଇଥିଲା।
ପୁଅ ମୋହ ଅନ୍ଧ କରିଥିଲା
ପଦ୍ମାବତୀ ନାଗ୍ ଓ ତାଙ୍କ ପତି ଶୋଭରାମଙ୍କର ୩୫ବର୍ଷର ବୈବାହିକ ଜୀବନରେ ୪ଟି ଝିଅ ଜନ୍ମ ଦେଇଥିଲେ। ପୁଅଟିଏ ନଥିବାରୁ ସେମାନଙ୍କର ବଡ଼ ଅବସୋସ ଥିଲା। ବଡ଼ କଥା ହେଉଛି ୪ ଝିଅଙ୍କ ବିବାହ ପରେ ବି ସେମାନଙ୍କର କାହାର ପୁଅ ହୋଇନଥିଲା। ତେଣୁ ବଂଶରେ ପୁଅ ନଥିବାରୁ ପଦ୍ମାବତୀ ଚିନ୍ତିତ ଥିଲା। ଏବେ ପଦ୍ମାବତୀ ମଞ୍ଚେଶ୍ବରରେ ରହୁଥିବା ବଡ଼ଝିଅ ଘରକୁ ବୁଲିବାକୁ ଆସିଥିଲା। ସୋନୁର ବାପା ଗତ ୧୫ଦିନ ତଳେ ମୃତ୍ୟୁବରଣ କରିଥିବା ଓ ମା’ ମାନସିକ ବିକାରଗ୍ରସ୍ତ ବୋଲି ଜଣେ ଯୁବକ ତାକୁ ଖବର ଦେଇଥିଲା। ଉକ୍ତ ବସ୍ତିର ଜଣେ ମହିଳା ଶିଶୁପୁତ୍ରକୁ ପାଳିଛନ୍ତି ବୋଲି ଜାଣିବା ପରେ ପଦ୍ମାବତୀ ଓ ଉକ୍ତ ଯୁବକ ମିଶି ସୋନୁକୁ ଅପହରଣ କରିବା ଯୋଜନା କରିଥିଲେ। ଘଟଣା ଦିନ ପଦ୍ମାବତୀ ସ୍ବାଧୀନନଗରକୁ ଆସି ଉକ୍ତ ଯୁବକଙ୍କ ଘରେ ରହିଥିଲା। ସୋମବାର ସୋନୁ ଏକୁଟିଆ ଖେଳୁଥିବା ବେଳେ ତାକୁ ବିସ୍କୁଟ୍ ଲୋଭ ଦେଖାଇ ପଦ୍ମାବତୀ ଅପହରଣ କରିନେଇଥିଲା।