ଚନ୍ଦ୍ରଶେଖରପୁର: ଚାକିରି ଖୋଜୁଥିବା ଜଣେ ଯୁବକଙ୍କୁ ଅପହରଣ କରିବା ପରେ ବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇଦେଇ ଶେଷରେ ମାରିଦେଲେ। ମୃତକ ହେଲେ ଛତିଶଗଡ଼ ଗରୁୱାଘାଟ କରୁଆର ରୋହିତ ପାନ୍(୨୭)। ଏଭଳି ଏକ ସଂଗିନ୍ ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କଟକ ମର୍କତନଗର ଥାନା ସିଡିଏ ସେକ୍ଟର-୬ରେ ରହୁଥିବା ଦମ୍ପତି ପ୍ରଦୀପ ଅଗ୍ରୱାଲ୍ ଓ ମମତା ପାଟୁଆଙ୍କୁ ଗିରଫ କରିଛି। ଏହି ମାମଲାରେ ଗିରଫ ଦମ୍ପତିଙ୍କ ସହଯୋଗୀ ବିଜୟଲକ୍ଷ୍ମୀ ଖୋରା ଓ ଜିତେନ୍ଦ୍ର ସିଂ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ବାନ୍ଧିବାକୁ ପୁଲିସ ଚଢ଼ଉ ଜାରି ରହିଛି।
ଅଭିଯୋଗକାରିଣୀ ହର୍ଷମଣି ପାନ୍ଙ୍କ ଲିଖିତ ରିପୋର୍ଟ ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ମାମଲା ରୁଜୁ କରିଥିଲା। ଅଭିଯୋଗକାରିଣୀଙ୍କ ପୁଅ ରୋହିତ ଝାଡ଼ଖଣ୍ଡ ଜାମସେଦପୁରରେ କାମ କରୁଥିଲେ। ହଠାତ୍ ଏକଦା ସେ ସେଠାରୁ ନିଖୋଜ ହୋଇଯାଇଥିଲେ। ହର୍ଷମଣି ପରେ ଜାଣିବାକୁ ପାଇଲେ ଯେ ରୋହିତ କିଛି ଟଙ୍କା ଧାରକରଜ କରିଥିବାରୁ ଅନ୍ୟତ୍ର ଚାକିରି ପାଇଁ ଚାଲି ଯାଇଛନ୍ତି। ଗତମାସ ୨୯ ତାରିଖରେ ତାଙ୍କୁ ଏକ ଫୋନ୍ ମିଳିଲା ଯେ ରୋହିତ ଭୁବନେଶ୍ବରର ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସାଧୀନ ଅଛନ୍ତି। ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚି ରୋହିତଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରିଥିଲେ। ଏହି ସମୟରେ ରୋହିତ ଯେଉଁ କାହାଣୀ କହିଥିଲେ, ସେଥିରେ ପରିବାର ଲୋକଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ଚାକିରି ଖୋଜୁଥିବା ବେଳେ ଜିତେନ୍ଦ୍ର ସିଂ ଓ ବିଜୟଲକ୍ଷ୍ମୀ ତାଙ୍କୁ ପ୍ରଦୀପ ଅଗ୍ରୱାଲ୍ଙ୍କ ପାଖକୁ ଆଣିଥିଲେ। ମାତ୍ର ଚାକିରି ଦେବା ବଦଳରେ ତାଙ୍କୁ ବନ୍ଦୀ କରି ରଖିଲେ। ଘରୁ ଟଙ୍କା ଆଣିବାକୁ କହି ପ୍ରତିଦିନ ମାଡ଼ ମାରୁଥିଲେ।
ଖିଆପିଆ ଅଭାବ ସାଙ୍ଗକୁ ସବୁଦିନ ମାଡ଼ ଖାଇ ଖାଇ ରୋହିତ ଅସୁସ୍ଥ ହୋଇପଡ଼ିଲେ ଏବଂ ମାଡ଼ରେ ଆହତ ହେଲେ। ଅବସ୍ଥା ବିଗିଡ଼ିବା ଦେଖି ପ୍ରଦୀପ ତାଙ୍କୁ ଭୁବନେଶ୍ବରର ଏକ କ୍ଲିନିକ୍ରେ ଭର୍ତ୍ତି କରି ପଳାଇଥିଲେ। ରୋହିତଙ୍କଠାରୁ ଏସବୁ ଶୁଣିବା ପରେ ହର୍ଷମଣି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ରୋହିତଙ୍କୁ ଟଙ୍କା ପାଇଁ ଅପହରଣ କରିବା, ଗୃହବନ୍ଦୀ କରିବା ଓ ନିର୍ଘାତ ମାଡ଼ମାରିବା ଭଳି ନିର୍ଯାତନା ଦେବା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କଲା। ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତଙ୍କ ମୃତ୍ୟୁ ହୋଇଛି। ରୋହିତଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ପୁଲିସ ପ୍ରଦୀପ ଓ ତାଙ୍କ ସ୍ତ୍ରୀ ମମତାଙ୍କୁ ଗିରଫ କରିଥିଲା ଏବଂ ଆଜି କୋର୍ଟ ଚାଲାଣ କରିଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଦୀପ, ମମତା, ଫେରାର ଥିବା ଜିତେନ୍ଦ୍ର ଓ ବିଜୟଲକ୍ଷ୍ମୀ ଏକ ରୢାକେଟ୍ର ସଦସ୍ୟ। ଏମାନେ ଏମିତି ଅପରହଣ କରି ଟଙ୍କା ଆଦାୟ କରନ୍ତି।