ଭୁବନେଶ୍ବର: ଭଣଜାକୁ ଅପହରଣ କଲା ଧରମ ମାମୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସହିଦନଗର ଥାନା ଭୋଇସାହି ଅଞ୍ଚଳରେ। ବଡ଼କଥା ହେଲା ଅପହରଣର ୧୧ ଘଣ୍ଟା ମଧ୍ୟରେ ପୁଲିସ ନାବାଳକଙ୍କୁ ଊଦ୍ଧାର କରିବା ସହ ଅପହର୍ତ୍ତା ମାମୁକୁ ଗିରଫ କରିଛି। ସେ ହେଲା ଦାରିଙ୍ଗବାଡ଼ି ଅଞ୍ଚଳର ସୋନୁ କୁମାର। ତେବେ ସୋନୁ କାହିଁକି ଭଣଜାକୁ ଅପହରଣ କଲା? ମୁଣ୍ଡ ଜାମିନ୍ ପାଇଁ ନା ସମ୍ପର୍କରେ ଫାଟ? ନା ଅଙ୍ଗ ତସ୍କରୀ? ଅପହରଣ ପରେ କୁଆଡ଼େ ନେବାକୁ ଯୋଜନା କରୁଥିଲା? ଅପହରଣ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି।ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପାଖାପାଖି ୨ବର୍ଷ ତଳେ ଜି ଉଦୟଗିରି ଅଞ୍ଚଳର ଗରିଶା ସିଂ କାମ ପାଇଁ ସ୍ବାମୀଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ। ଏହି ସମୟରେ ସେଠାରେ ରାଜମିସ୍ତ୍ରୀ କାମ କରୁଥିବା ସୋନୁ ସହ ପରିଚୟ ହୋଇଥିଲା। ଉଭୟ ଓଡ଼ିଶାରୁ ଆସିଥିବା ଜାଣିବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଗରିଶା ସୋନୁକୁ ଧରମ ଭାଇ କରିଥିଲେ। ତେବେ କୌଣସି କାରଣରୁ ବର୍ଷେ ହେବ ଗରିଶା ରାଜଧାନୀ ଚାଲିଆସି ପରିବାର ସହ ଭୋଇସାହିରେ ରହୁଥିଲେ। ଆଜି ସକାଳ ସମୟରେ ସୋନୁ ଗରିଶାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଖିଆପିଆ କରିଥିଲେ। ତେବେ ଦିନ ପାଖାପାଖି ୧୦ଟା ସମୟରେ ଗରିଶା ଓ ତାଙ୍କ ସ୍ବାମୀ ଘରେ ଥିବା ସମୟରେ ସୁଯୋଗ ପାଇ ସୋନୁ ୪ବର୍ଷର ନାବାଳକଙ୍କୁ ଅପହରଣ କରି ଚମ୍ପଟ ମାରିଥିଲା। ପୁଅକୁ ନପାଇ ଗରିଶା ସୋନକୁ ଫୋନ୍ କରିଥିଲେ। ତେବେ ସେ ପାଖରେ ଥିବା କହି କିଛି ସମୟରେ ଫେରିବେ ବୋଲି କହିଥିଲେ। ହେଲେ ସମୟ ଯେତେ ଗଡ଼ିଚାଲିଥିଲା ସେ ସେତେ ମିଛ କହି ଭୂଆଁ ବୁଲାଇଥିଲେ। ପୁଅ ଫେରିବାରେ ବିଳମ୍ବ ହେବାରୁ ଚିନ୍ତାରେ ପଡ଼ିଥିଲେ ଗରିଶା। କାହିଁକି ସୋନୁ ପୁଅକୁ ନେଇ ଆସୁନି? କଣ ହୋଇଛି? ମନରେ ଭୟ ଘାରିଥିଲା। ଠିକ୍ ୫ଟା ବେଳକୁ ସୋନୁର ଫୋନ୍ ବନ୍ଦ ହୋଇଯାଇଥିଲା। ଆଉ ସେ ବି ଘରକୁ ଫେରିନଥିଲେ।
ସୋନୁର ଚାଲ୍ ବୁଝିବା ପରେ ଗରିଶା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରଜୁକରି ଘଟଣାର ତଦନ୍ତ ଆରମ୍ଭ। ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ସ୍ପେସାଲ୍ ସ୍କ୍ବାଡ୍, ପିଓପିଡି ଓ ଥାନାକୁ ନେଇ ୪ଟି ଟିମ୍ ଗଠନ କରାଯାଇଥିଲା। ୩ ଘଣ୍ଟାକାଳ ଅପରେସନ ପରେ ପୁଲିସ ନମ୍ବର ଟ୍ରାକିଂ କରି ସୋନୁକୁ ସାଲିଆସାହିରୁ ଗିରଫ କରିଥିଲା। ଆଶ୍ଚର୍ଯ୍ୟର କଥା ପୁଲିସ ସୋନୁକୁ ଗିରଫ କରିଥିଲେ ବି ନାବାଳକ ତାପାଖରେ ନଥିବା ଦେଖି ଥାନାକୁ ଆଣି ମାରାଥନ ଜେରା କରିଥିଲା। ପରେ ସେ ଅନ୍ୟ ଏକ ସ୍ଥାନରେ ନାବାଳକଙ୍କୁ ଲୁଚାଇଥିବା ମାନିଥିଲା। ପରେ ପୁଲିସ ସେଠାରେ ଚଢ଼ଉ କରି ତାଙ୍କୁ ଊଦ୍ଧାର କରିଥିଲା। ନାବାଳକଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ଜିମା ଦିଆଯାଇଛି। ତେବେ କେଉଁ କାରଣ ପାଇଁ ସୋନୁ ଅପହରଣ କରିଥିଲା? ସେ ଦିଗରେ ପୁଲିସ ତାକୁ ପଚାରଉଚରା କରୁଛି।