ଜମି କିଣାବିକାରୁ ଅପହରଣ; ୧୮ ଘଣ୍ଟା ପରେ ଅପହୃତ ଉଦ୍ଧାର, ୩ ଗିରଫ

ବନ୍ଧୁକ, ୧୦ ଗୁଳି, ଲୁହାରଡ୍‌ ଓ ଟାଭେରା ଜବତ

ଭୁବନେଶ୍ବର : ଗତକାଲି ସନ୍ଧ୍ୟାରେ ଅପହରଣ ହୋଇଥିବା ଜଣେ ଜମି କିଣାବିକା କରୁଥିବା ମଧ୍ୟସ୍ଥିକୁ ୧୮ ଘଣ୍ଟା ପରେ ବୁଧବାର ଦିନ ବଡ଼ଗଡ଼ ଥାନା ପୁଲିସ ନାଟକୀୟ ଢଙ୍ଗରେ ଉଦ୍ଧାର କରିଛି। ଅପହୃତ ଜଗବନ୍ଧୁ ନାୟକକୁ ପୁଲିସ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରିଛି। ଅପହରଣକାରୀମାନେ ହେଲେ ବାଲିଅନ୍ତା ଅଞ୍ଚଳର ପ୍ରଦୀପ କୁମାର ଦାସ(୩୨), ପାହାଳ ଅଞ୍ଚଳର ବିଶ୍ବନାଥ ଦାସ(୩୧) ଓ କେନ୍ଦ୍ରାପଡ଼ାର ରାକେଶ ସାହୁ(୨୬)। ଏହି ମାମଲାର ମୁଖିଆ ପ୍ରଦୀପ ଏକ ଘରୋଇ ସଂସ୍ଥାର ସୁରକ୍ଷାକର୍ମୀ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଲାଇସେନ୍‌ସପ୍ରାପ୍ତ ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି, ୨ଟି ଲୁହା ରଡ୍‌ ଓ ଅପହରଣରେ ବ୍ୟବହାର ହୋଇଥିବା ଟାଭେରାକୁ ଜବତ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ଅପହରଣ ଅନ୍ତରାଳେ
ସୂଚନା ମୁତାବକ, ପାଖାପାଖି ୬ମାସ ତଳେ ଜମି ଦଲାଲ କୁହାଯାଉଥିବା ଜଗବନ୍ଧୁ ଓ ପ୍ରଦୀପ ମଧ୍ୟରେ ଏକ ଜମି କିଣାବିକାକୁ ନେଇ ଆଲୋଚନା ହୋଇଥିଲା। ଜଗବନ୍ଧୁର ଜଣେ ଧରମ ଭଉଣୀଙ୍କ ଜଗତସିଂହପୁରରେ ଥିବା ଏକ ଜମି ବିକ୍ରି ପାଇଁ କଥା ହୋଇଥିଲା। ପ୍ରଦୀପ ଜମି କିଣିବା ପାଇଁ ରାଜି ହୋଇଥିଲେ। ଏହା ପରେ ଜଗବନ୍ଧୁ ଓ ପ୍ରଦୀପ ଜଗତସିଂହପୁର ଯାଇ ଉକ୍ତ ଭଉଣୀଙ୍କ ସହ ଚୁକ୍ତିପତ୍ର କରିଥିଲେ। ଏମିତିକି ଅଗ୍ରୀମ ଆକାରରେ ପ୍ରଦୀପ ଫୋନ୍‌-ପେ’ ମାଧ୍ୟମରେ ଏକ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏହା ଭିତରେ ୬ ମାସ ବିତିଯାଇଥିଲେ ମଧ୍ୟ ଜଗବନ୍ଧୁ ଆଉ ଧରାଛୁଆଁ ଦେଇନଥିଲେ। ପ୍ରଦୀପ ତାଙ୍କୁ ଜମି ରେଜିଷ୍ଟ୍ରି ବାବଦରେ ବାରମ୍ବାର ପଚାରିବା ପରେ ବି ଜଗବନ୍ଧୁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ପ୍ରଦୀପ ଟଙ୍କା ଫେରାଇ ଦେବା ପାଇଁ ଜଗବନ୍ଧୁଙ୍କୁ କହିଥିଲେ। ତଥାପି ସେ ଟଙ୍କା ନ ଫେରାଇ ପୁଣି ଦିନ ଗଡ଼ାଇ ଚାଲିଥିଲେ। ଜଗବନ୍ଧୁର ଏଭଳି ଆଚରଣରୁ ପ୍ରଦୀପ ବୁଝିପାରିଥିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି। ତେଣୁ ଟଙ୍କା ଆଦାୟ କରିବାକୁ ସେ ଜଗବନ୍ଧୁକୁ ଅପହରଣ କରିବା‌ ପାଇଁ ଯୋଜନା କରିଥିଲେ।

କେମିତି ଅପହରଣ କଲେ
ଜଗବନ୍ଧୁଠାରୁ ଟଙ୍କା ଆଦା‌ୟ କରିବାକୁ ପ୍ରଦୀପ ମଉକା ଉଣ୍ଡିବସିଥିଲା। ଗତକାଲି ପ୍ରଦୀପକୁ ଏକ ସୁଯୋଗ ଜୁଟିଥିଲା। ନିହାତି ଦରକାର ଥିବାରୁ ଜଗବନ୍ଧୁ ଫୋନ୍‌ କରି ପ୍ରଦୀପକୁ ୫ହଜାର ଟଙ୍କା ମାଗିଥିଲା। ଏହି ସୁଯୋଗକୁ ହାତଛଡ଼ା କରିନଥିଲା ପ୍ରଦୀପ। ଟଙ୍କା ଦେବାକୁ କହି ପ୍ରଦୀପ ତାକୁ ମଞ୍ଚେଶ୍ବର ଶିଳ୍ପାଞ୍ଚକୁ ଡାକିଥିଲା। ଏଣେ ଜଗବନ୍ଧୁ ଆସିବା ମାତ୍ରେ ତାକୁ ଅପହରଣ କରିବ ବୋଲି ସହଯୋଗୀମାନଙ୍କୁ ଡାକି ପ୍ରସ୍ତୁତ ହୋଇ ରହିଲା। ଜଗବନ୍ଧୁ ସେଠାରେ ପହଞ୍ଚିବା ପରେ ପ୍ରଦୀପ ଓ ସହଯୋଗୀମାନେ ତାକୁ ଟ୍ରାଭେରା ଭିତରକୁ ଡାକିଥିଲେ। ଟଙ୍କା ପାଇଁ ଜଗବନ୍ଧୁ ଟାଭେରା ଭିତରେ ପଶିବା ପରେ ଅପହରଣ ଜନ୍ତାରେ ପଡ଼ିଥିବା ବୁଝିପାରିଥିଲା। କିନ୍ତୁ ଆଉ ମୁକୁଳିବା ବାଟ ନଥିଲା। ଅପହରଣକାରୀମାନେ ସେଠାରୁ ଜଗବନ୍ଧୁକୁ ନେଇ ସତ୍ୟବିହାରସ୍ଥିତ ଏକ ଘରକୁ ନେଇଯାଇଥିଲେ। ସେଠାରେ ତାକୁ ନିସ୍ତୁକ ମାଡ଼ ମାରିଥିଲେ ଓ ଘରୁ ଟଙ୍କା ମଗାଇବାକୁ ଧମକ ଦେଇଥିଲେ। ସୁଧମୂଳ ସହ ଲକ୍ଷେ ୭୦ ହଜାର ଟଙ୍କା ନଦେଲେ, ସେମାନେ ତାକୁ ଗୁଳି କରି କୁଆଖାଇ ନଦୀରେ ଫୋପାଡ଼ି ଦେବେ ବୋଲି ଧମକ ଦେଇଥିଲେ। ମୁଣ୍ଡରେ ବନ୍ଧୁକ ଲାଗିବା ଦେଖି ଜଗବନ୍ଧୁ ଭୟରେ ମା’ଙ୍କ ପାଖକୁ ଫୋନ୍‌ କରି ଟଙ୍କା ଯୋଗାଡ଼ କରିବାକୁ କହିଥିଲା।

ନକଲି ଟଙ୍କା ଗଣୁଗଣୁ ଧରାପଡ଼ିଲେ
ଜଗବନ୍ଧୁଙ୍କ ମା’ ଏଭଳି ଧମକପୂର୍ଣ୍ଣ ଫୋନ୍‌ ପାଇବା ପରେ ତୁରନ୍ତ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମଧ୍ୟ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲା। ମାତ୍ର ପୁଲିସ ଫୋନ୍‌ ଟ୍ରାକିଂ କଲା ବେଳକୁ ଜଗବନ୍ଧୁର ଫୋନ୍‌ ବନ୍ଦ ହୋଇଯାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ପ୍ରଦୀପ, ଜଗବନ୍ଧୁର ଫୋନ୍‌ ବନ୍ଦ କରିଦେଇଥିଲା। ତେଣୁ ବାଧ୍ୟ ହୋଇ ପୁଲିସ ଆଉ କୌଣସି ଫୋନ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ଏଣେ ପ୍ରଦୀପ ସତ୍ୟନଗର ଛାଡ଼ି ଟାଭେରାରେ ଜଗବନ୍ଧୁକୁ ଧରି ରାତିସାରା ଏଠି ସେଠି ବୁଲାଇଥିଲା। ସକାଳୁ ପୁଣି ଜଗବନ୍ଧୁର ଫୋନ୍‌ ଅନ୍‌ କରି ପ୍ରଦୀପ ଫୋନ୍‌ କରାଇଥିଲା ଓ ଟଙ୍କା ଧରି ମଞ୍ଚେଶ୍ବର ଆଧାର କେନ୍ଦ୍ର ନିକଟକୁ ଡାକିଥିଲା। କିନ୍ତୁ ଜଗବନ୍ଧୁର ମା’ ସେତେବେଳେ ପୁଲିସ ନିକଟରେ ଥିଲେ ବୋଲି ପ୍ରଦୀପ ବୁଝିପାରିନଥିଲା। ଯୋଜନା ମୁତାବକ ଅପରାହ୍ନ ପାଖାପାଖି ସାଢ଼େ ୧୨ଟା ବେ‌ଳେ ଜଗବନ୍ଧୁଙ୍କ ମା’ ନକଲି ଟଙ୍କା ଧରି ଉକ୍ତ ଆଧାର କେନ୍ଦ୍ର ନିକଟକୁ ଯାଇଥିଲେ। ସେ ଏକାକୀ ଉକ୍ତ ସ୍ଥାନକୁ ଯାଇଥିଲେ ବି ସାଦା ପୋଷାକରେ ଥିବା ପୁଲିସ ଟିମ୍‌ ପୂର୍ବରୁ ସେଠାରେ ଛକି ରହିଥିଲେ। ନକଲି ଟଙ୍କା ବିଡ଼ା ଧରି ପରିବାରଲୋକଙ୍କ ସହ ଯାଇଥିଲା। ଅପହରଣକାରୀମାନେ ଜଗବନ୍ଧୁଙ୍କ ମା’ଙ୍କଠାରୁ ଟଙ୍କା ନେଇ ଗଣିବାକୁ ଯାଉଥିବା ବେଳେ ପୁଲିସ ଟିମ୍‌ ଟାଭେରାକୁ ଘେରି ଯାଇଥିଲା।

 

ସମ୍ବନ୍ଧିତ ଖବର