ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରୁ ୫ଦିନ ପୂର୍ବେ ଅପହୃତ ହୋଇଥିବା ଟ୍ୟାକ୍ସି ଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟୁଙ୍କ ହତ୍ୟାକାଣ୍ଡକୁ ନେଇ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ିଛି। ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରୁ ପୂରା ମୁକୁଳି ପାରିନଥିବା କମିସନରେଟ୍ ପୁଲିସ ପାଇଁ ପୁଣି ଏକ ଚ୍ୟାଲେଞ୍ଜ୍ ଠିଆ ହୋଇଛି। ପାର୍ବଣ ସମୟରେ ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ କସରତ କରୁଥିବା ବେଳେ ଦୁଇ ଦୁଇଟି ହତ୍ୟାକାଣ୍ଡ ପୁଲିସ ଆଗରେ ସମସ୍ୟା ହୋଇ ଠିଆ ହୋଇଛି। ମଣ୍ଟୁ ହତ୍ୟା ମାମଲାରେ ଅପହର୍ତ୍ତା ତଥା ହତ୍ୟାକାରୀମାନଙ୍କୁ ତୁରନ୍ତ କିଭଳି ଗିରଫ କରାଯାଇପାରିବ, ସେନେଇ ପୁଲିସ ଚିନ୍ତାରେ ପଡ଼ିଛି। ଚନ୍ଦକା ଓ ବଡ଼ଗଡ଼ ଥାନା ସହିତ ସ୍ପେସାଲ୍ ସ୍କ୍ବାଡ୍ ଏହି ମାମଲାର ପର୍ଦ୍ଦାଫାସ୍ କରିବାକୁ ବିଭିନ୍ନ ଦିଗକୁ ଖେଦି ଗଲାଣି। ଯଦିଓ ଜଣେ ସନ୍ଦିଗ୍ଧକୁ ପୁଲିସ ପାଇଛି, ସେତିକି ପୂରା ମାମଲା ପାଇଁ ଯଥେଷ୍ଟ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହି ହତ୍ୟାକାଣ୍ଡ ପଛରେ ଥିବା ଏକ ବଡ଼ଧରଣର ଷଡ୍ଯନ୍ତ୍ରର ଗନ୍ଧ ବାରି ହୋଇଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ସେହି ରହସ୍ୟ ଭେଦ କରିପାରିନାହିଁ। ଚାକିରି କରାଇବାକୁ କିଛି ଲୋକଙ୍କଠାରୁ ଟଙ୍କା ନେଇଥିବା ଓ ଚାକିରି ନଦେଇ ସେମାନଙ୍କୁ ଠକିଥିବାରୁ ଠକେଇର ଶିକାର ଯୁବକମାନେ ମଣ୍ଟୁଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ମଣ୍ଟୁ ଜଣେ ସାମାନ୍ୟ ଟ୍ୟାକ୍ସି ଚାଳକ ହୋଇଥିବାରୁ ତାଙ୍କୁ କିଏ କାହିଁକି ଚାକିରି ପାଇଁ ଟଙ୍କା ଦେଇଥିଲା, ତାହା ଏକ ବଡ଼ ପ୍ରଶ୍ନ। ତେଣୁ ମଣ୍ଟୁ କୌଣସି ରୢାକେଟ୍ରେ ଫସି ଜୀବନ ହରାଇଥିବା ସନ୍ଦେହ କରାଯାଉଛି। ପରଦା ପଛରେ ରହି କେହି ମାଷ୍ଟରମାଇଣ୍ଡ ମଣ୍ଟୁଙ୍କୁ ଫସାଇଥିବା ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇ ନପାରେ। ଏଭଳି ସନ୍ଦେହ ପାଇଁ ଜଣେ ମହିଳା ଏବେ ପୁଲିସ ସ୍କାନର୍ରେ।
ସନ୍ଦେହରେ ମାଡାମ୍
ମଣ୍ଟୁଙ୍କ କାର୍କୁ ଜଣେ ମାଡାମ୍ ମାସିକିଆ ଭଡ଼ାରେ ନେଇଥିବା ପରିବାର ଲୋକେ କହିଛନ୍ତି। ମଣ୍ଟୁ ନିଖୋଜ ହେବା ପରଠୁ ପରିବାର ଲୋକେ ସେହି ମାଡାମ୍ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କାରଣ ମାଡାମ୍ଙ୍କ ନମ୍ବର କିମ୍ବା ଠିକଣା ସେମାନଙ୍କୁ ଜଣାନଥିଲା। କିନ୍ତୁ ଆଜି ସକାଳେ ମଣ୍ଟୁଙ୍କ ସାଥୀ ଟ୍ୟାକ୍ସି ଚାଳକମାନଙ୍କଠାରୁ ମାଡାମ୍ଙ୍କ ନମ୍ବର ପାଇବା ପରେ ପୁଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଫୋନ୍ ସୁଇଚ୍ ଅଫ୍ ଥିଲା। ଚର୍ଚ୍ଚା ଅନୁସାରେ ମଣ୍ଟୁ ଯେଉଁମାନଙ୍କଠାରୁ ଚାକିରି ପାଇଁ ଟଙ୍କା ନେଇଥିଲେ, ସେଥିରେ ମାଡାମ୍ଙ୍କର କିଛି ଭୂମିକା ନାହିଁ ତ? ଯଦି ଚାକିରି ପାଇଁ ଠକେଇ ଚର୍ଚ୍ଚାରେ ସତ୍ୟତା ଥାଏ, ସେଥିରେ ମାଡାମ୍ଙ୍କର ସମ୍ପୃକ୍ତି ନାହିଁ ତ? ଏମିତି କିଛି ପ୍ରଶ୍ନକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଚାକିରି ଆଳରେ ଟଙ୍କା ହଡ଼ପ କରିଛି କିଏ?
ମୃତ ମଣ୍ଟୁଙ୍କ ନାମରେ ସଙ୍ଗିନ ଅଭିଯୋଗ ରହିଛି। ବଡ଼ବଡ଼ କମ୍ପାନିରେ ଚାକିରି କରାଇଦେବା ଆଳରେ ସେ ଓ ତାଙ୍କର ୩ ଜଣ ସହଯୋଗୀ କୋଟିଏରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। ଗଜପତି ଜିଲ୍ଲାର ଏକ ଥାନାରେ ଏହି ଠକେଇକୁ ନେଇ ଅଭିଯୋଗ ହୋଇଛି। ଅପରପକ୍ଷେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଚାକିରି ପାଇଁ କୋଟି କୋଟି ଟଙ୍କା ଦେବା ଓ ମୁଣ୍ଡଜାମିନ ରଖି ୨କୋଟି ଟଙ୍କା ଦାବି କରିବା ଭଳି ଘଟଣା ମଧ୍ୟ ପୁଲିସକୁ ଦ୍ବନ୍ଦ୍ବରେ ପକାଇଛି। ତେଣୁ ପୁଲିସ ମଣ୍ଟୁଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି।
ଦୁଇଦିନ ତଳେ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ
ତଦନ୍ତରୁ ଜଣାପଡ଼ିଛି ଯେ ମଣ୍ଟୁଙ୍କୁ ଅପହରଣ କରିନେବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଯାଜପୁର ନେଇଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ସ୍ବିଚ୍ ଅଫ୍ କରିଦେଇଥିଲେ। ଘରେ କିଛି ନ ଜଣାଇ ୨ଦିନ ବାହାରେ କେଉଁଠି ରହିଥିବାରୁ ୪ ମାସ ହେଲା ବାହା ହୋଇଥିବା ପତ୍ନୀ ବ୍ୟସ୍ତ ହୋଇପଡ଼ିଥିଲେ। ୧୭ ତାରିଖ ଦିନ ଏକ ଅଜଣା ନମ୍ବରରୁ ତାଙ୍କ ପତ୍ନୀଙ୍କ ଫୋନ୍କୁ ମୁଣ୍ଡଜାମିନ ପ୍ରସଙ୍ଗକୁ ନେଇ ଦୁର୍ବୃତ୍ତଙ୍କ କଲ୍ ଆସିଥିଲା। ଏହାପରେ ୧୮ ତାରିଖ ରାତିରେ ମଣ୍ଟୁ ଶେଷଥର ପାଇଁ ପତ୍ନୀଙ୍କ ସହ କଥା ହୋଇଥିଲେ। ୧୯ ତାରିଖ ସକାଳୁ ସେ ବାଧ୍ୟ ହୋଇ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ।