୪ ମାସ ପରେ ନାବାଳିକା ଉଦ୍ଧାର, ଅପହର୍ତା ଗିରଫ

ପେଟ୍ରୋଲ ପମ୍ପରେ ବଟି ମାଗି ଜଣେ ଗିରଫ, ପଡ଼ୋଶୀ ମୁଣ୍ଡ ଫଟାଇ ମା’ ଓ ଝିଅ ଗିରଫ

ଭୁବନେଶ୍ବର : ଅପହରଣର ୪ ମାସ ପରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହର୍ତାକୁ ଗିରଫ କରିଛି। ଅପହର୍ତା ହେଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ଚିତ୍ତରଂଜନ ପ୍ରଧାନ(୨୩)। ସେ ଏଠାରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିରେ ରହୁଥିଲା।

ସୂଚନା ମୁତାବକ, ଚିତ୍ତରଂଜନ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକଙ୍କୁ ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଏମିତି କି ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିଲା। ହେଲେ ନାବାଳିକା ଜଣକ ଏଥିରେ ରାଜି ନ ହେବାରୁ ଚିତ୍ତରଂଜନ ଗତ ଡିସେମ୍ବର ୨୮ ତାରିଖ ସନ୍ଧ୍ୟାରେ ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଚିତ୍ତରଂଜନ ନାବାଳିକାଙ୍କୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ସ୍ଥିତ ଏକ ଘରେ ରଖି ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଉଥିଲା। ସୁଯୋଗ ପାଇ ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ। ଗୁରୁବାର ରାତିରେ ନୂଆପଲ୍ଲୀ ଥାନା ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଚିତ୍ତରଂଜନକୁ ଗିରଫ କରିଥିଲା। ଆଜି ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଥିବା ବେଳେ ଚିତ୍ତରଂଜନକୁ କୋର୍ଟ ଚାଲାଣ କରିଛି।

ପେଟ୍ରୋଲ ପମ୍ପରେ ବଟି ମାଗି ଜଣେ ଗିରଫ

ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ କଳ୍ପନା ଛକ ପେଟ୍ରୋଲ ପମ୍ପରେ ବଟି ମାଗିବା ଓ ମାରପିଟ କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ହେଲା ବଡ଼ଗଡ଼ ପୋଡ଼ା ସାହିର ଦେବରାଜ ମହାନ୍ତି(୨୭)। ପୁଲିସ ସୂଚନା ଅନୁଯାୟୀ, ଗତ ୧୪ତାରିଖ ରାତିରେ ଦେବରାଜ ତା’ର ଜଣେ ସାଥୀ ସହ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବଟି ମାଗିଥିଲା। ଏନେଇ ସେଠାରେ ଯୁକ୍ତିତର୍କ ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲା। ଏନେଇ ଅଭିଯୋଗ ପରେ ପୁଲିସ ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପଡ଼ୋଶୀ ମୁଣ୍ଡ ଫଟାଇ ମା’ ଓ ଝିଅ ଗିରଫ

ଚନ୍ଦ୍ରଶେଖରପୁର : ଜମି ଗଣ୍ଡଗୋଳକୁ କେନ୍ଦ୍ରକରି ପଡ଼ୋଶୀଙ୍କୁ ଆକ୍ରମଣ କରି ଆଜି ମା’ ଓ ଝିଅ ଗିରଫ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପଟିଆ ରଥଗଡ଼ା ସାହିର ଖୁଲଣା ମହାଲି(୪୬) ଓ ତାଙ୍କ ଝିଅ ବେବି ମହାଲି(୨୫)ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନା ଅନୁଯାୟୀ, ଉଭୟ ପରିବାରଙ୍କ ମଧ୍ୟଭାଗ ଜମିରେ କାନ୍ଥ କାମ ହେଉଥିବା ବେଳେ ଗଣ୍ଡାଗୋଳ ହୋଇଥିଲା। ମା’ ଓ ଝିଅ ଏକ ଲୁହାରଡ଼ରେ ‌ପଡ଼ୋଶୀ ଗଜେନ୍ଦ୍ର ମହାଲି(୫୮)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗଜେନ୍ଦ୍ରଙ୍କ ମୁଣ୍ଡ ଫାଟି ରକ୍ତ ଝରିଥିଲା। ଏନେଇ ଥାନାରେ ଏକ ମାମଲା (ନଂ.୧୯୨) ରୁଜୁ ହେବା ପରେ ପୁଲିସ ଉଭୟ ମା’ ଓ ଝିଅଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର