ଖଣ୍ଡଗିରି : ମଙ୍ଗଳବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚଢ଼ଉ କରି ଖଣ୍ଡଗିରି ଥାନା ପୁଲିସ ଅପହରଣ ହୋଇଥିବା ଜଣେ ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ଡାକ୍ତରୀ ଯାଞ୍ଚ ପରେ ତାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଓ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି। ଏକତରଫା ପ୍ରେମରୁ ଏହି ଅପହରଣ ଘଟିଛି ବୋଲି ନାବାଳିକାର ପରିବାର ଅଭିଯୋଗ କରୁଥିବାବେଳେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଦାବି କରାଯାଉଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାନୁସାରେ ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଜଣକ ଗତ ୧୫ ଦିନ ପୂର୍ବେ ସନ୍ଧ୍ୟାରେ ଘରୁ ଟ୍ୟୁସନ୍ ଯାଇ ଆଉ ଫେରିନଥିଲା। ଏନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ, ଯୁବକ ଗିରଫ
ଭୁବନେଶ୍ୱର : ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଯୁବକ ହେଉଛି ମାହାଙ୍ଗା ଅଞ୍ଚଳର ହିମାଂଶୁ ଭୂଷଣ ସାହୁ। ଯୁବତୀ ଜଣକ ବାଲେଶ୍ବର ଅଞ୍ଚଳର। ତାଙ୍କ ସହ ଭୁବନେଶ୍ବରରେ ଦେଖା ହେବା ପରେ ହିମାଂଶୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ସେତେବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ମୋବାଇଲ୍ରେ ରଖିଥିଲା। ବିବାହ ପାଇଁ ଯୁବତୀ ଜିଦ୍ ଧରିବାରୁ ସେ ଫଟୋ ଭାଇରାଲ କରିଥିଲା।
ବ୍ୟବସାୟୀଙ୍କ ଘରୁ ଲୁଟ୍
ଖଣ୍ଡଗିରି : ମଙ୍ଗଳବାର ବିଳମ୍ବିତ ରାତିରେ ତମାଣ୍ଡୋ ଫାର୍ମାସିଷ୍ଟ କଲେଜ ନିକଟ ଏକ ଦୁଇ ମହଲା କୋଠାର ଉପର ମହଲାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ସ୍ଥାନୀୟ ବଜାରର ବ୍ୟବସାୟୀ ରଣଜିତ ମିଶ୍ର ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ ଉପର ମହଲାରେ ରଣଜିତ ପରିବାର ସହ ରହୁଛନ୍ତି। ଗତକାଲି ରାତିରେ ସେ ଏକୁଟିଆ ତାଙ୍କ ଶୋଇବା ଘରେ ଶୋଇଥିଲେ। ମାତ୍ର କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଦୁର୍ବୃତ୍ତମାନେ ଶୋଇବା ଘରେ ପଶି ଆଲ୍ମିରାରୁ ଗହଣା ଲୁଟି ନେଇଥିଲେ।