ଅପହରଣ ନାଟକ‌‌ରେ ଯବନିକା: ଚିକୁନ୍‌ ଓ ପ୍ରେମିକାକୁ ଭୁବନେଶ୍ବର ଅଣାଗଲା, ଆଜି କୋର୍ଟ ଚାଲାଣ

ଏକ ନମ୍ବର ହାଟରୁ ଚିକୁନ୍ କିଣିଥିଲା ଛୁରି
ହାତ କାଟିଥିଲା, ଗଞ୍ଜି ଚିରି ରକ୍ତ ଲଗାଇଥିଲା
କ୍ରାଇମ୍ ସିନ୍ ତିଆରି ପରେ ପଳାଇଥିଲା କୋଣାର୍କ
ଖୁଦୁରୁକୁଣି ପୂଜାରୁ ପ୍ରେମିକାକୁ ନେଇ ଯାଇଥିଲା
ଦିଲ୍ଲୀ ନିଜାମୁଦ୍ଦିନ ଯିବାକୁ କରିଥିଲେ ଟ୍ରେନ୍ ଟିକେଟ୍

ଭୁବନେଶ୍ବର : ଜଣେ ପ୍ରେମିକାକୁ ପ୍ରେମ ବିବାହ କଲା, କିନ୍ତୁ ଅନ୍ୟ ପ୍ରେମିକାକୁ ମନ ଦେଇ ସଂପର୍କ ରଖିଲା। ଶେଷରେ ଅପହରଣର ମିଛ ନାଟକ କରି ପ୍ରେମିକାକୁ ନେଇ ଟ୍ରେନରେ ଫେରାର ବି ହୋଇଗଲା। କିନ୍ତୁ ସତ ଲୁଚି ରହିଲା ନାହିଁ। ଚଳଚ୍ଚିତ୍ରର କାହାଣୀ ଭଳି ଏମିତି ଏକ ଚର୍ଚ୍ଚିତ ଅପହରଣ ନାଟକର ନାୟକ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ୍‌ ଚିକୁନ୍‌ର ସବୁ ଯୋଜନା ଫେଲ୍ ମାରିବା ପରେ ଶେଷରେ ପୁଲିସ ତା’କୁ ଗିରଫ କରିଛି। ଧଉଳି ଥାନା ଆଇଆଇସି ଦୟାନିଧି ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଚିକୁନ୍‌ ଓ ତା’ର ପ୍ରେମିକାକୁ ଟ୍ରେନ ଯୋଗେ ମଧ୍ୟପ୍ରଦେଶରୁ ଆଣି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମିଛ ଅପହରଣ ନାଟକ, ଭୟର ବାତାବରଣ ସୃଷ୍ଟି କରିବା, ନିଜକୁ ମିଛରେ ସ୍ବିଗି ଡେଲିଭରି ବୟର ପରିଚୟ ଦେବା ଆଦି ଦଫା ଲଗାଇ ଧଉଳି ଥାନା ପୁଲିସ ମାମଲା ରୁଜୁ କରିଛି। କେସ୍ ନଂ-୧୩୮୨୧, ଆଇପିସି ଦଫା୧୨୦(ବି)(ଷଡଯନ୍ତ୍ର), ୩୬୪ (ଅପହରଣ), ୪୧୭,୪୧୯ (ଠକାମି, ଭାଣ୍ଡାମି), ୫୦୪,୫୦୫ (ସ୍ବିଗିର ଡେଲିଭରି ବୟ ଭାବେ କାମ ନ କରି ମିଛ ପରିଚୟ ଦେବା), ୨୦୧(ପ୍ରମାଣ ନଷ୍ଟ କରିବା), ୨୧୧(ପୁଲିସକୁ ହଇରାଣ ହରକତ କରିବା) ଭଳି ମାମଲା ରୁଜୁ ହୋଇଛି। ଏହା ଛଡ଼ା ଗୋପ ଥାନାରେ ମଧ୍ୟ ଚିକୁନ୍ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି। ଉଭୟଙ୍କର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା ସହ ପରିବାର ଲୋକଙ୍କ ଉପସ୍ଥିତିରେ ଯୁବତୀଙ୍କୁ ଗୋପ ଥାନାକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଗୋପ ଥାନା ପୁଲିସ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କୁ ହାଜର କରାଇ ତାଙ୍କର ବୟାନ ରେକର୍ଡ କରାଯିବ ଏବଂ ଆସନ୍ତାକାଲି ଚିକୁନକୁ କୋର୍ଟଚାଲାଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

କେମିତି ଧରାପଡ଼ିଲେ ଚିକୁନ୍ ଓ ପ୍ରେମିକା
ଗୋପ ଅଞ୍ଚଳର ଯୁବତୀ ଅପହରଣ ସମ୍ପର୍କରେ ତାଙ୍କର ପରିବାର ଲୋକ ସିଧାସଳଖ ଚିକୁନ୍ ନାଁରେ ଅଭିଯୋଗ କରିଥିଲେ। ପୁଲିସର ଏକ ଟିମ୍ ସେଠାକୁ ଯାଇ ତଦନ୍ତ କରିବା ପରେ ଯୁବତୀଙ୍କ ସାଙ୍ଗସାଥୀଙ୍କ ଠାରୁ ଚିକୁନ୍ ସମ୍ପର୍କରେ ଜାଣିବାକୁ ପାଇଥିଲା। ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ବସ୍ କିମ୍ବା ଟ୍ରେନରେ ଚାଲି ଯାଇଥିବା ପୁଲିସର ସନ୍ଦେହ ହୋଇଥିଲା। ୧୩ ତାରିଖ ସନ୍ଧ୍ୟାରେ ଷ୍ଟେସନରେ ଚିକୁନ୍ ଓ ତା ପ୍ରେମିକା ନାଁରେ ଟିକଟ ହୋଇଛି କି ନାହିଁ ପୁଲିସ ଯାଞ୍ଚ କରିଥିଲା। ଉଭୟ ପୁରୀ-ୟୋଗପୁରୀ ଟ୍ରେନରେ ଟିକଟ୍ କରି ଯାଉଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଥିଲା। ରାତି ୯ଟାରେ ପୁଲିସ ସ୍ପଷ୍ଟ ହୋଇଯିବା ପରେ ରାତି ପ୍ରାୟ ୧୦ଟା ୧୦ରେ ଟ୍ରେନ ମଧ୍ୟପ୍ରଦେଶର କଟନୀ ଷ୍ଟେସନରେ ପହଞ୍ଚିବ ବୋଲି ଜଣାପଡ଼ିଥିଲା। କଟନୀ ଏକ ବଡ଼ ଷ୍ଟେସନ ହୋଇଥିବାରୁ ସେଠାରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଟ୍ରେନ୍ ଅଟକି ରହେ। ଭୁବନେଶ୍ବର ଆରପିଏଫ୍ ପୁଲିସ ପକ୍ଷରୁ ଏ ସମ୍ପର୍କରେ କଟନୀ ଆରପିଏଫକୁ ଖବର ଦିଆଯିବା ସହ ହ୍ବାଟସଆପରେ ଉଭୟଙ୍କ ଫଟୋ ପଠା ଯାଇଥିଲା। ଆଉ କଟନୀ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଆରପିଏଫ୍ ଦୁଇ ଜଣଙ୍କୁ ଅଟକ ରଖିଥିଲା।

ଏମିତି ରଚିଥିଲା ନାଟକ
୧୧ ତାରିଖ ସମୟ ପ୍ରାୟ ସନ୍ଧ୍ୟା ସାଢ଼େ ୬ଟା। ସୁନ୍ଦରପଦା ଅଞ୍ଚଳରେ ଖାଦ୍ୟ ଡେଲିଭରି କରିବା ପାଇଁ ଚିକୁନ୍ ପାଖକୁ କଲ୍ ଆସିଲା। ଚିକୁନ୍ ବାଇକ୍ ଧରି ଘରୁ ବାହାରିଗଲା। କିନ୍ତୁ ସେ ଆଉ ଘରକୁ ନ ଫେରିଲା ନାହିଁ। କାରଣ ପୁରୀ ଗୋପ ଅଞ୍ଚଳର ପ୍ରେମିକାକୁ ଧରି ଫେରାର ହେବା ପାଇଁ ସେ ସବୁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ନିଷ୍ପତ୍ତି ମଧ୍ୟ ନେଇ ସାରିଥିଲା। ସୁନ୍ଦରପଦାରେ ଖାଦ୍ୟ ଡେଲିଭରି କରି ସାରି ଚିକୁନ୍ ସିଧା ଏକ ନମ୍ବର ହାଟକୁ ଆସିଥିଲା। ସେଠାରୁ ୪୦ ଟଙ୍କା ଦେଇ ଏକ ଛୁରି କିଣିଥିଲା। ଏହା ପରେ ବାପୁଜୀନଗର ଯାଇଥିଲା। ଗ୍ୟାରେଜ ପାଇଁ ଯନ୍ତ୍ରାଂଶ କିଣିବା ଲାଗି ବଡ଼ ଭାଇ ପୁରୁଷୋତ୍ତମ ଦେଇଥିବା ଏଟିଏମ୍ କାର୍ଡ ଜରିଆରେ ବାପୁଜୀନଗରର ଏକ ଏଟିଏମ୍ କାଉଣ୍ଟରରୁ ୨୧ ହଜାର ଟଙ୍କା ଉଠାଇଥିଲା। ଏହା ସହ ଏକ ସିମ୍ କାର୍ଡ ମଧ୍ୟ କିଣିଥିଲା। ମାର୍କେଟ ବିଲ୍ଡିଂ ଯାଇ ବ୍ୟାଗ୍ ଓ ନୂଆ ପ୍ୟାଣ୍ଟସାର୍ଟ କିଣିଥିଲା। ସେଠାରୁ ସିଧା ଲିଙ୍ଗିପୁର ନଦୀବନ୍ଧକୁ ପଳାଇଥିଲା। ସେଠାରେ ତିଆରି କରିଥିଲା କ୍ରାଇମ୍ ସିନ୍।

ପ୍ରଥମେ ଖାଦ୍ୟ ଡେଲିଭରି ବ୍ୟାଗକୁ ବୁଦା ଭିତରକୁ ଫିଙ୍ଗି ଦେଇଥିଲା। ଏହା ପରେ ନିଜ ଗଞ୍ଜି ଚିରି ଦେଇଥିଲା; ମନି ପର୍ସକୁ ଫିଙ୍ଗି ଦେଇଥିଲା। ଛୁରିରେ ନିଜ ବାମ ହାତ ମଣିବନ୍ଧ କାଟିଥିଲା; ଯେଉଁ ରକ୍ତ ବାହାରିଥିଲା ତାହାକୁ ଚିରିଥିବା ଗଞ୍ଜିରେ ନିଗାଡ଼ିଥିଲା। ଆଉ ଛୁରିକୁ ବାଲିରେ ଅଧା ପୋତି ଦେଇଥିଲା। ଏହାପରେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ସିଧା ପଳାଇଥିଲା କୋଣାର୍କ। ସେଠାରେ ଏକ ଲଜ୍‌ରେ ରହିଥିଲା। ରାତି ପ୍ରାୟ ୯ଟା ୪୫ରେ ପତ୍ନୀଙ୍କ ହ୍ବାଟସଆପକୁ ଭଏସ୍ ମେସେଜ୍ ପଠାଇ ଅପହରଣର ମିଛ କାହାଣୀ ଶୁଣାଇଥିଲା। ଚିକୁନ୍ କହିଥିଲା ଯେ ସେ ଫେରୁଥିବା ରାସ୍ତାରେ ୪ରୁ ୫ ଜଣ ଅସାମାଜିକ ଯୁବକ ବସି ମଦ୍ୟପାନ ଓ ପାଟିତୁଣ୍ଡ କରୁଥିଲେ। ସେମାନେ ତାକୁ ଛୁରି ଭୁସି ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେବା ସହ ଡାଲା ଅଟୋରେ ଅପହରଣ କରି ନେଇ ଯାଉଥିବା କହିଥିଲା। କିନ୍ତୁ ସେହି ଲଜ୍‌ରେ ହିଁ ସେ ରାତି କଟାଇଥିଲା।

ଏହାପରେ ଚିକୁନ୍ ଗୋପ ବେଦପୁର ଅଞ୍ଚଳର ପ୍ରେମିକାକୁ ନୂଆ ସିମ୍ କାର୍ଡରୁ ଫୋନ୍ କରି ଫେରାର ହେବାର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା। ଯୋଜନା ଅନୁଯାୟୀ ତହିଁ ପରଦିନ ଅର୍ଥାତ୍ ୧୨ ତାରିଖ ଅପରାହ୍ନରେ ପ୍ରେମିକା ଖୁଦୁରୁକୁଣି ପୂଜା କରିବାକୁ ଆସିଥିଲେ। ଚିକୁନ୍ ସେଠାରେ ପହଞ୍ଚି ପ୍ରେମିକାକୁ ବାଇକରେ ବସାଇ ସିଧା ଭୁବନେଶ୍ବରରେ ପହଞ୍ଚିଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ବଡ଼ଗଡ଼ ଅଞ୍ଚଳର ଏକ ପାନ ଦୋକାନରେ ବାଇକ୍ ରଖିଥିଲା। ସେଠାରୁ ଏକ ଅଟୋରେ ପ୍ରେମିକା ସହ ୬ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ଟିକେଟ କାଉଣ୍ଟରରେ ପୁରୀ-ୟୋଗନଗରୀ ଏକ୍ସପ୍ରେସରେ ଦିଲ୍ଲୀ ନିଜାମୁଦ୍ଦିନ୍ ଯିବା ପାଇଁ ଟିକଟ କାଟିଥିଲା। ରାତି ୧୦ଟା ୧୫ରେ ଟ୍ରେନ ଭୁବନେଶ୍ବର ଛାଡ଼ିଥିଲା।

ସମ୍ବନ୍ଧିତ ଖବର