ସିକ୍ୟୁରିଟି ସୁପର୍‌ଭାଇଜରଙ୍କୁ ଅପହରଣ ଘଟଣା, ୩୬ଘଣ୍ଟା ପୂରିଲା ପୁଲିସ ହାତ ଖାଲି

ସିସିଟିଭିରେ ଅପହର୍ତ୍ତା ଖଣ୍ଡା ଧରି ବୁଲିବା ଦୃଶ୍ୟ ରେକର୍ଡ, ପୁଲିସ କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ

ପୁରୁଣା ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ସୁନ୍ଦରପଦା ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପର୍‌ଭାଇଜର୍‌ କୈବଲ୍ୟରାଜ ପଟ୍ଟନାୟକ ଓରଫ ଲୁନାଙ୍କୁ ଅପହରଣ ଘଟଣାକୁ ୩୬ ଘଣ୍ଟା ପୂରି ଯାଇଛି। କିନ୍ତୁ ଏବେ ବି ପୁଲିସ ହାତ ଖାଲି ରହିଛି। ଅପହରଣ ଘଟଣା ବିଶ୍ବାସ ହେଉ ନ ଥିବା କଥା ଏୟାରଫିଲ୍ଡ ଥାନା ଆଇଆଇସି ଗତକାଲି କହୁଥିବା ବେଳେ ଅପହର୍ତ୍ତାଙ୍କ ଭିଜୁଆଲ୍ ସିସିଟିଭି ଫୁଟେଜରେ କଏଦ ହୋଇ ରହିଛି। ତଦନ୍ତକାରୀ ଅଧିକାରୀ ଆଜି ଆପାର୍ଟମେଣ୍ଟ ଯାଇ ସିସିଟିଭି ଯାଞ୍ଚ କରିଛନ୍ତି। ଜଣେ ଯୁବକ ସକାଳୁ ଖଣ୍ଡା ଧରି ବୁଲୁଥିବାର ଫୁଟେଜ୍‌ ତାଙ୍କୁ ମିଳିଛି। ତେବେ ଅଭିଯୁକ୍ତ ଜଣକ ଏବେ ଆପାର୍ଟମେଣ୍ଟରୁ ଫେରାର ରହିଛି। ଅପହରଣ ଘଟଣାକୁ ପୁଲିସ କାହିଁକି ବିଶ୍ବାସ କରୁ ନ ଥିଲା ଓ ଘଟଣାକୁ କାହିଁକି ହାଲୁକା ଭାବେ ନେଉଥିଲା ତାକୁ ନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଏଭଳି ସମ୍ବେଦନଶୀଳ ମାମଲାରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ତଦନ୍ତ କରିବା ଲାଗି ଦାବି ହୋଇଛି। ଗଣ୍ଡଗୋଳ ସଂକ୍ରାନ୍ତରେ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ସୁରକ୍ଷାକର୍ମୀ କହିଥିବା ବେଳେ ସ୍ଥାନୀୟ ଥାନା ପୁଲିସ କାହିଁକି ନୀରବ ରହୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଗୋଟିଏ ପରେ ଗୋଟିଏ ଅପରାଧ ଘଟଣାରେ ଅପରାଧୀ ଧରା ନ ପଡ଼ିବା କମିସନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ତଦନ୍ତ ଜାରି ରହିଥିବା ଏୟାରଫିଲ୍ଡ ଥାନା ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ସଟ୍‌ଡାଉନର ଦ୍ବିତୀୟ ଦିନ ରବିବାର ହୋଇଥିବା ବେଳେ ରାଜଧାନୀ ରାସ୍ତାଘାଟ ଶୂନଶାନ ହୋଇ ପଡ଼ିଥିଲା। ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପର୍‌ଭାଇଜର୍‌ ଲୁନାଙ୍କୁ ଅପହରଣ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଦୁର୍ବୃତ୍ତ ଖଣ୍ଡା ଓ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଆଖିରେ ଲଙ୍କାଗୁଣ୍ଡ ପକାଇ ଏକ କାର୍‌ରେ ଜୋରଜବରଦସ୍ତ ଉଠାଇ ନେଇଥିଲେ। ବାଟରେ ତାଙ୍କୁ ନିର୍ଧୂମ୍‌ ମାଡ଼ ମାରିବା ସହ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲାଇଥିଲେ। ଶେଷରେ ବରମୁଣ୍ଡା ଫ୍ଲାଏଓଭରବ୍ରିଜ୍ ତଳେ ଗାଡ଼ିରୁ ଓହ୍ଲାଇ ଦେଇ ଫେରାର୍‌ ହୋଇଯାଇଥିବା ନେଇ ଲୁନା ଥାନାରେ ଅଭିଯୋଗ କରିଥିଲେ। ସେହି ଆପାର୍ଟମେଣ୍ଟରେ ରହୁଥିବା ରାଜା ମଲ୍ଲିକଙ୍କ ସହ ପୂର୍ବରୁ ଲୁନାଙ୍କ ଝଗଡ଼ା ହୋଇଥିଲା। ଦୁଇ ଦିନ ପୂର୍ବରୁ ରାଜା ମଦ୍ୟପାନ କରି ବିଳମ୍ବିତ ରାତିରେ ଫେରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ରାଜା ତା’ର ଦୁଇ ସହଯୋଗୀଙ୍କ ସହ ଅପହରଣ କରିଥିବା ନେଇ ଲୁନା ଅଭିଯୋଗରେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର