ପୁଣି ମାତିଲେ ଲୁଟେରା, ସଫେଇ କର୍ମଚାରୀଙ୍କୁ ଅପହରଣ, ୬ ହଜାର ଟଙ୍କା ଲୁଟ୍

ଭୁବନେଶ୍ବର: ପୁଣି ଆତଙ୍କ ଖେଳାଇଛନ୍ତି ଲୁଟେରା। ସୋମବାର ରାତିରେ ଏକାଧିକ ଲୁଟ୍, ଅପହରଣ ଓ ଛିନ୍‌ତାଇ କରିବା ପରେ ମଙ୍ଗଳବାର ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛନ୍ତି। ମଙ୍ଗଳବାର ରାତିରେ ଖଣ୍ଡଗିରିରୁ ୨ଟି ଏବଂ ନୂଆପଲ୍ଲୀରୁ ଗୋଟିଏ ଲୁଟ୍ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ରେଣ୍ଟାଲ୍ କଲୋନିର ବେହେରା ବସ୍ତିରେ ରହୁଥିବା କୃଷ୍ଣ ନାୟକ ନୂଆପଲ୍ଲୀର ୩୮ନମ୍ବର ଵାର୍ଡରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତ ହୋଇଛନ୍ତି।

ସବୁଦିନ ଭଳି ଆଜି ଭୋର୍ ୫ଟାରେ ସଫେଇ କରିବାକୁ ଯାଉଥିବା ସିଆର୍‌ପିଏଫ୍ ଗେଟ୍ କ୍ୟାମ୍ପସ୍ ସମ୍ମୁଖରେ ୩ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ତାଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଅଚେତ୍ କରିଥିଲେ। ଚେତା ଫେରିବା ବେଳକୁ ସେ ଭରତପୁର ଜଙ୍ଗଲ ନିକଟରେ ପଡ଼ିଥିଲେ। ପକେଟ୍‌ରେ ଥିବା ୬ହଜାର ଟଙ୍କା ମଧ୍ୟ ନଥିଲା। ଏ ନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସେହିଭଳି ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଖଣ୍ଡଗିରି ଫ୍ଲାଏ ଓଭର୍‌ରୁ ଜଣେ ଶ୍ରମିକଙ୍କୁ ମାଡ଼ ମାରି ୧୧ହଜାର ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ ଲୁଟେରା। ଏହାର କିଛି ସମୟରେ ଗୋବିନ୍ଦ ଗୋପାଳ ସାହୁଙ୍କ ପାଖରୁ ମଧ୍ୟ ଏକ ମୋବାଇଲ୍ ଛଡ଼ାଇ ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର