ସ୍ବିଗି ଡେଲିଭରି ବୟଙ୍କୁ ଅପହରଣ: ହାତ, ଗୋଡ଼ ବାନ୍ଧି ଅଟୋ ଡାଲାରେ ନେଇଗଲେ

ନିକାଞ୍ଚନ ରାସ୍ତାରୁ ଛୁରି, ଚପଲ, ପର୍ସ, ଗଞ୍ଜି ଜବତ, ହ୍ବାଟ୍‌ସଆପ୍ ମେସେଜ୍‌ ଧରି ବୁଲୁଛି ପୁଲିସ

ଭୁବନେଶ୍ବର/ଧଉଳି: ଦୀର୍ଘ ୨୪ ଘଣ୍ଟା ବିତିବା ପରେ ବି ସ୍ବିଗି ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହରଣ ମାମଲାର ଟେର୍ ପାଇନାହିଁ କମିସନରେଟ୍‌ ପୁଲିସ। ଧଉଳି ଥାନା ପୁଲିସ ସହ ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ଏହି ରହସ୍ୟମୟ ଅପହରଣ ଉପରୁ ପର୍ଦ୍ଦା ହଟାଇବାକୁ ଚେଷ୍ଟା ଜାରି ରଖିଥିଲେ ବି ବିଫଳ ହୋଇଛନ୍ତି। ଅପହରଣକାରୀମାନେ କିଏ, କାହିଁକି ଅପହରଣ କରିଛନ୍ତି କିଛି ବି ସ୍ପଷ୍ଟ ହୋଇପାରୁନାହିଁ। ୨୪ ଘଣ୍ଟା ପରେ ବି ପତିତପାବନଙ୍କ ଘରକୁ ଅପହରଣକାରୀଙ୍କ ପକ୍ଷରୁ କୌଣସି ଫୋନ୍‌ କଲ୍‌ ଆସିନାହିଁ। ତେଣୁ ଟଙ୍କା ପାଇଁ ଅପହରଣ କରାଯାଇଛି ବୋଲି କମ୍ ସନ୍ଦେହ କରାଯାଉଛି। ସେହିଭଳି କୌଣସି ପୂର୍ବ ଶତ୍ରୁତା ପ୍ରସଙ୍ଗକୁ ବି ପୁଲିସ ଖୋଜୁଛି। ତେବେ ଅଭିଯୋଗ ପରଠାରୁ ପୁଲିସ କେବଳ ଅପହରଣ ହୋଇଥିବା ରାସ୍ତାରେ ବୁଲି ପତିତପାବନଙ୍କ ଚିରା ଗଞ୍ଜି, ଚପଲ, ପର୍ସ ଓ ଅପହରଣକାରୀ ବ୍ୟବହାର କରିଥିବା ଛୁରି ଜବତ କରିଛି। ସେହିଭଳି ପତିତପାବନ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ପଠାଇଥିବା ହ୍ବାଟସ୍‌ଆପ୍‌ ମେସେଜ୍‌କୁ ଧରି ପୁଲିସ ଅପହରଣ ପଛର କାରଣ ଖୋଳତାଡ୍‌ କରୁଛି। ମାତ୍ର ସବୁ ସତ୍ତ୍ବେ ପୁଲିସ ଏହି ମାମଲାରେ କିଛି ବି ସୁରାକ୍‌ ପାଇନଥିବାରୁ ପତିତପାବନଙ୍କ ପରିବାର‌ ଲୋକେ ଭୟର ବାତାବରଣ ଭିତରେ ବଡ଼ ଦୁଶ୍ଚିନ୍ତାରେ ଅଛନ୍ତି।

ପତିତପାବନ ତାଙ୍କ ସ୍ତ୍ରୀକୁ ପଠାଇଥିବା ହ୍ବାଟସ୍‌ଆପ୍‌ ମେସେଜ୍‌ ଥିଲା ଏମିତି। ‘ଧନ… ଭାଇକୁ କହିବୁ ମୋତେ କିଛି ଦୁର୍ବୃତ୍ତ ଅପହରଣ କରି ନେଉଛନ୍ତି। ଛୁରି ଭୁସି ରକ୍ତାକ୍ତ କରିବା ପରେ ଏକ ଡାଲା ଅଟୋରେ ହାତଗୋଡ଼ ବାନ୍ଧି ପକାଇଛନ୍ତି। ଏବେ ଉତ୍ତରା-ନୂଆଗାଁ ପଟ ବ୍ରିଜ୍ ଏପଟେ ଅଛି। ମରିବି କି ବଞ୍ଚିବି ଜାଣିନାହିଁ। ଭାଇକୁ କହ ଶୀଘ୍ର ଏ ଲୋକେସନ୍‌କୁ ଆସିବ। ମୋ ଫୋନ୍, ପଇସା, ଗାଡ଼ି ସବୁ ନେଇଗଲେ। ସାର୍ଟ ସବୁ ଚିରି ପକାଇଛନ୍ତି।’ ହ୍ବାଟସ୍‌ଆପ୍‌ରେ ପତିତପାବନ ଏହି ଅଡିଓ ବାର୍ତ୍ତାଟି ଦେବା ପରେ ଅପହରଣ କଥା ପଦାକୁ ଆସିଥିଲା। ଗତକାଲି ରାତି ୧୦ଟା ୧୫ମିନିଟ୍‌ରେ ଅହଲ୍ୟା ଏହି ଅଡିଓ ଶୁଣିବା ପରେ ତୁରନ୍ତ ମୋବାଇଲ୍‌ ଫୋନ୍‌କୁ କଲ୍‌ କରିଥିଲେ। ମାତ୍ର ପତିତପାବନଙ୍କ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା। ତେଣୁ ସେ ବିକଳରେ ପରିବାର ଲୋକଙ୍କୁ ଜଣାଇଥିଲେ ଓ ପତିତପାବନଙ୍କ ଭାଇ ପୁରୁଷୋତ୍ତମ ଧଉଳି ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ପରେ ପୁଲିସ ଅଡିଓ ବାର୍ତ୍ତାରୁ ମିଳିଥିବା ସ୍ଥାନକୁ ଯାଇ ଛାନ୍‌ଭିନ୍ କରିଥିଲା। ଦୟାନଦୀ ବନ୍ଧ ଲିଙ୍ଗିପୁର ନିକଟ ଏକ ନିକାଞ୍ଚନ ସ୍ଥାନରୁ ପତିତପାବନଙ୍କ ଚିରା ଗଞ୍ଜି, ଚପଲ, ମନିପର୍ସ, ଛୁରି ଜବତ କଲା ପୁଲିସ। କିନ୍ତୁ ତାଙ୍କ ବାଇକ୍‌ର ପତ୍ତା ମିଳିନଥିଲା। ଆଉ ତା ପରଠାରୁ କୌଣସି ପତ୍ତା ମିଳୁନାହିଁ।

ନୂଆଗାଁ ଅଞ୍ଚଳରେ ରହୁଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ପତିତପାବନ ବର୍ଷକ ତଳେ ଅହଲ୍ୟାଙ୍କୁ ବିବାହ କରିଥିଲେ। ଦୁଇ ତିନି ବର୍ଷ ହେଲା ସେ ଏକ ଗ୍ୟାରେଜ୍‌ରେ କାମ କରୁଥିଲେ। ଲକ୍‌ଡାଉନ୍‌ରେ ଗ୍ୟାରେଜ୍‌ କାମ ବନ୍ଦ ହୋଇଯିବାରୁ ଗତ ୫/୬ ମାସ ହେଲା ସେ ସ୍ବିଗିରେ ଡେଲିଭରି ବୟ ଭାବେ କାମ କରୁଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ସୁନ୍ଦରପଦାରେ ଖାଦ୍ୟ ଡେଲିଭରି ପାଇଁ ତାଙ୍କୁ ଫୋନ୍ କଲ୍ ଆସିଥିଲା। ଅହଲ୍ୟାଙ୍କ କହିବା କଥା ପତିତପାବନ ବାଇକ୍‌ ନେଇ ସୁନ୍ଦରପଦା ଯାଇଥିଲେ। ରାତି ପ୍ରାୟ ୯ଟା ୪୫ରେ ସେ ଅହଲ୍ୟାଙ୍କୁ ଫୋନ୍ କରିଥିଲେ। ସେ କହିଥିଲେ ଯେ ପରୁଣା ଭୁବନେଶ୍ବର ଅଞ୍ଚଳରେ କେତେକ ଅସାମାଜିକ ଯୁବକ ରାସ୍ତାରେ ବସି ମଦ୍ୟପାନ କରୁଛନ୍ତି, ତେଣୁ ସେହିବାଟ ଦେଇ ଯିବା ପାଇଁ ତାଙ୍କୁ ଡର ଲାଗୁଛି। ବାଇକ୍ ରଖି ଦେଇ ଅଟୋ କିମ୍ବା ଅନ୍ୟ ଗାଡ଼ିରେ ଚାଲି ଆସିବା ପାଇଁ ଅହଲ୍ୟା ତାଙ୍କୁ ପରାମର୍ଶ ଦେଇଥିଲେ ବୋଲି ପୁଲିସକୁ କହିଛନ୍ତି। ରାତି ୧୦ଟା ୧୫ରେ ଅହଲ୍ୟା ହ୍ବାଟସ୍‌ଆପ୍‌ରେ ଅଡିଓ ବାର୍ତ୍ତା ପାଇଥିବା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୁଲିସ ପତିତପାବନଙ୍କ ଯିବା ଆସିବା ରାସ୍ତାର ସିସିଟିଭି ଯାଞ୍ଚ କରୁଛି। ସୁନ୍ଦରପଦା ଯାଇଥିବା ରାସ୍ତା ଓ ସେଠାରୁ ଘରକୁ ଫେରୁଥିବା ରାସ୍ତାରେ ଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ଏଥିସହିତ ପତିତପାବନଙ୍କ ଫୋନ୍‌ କଲ୍ ଡିଟେଲ୍ସ ରେକର୍ଡ(ସିଡିଆର) ଓ ଲୋକେସନ୍ ଯାଞ୍ଚ କରାଯାଉଛି। ଏମିତିକି ଟାଵାର ଡମ୍ପିଂର ମଧ୍ୟ ସହାୟତା ନିଆଯାଇଛି। ତେଣୁ ଖୁବ୍‌ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ କହିଛି। ମାତ୍ର ସମୟ ଗଡ଼ିବା ସହ ପତିତପାବନଙ୍କ ପରିବାରରେ ଭୟ ବଢ଼ିବଢ଼ି ଚାଲିଛି।

ପାଖ‌ରେ ଥିଲା ୩୦ ହଜାର
ଅହଲ୍ୟାଙ୍କ ସୂଚନାନୁସାରେ ପତିତପାବନ ପୂର୍ବରୁ ଯେଉଁ ଗ୍ୟାରେଜ୍‌ରେ କାମ କରୁଥିଲେ, ତାହା ପୁଣି ଥରେ ଖୋଲିବାର ଥିଲା। ତେଣୁ ମାଲିକ ବିଭିନ୍ନ ଯନ୍ତ୍ରପାତି କିଣିବା ପାଇଁ ପତିତପାବନଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ। ସୁନ୍ଦରପଦାରେ ପାର୍ସଲ ଡେଲିଭରି ସାରି ଗ୍ୟାରେଜ୍‌ ଉପକରଣ କିଣି‌ବେ ବୋଲି ପତିତପାବନ ଘରେ କହିଥିଲେ ବୋଲି ଅହଲ୍ୟା କହିଛନ୍ତି। ତେଣୁ ସାଙ୍ଗରେ ସେ ଘରୁ ୩୦ ହଜାର ଟଙ୍କା ନେଇ ଯାଇଥିଲେ ବୋଲି ଅହଲ୍ୟା ପୁଲିସକୁ କହିଛନ୍ତି।

କିଏ ଓ କାହିଁକି କଲା ଅପହରଣ?
ପୁଲିସ ପାଇଁ ଏବେ ଗୋଟିଏ ଚିନ୍ତା, ପତିତପାବନଙ୍କୁ କିଏ ଓ କାହିଁକି ଅପହରଣ କଲା। ତାଙ୍କ ସହ କାହାର ଶତ୍ରୁତା ଥିଲା କି? ରାସ୍ତାରେ ଗଣ୍ଡଗୋଳ ଘଟିବାରୁ ତାଙ୍କୁ କେହି ଅପହରଣ କରିଛି କି? ପାଖରେ ଥିବା ୩୦ ହଜାର ଟଙ୍କା ଛଡ଼ାଇବାକୁ ନେଇ କିଛି ଅଘଟଣ ଘଟିଛି କି? ବଡ଼ କଥା ହେଉଛି, ଅପହର୍ତ୍ତାଙ୍କ କବଳରେ ଥାଇ ମଧ୍ୟ ସେ କିପରି ଅଡିଓ ରେକର୍ଡିଂ କରି ହ୍ବାଟସଆପ୍‌ରେ ପଠାଇଲେ? ଡାଲା ଅଟୋରେ ପକାଇ ନେବାବେଳେ ସେ ଅଡିଓ କଲେ, ଅଥଚ ରାସ୍ତାରେ ଲୋକ ଗହଳି ଥିବା ସ୍ଥାନ ଦେଖି ପାଟି କରି କାହାକୁ ଡାକିଲେ ନାହିଁ କାହିଁକି? ଏମିତି ଅନେକ ଅଡ଼ୁଆ ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିଲେ ବି କିଛି ‌ସୁଫଳ ମିଳିନାହିଁ।

ସମ୍ବନ୍ଧିତ ଖବର