ରାଜଧାନୀରେ ଆଲୋଡ଼ନ: ନାବାଳିକା ଅପହରଣ ପଣ୍ଡ

ବଞ୍ଚାଇଲେ ଡ୍ରାଇଭର, ପାହାଳରୁ ଫେରାଇ ଆଣିଲେ

ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ କାରରେ ଅପହରଣ କରି ନେଉଥିବା ଯୁବକ ବିଫଳ ହୋଇଛି। କାର୍‌ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ନାବାଳିକାକୁ ବଞ୍ଚାଇବା ସହ ସୁରକ୍ଷିତ ଭାବେ ଫେରାଇ ଆଣିଛନ୍ତି। କିନ୍ତୁ ଚଳନ୍ତା ଗାଡ଼ିରୁ ଡେଇଁ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ରାତିରେ ଘଟିଥିବା ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 କାରରେ ନାବାଳିକାଙ୍କୁ ଅପହରଣ କରି ନେଉଥିଲା
 ଚଳନ୍ତା ଗାଡ଼ିରୁ ଡେଇଁ ଫେରାର ହୋଇଗଲା ଅଭିଯୁକ୍ତ ଯୁବକ

ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ଘର ବଡ଼ଗଡ଼ ମହିଷାଖାଲରେ। ଅଭିଯୁକ୍ତ ଯୁବକର ନିଜ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ସେ ମଧ୍ୟ ମହିଷାଖାଲରେ ରୁହେ। ନାବାଳିକାଙ୍କ ସହ ଅଭିଯୁକ୍ତର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ନାବାଳିକାଙ୍କୁ ନିକଟରେ ଥିବା ଏକ ପାର୍କ ପାଖକୁ ଡାକିଥିଲା। ସେଠାରେ କିଛି ସମୟ ବସିବା ପରେ ବୁଲାଇ ନେବାକୁ ଯୁବକ ପ୍ରସ୍ତାବ ଦେଇଥିଲା। କିଛି ସମୟ ପରେ ସେଠାରେ ଏକ ଭଡ଼ା କାର ପହଞ୍ଚିଥିଲା। ନାବାଳିକା ତାର ସମ୍ପର୍କୀୟ ବୋଲି ଯୁବକଜଣକ କାର ଚାଳକଙ୍କୁ କହିଥିଲା। ସେହି କାରରେ ନାବାଳିକାଙ୍କୁ ନେଇ ପୁରୀ ବାଇପାସ୍ ଦେଇ କଟକ ଅଭିମୁଖେ ଯାଇଥିଲା। ଏତେ ବାଟ କୁଆଡ଼େ ଯାଉଛ ବୋଲି ନାବାଳିକା ପ୍ରଶ୍ନ କରିବା ସହ ଘରକୁ ଫେରିବା ପାଇଁ କାନ୍ଦିଥିଲେ। ଏହି ସମୟରେ କାର ଚାଳକଙ୍କ ମନରେ ସନ୍ଦେହ ହୋଇଥିଲା। ସେ ପାହାଳ ନିକଟରେ କାରକୁ ପୁଣି ବାଇପାସ୍ ଦେଇ ଫେରିଥିଲେ। ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଚାଳକ କାର୍‌ର ବେଗ କମାଇ ରବି ଟକିଜ୍ ରାସ୍ତା ଆଡ଼କୁ ନେଉଥିବା ବେଳେ ଏହାର ସୁଯୋଗ ନେଇ ଡୋର ଖୋଲି ଚମ୍ପଟ ମାରିଥିଲା ଅଭିଯୁକ୍ତ ଯୁବକ। ଚାଳକ ନାବାଳିକାଙ୍କୁ ଗାଡ଼ିରେ ଧରି ସିଧା ବଡ଼ଗଡ଼ ଥାନାରେ ପହଞ୍ଚିଥିଲେ।

ପୁଲିସ ସବୁ କଥା ଶୁଣି ସାରିବା ପରେ ନାବାଳିକାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା। ପରିବାରଲୋକ ଥାନାରେ ପହଞ୍ଚି ଏ କଥା ଜାଣିବା ପରେ ଭୟଭୀତ ହୋଇଯାଇଥିଲେ।। ପରେ ଏନେଇ ଥାନାରେ ଅପହର୍ତ୍ତା ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତର ଘର ବାଲେଶ୍ବର ହୋଇଥିବାରୁ ସେ ନାବାଳିକାଙ୍କୁ ଧରି ସେହି ଆଡ଼େ ଯାଉଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତାକୁ ଗିରଫ କରିବା ପାଇଁ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଅଭିଯୁକ୍ତ ଧରାପଡ଼ିବା ପରେ ପୂରା ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର