ରିମାଣ୍ଡରେ ଆସିବ କିଡ୍‌ନି ଠକେଇ ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ : ହିମାଂଶୁ ଏକୁଟିଆ ନା ଆଉ କିଏ ଅଛି?

ରାଜ୍ୟ ବାହାରକୁ ବି ଲମ୍ବିଛି ଚେର, ଦଲାଲଙ୍କ ତାଲିକା ପ୍ରସ୍ତୁତ କରୁଛି ପୁଲିସ

ଭୁବନେଶ୍ବର : ବହୁଚର୍ଚ୍ଚିତ କିଡ୍‌ନି ଠକେଇ ର‍୍ୟାକେଟ୍‌ର କିଙ୍ଗ୍‌ପିନ ହିମାଂଶୁ ଭୂଷଣ ନନ୍ଦର ଗୁମର ପେଡ଼ିରୁ ବହୁ ତଥ୍ୟ ଖୋଳି ବାହାର କରିବାକୁ ଯୋଜନା କରିଛି କମିସନରେଟ୍‌ ପୁଲିସ। ତେଣୁ ଅଭିଯୁକ୍ତ ହିମାଂଶୁକୁ ରିମାଣ୍ଡରେ ଆଣିବାକୁ ନୂଆପଲ୍ଲୀ ଥାନା ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ଏହା ଏକ ସମ୍ବେଦନଶୀଳ ମାମଲା ଓ ସଂଗିନ ଅପରାଧ ହୋଇଥିବାରୁ ଅଧିକ ଖୋଳତାଡ଼ର ଆବଶ୍ୟକତା ରହିଛି। ବିଶେଷକରି ଅଭିଯୁକ୍ତ ହିମାଂଶୁ କାମ କରୁଥିବା ରୢାକେଟ୍‌ର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ସୁରାକ୍ ମିଳିଥିବାରୁ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି ଏବଂ କୋର୍ଟରେ ତିନି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି।

ଅଭିଯୁକ୍ତ ହିମାଂଶୁ ଗିରଫ ହେବା ପରେ ରାଜଧାନୀରୁ ତା’ ବିରୋଧରେ ଗୋଟିଏ ପରେ ଗୋଟିଏ କରି ୩ଟି ଅଭିଯୋଗ ହୋଇଛି। ଅଧିକ ଅଭିଯୋଗ ଥିବା ସନ୍ଦେହ କରି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପୁଲିସକୁ ଜଣାଇବାକୁ ଲୋକଙ୍କୁ କହିଛନ୍ତି। ତେବେ ବଡ଼ ପ୍ରଶ୍ନ ହେଉଛି, ଏହି ରୢା‌କେଟ୍‌ରେ କ’ଣ ହିମାଂଶୁ ଏକୁଟିଆ ଅଛି ନା ତା’ ପଛରେ ରହି ଆଉ କେହି ବଡ଼ମୁଣ୍ଡ କାମ କରୁଛି। ପୁଲିସର ଅନୁମାନ କରୁଛି ଯେ ଏଭଳି ଅପରାଧ ଘଟାଇବା କୌଣସି ଜଣକର କାର୍ଯ୍ୟ ନୁହେଁ। ତେଣୁ ହିମାଂଶୁ ରୢାକେଟ୍‌ରେ ଅନେକ ସଦସ୍ୟ ଥିବା ସନ୍ଦେହ କରି ଅନୁସନ୍ଧାନ ଚଳାଇଛି। କିଡ୍‌ନି ରୋଗୀଙ୍କ ପାଖରେ ସେ କିଭଳି ପହଞ୍ଚୁଥିଲା, ରୋଗୀ ସମ୍ପର୍କୀୟମାନଙ୍କୁ ସେ କିଭଳି ପ୍ରଭାବିତ କରୁଥିଲା ଆଦି ପ୍ରଶ୍ନକୁ ନେଇ କମିସନରେଟ୍‌ ପୁଲିସ ତଦନ୍ତ କରୁଛି। ବଡ଼ କଥା ହେଲା; ଯେଉଁମାନେ କିଡ୍‌ନି ଦରକାର କରନ୍ତି, ତାହା ମେଡିକାଲରେ ଅତ୍ୟନ୍ତ ଗୋପନ ରଖାଯାଇଥାଏ। ଆବଶ୍ୟକ ପଡ଼ିଲେ ବିଜ୍ଞାପନ ଜରିଆରେ ଅବଗତ କରାଯାଏ। କିନ୍ତୁ ବିନା ବିଜ୍ଞାପନରେ ହିମାଂଶୁ ପାଖରେ ରୋଗୀଙ୍କ ତଥ୍ୟ ପହଞ୍ଚିଯାଏ। ଏସବୁ କେମିତି ସମ୍ଭବ ହେଉଥିଲା? ତେଣୁ ମେଡିକାଲରୁ ହିଁ ହିମାଂଶୁ ପାଖକୁ ତଥ୍ୟ ଆସୁଥିବା ନେଇ ସନ୍ଦେହ କରାଯାଉଛି। ଅର୍ଥାତ୍ ହସ୍ପିଟାଲର କର୍ମଚାରୀ ବା କୌଣସି ଅଧିକାରୀ ହିମାଂଶୁ ରୢାକେଟ୍‌ରେ ସାମିଲ୍ ଥିବା କଥାକୁ ଅଣଦେଖା କରିହେବ ନାହିଁ। ଏହି ମର୍ମରେ ତାକୁ ଅଧିକ ଜେରା କରାଯିବା ପାଇଁ ଯୋଜନା କରାଯାଇଥିବା ସୂଚନା ମିଳିଛି।

ରାଜ୍ୟ ବାହ‌ାରକୁ ମଧ୍ୟ ଅଭିଯୁକ୍ତ ରୢାକେଟ୍‌ର ଚେର ଳମ୍ବିଥିବା ପୁଲିସ ସନ୍ଦେହ କରୁଛି। କାରଣ ପ୍ରଥମେ ଯେତେ‌ବେଳେ ସେ ରୋଗୀଙ୍କ ପାଖରେ ପହଞ୍ଚେ, ତା’ର ସଫଳତାର କାହାଣୀ ଶୁଣାଏ। ଏହି କାହାଣୀ ସବୁ ରାଜ୍ୟ ବାହାରର ବୋଲି ଅଭିଯୋଗକାରୀମାନଙ୍କ ସୂଚନାରୁ ଜଣାପଡ଼ିଛି। ରାଜ୍ୟ ବାହାରେ କିଡ୍‌ନି ଦେଇ ଅନେକ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛି ବୋଲି ପ୍ରମାଣ ଦେଖାଇଥାଏ। ମିଛ ପ୍ରମାଣ ହୋଇଥିଲେ ବି ଧୂର୍ତ୍ତ ହିମାଂଶୁ ଏମିତି ଚତୁରତାର ସହ କହେ ଯେ ଲୋକେ ସହଜରେ ବିଶ୍ବାସ କରିଯାଆନ୍ତି। ଲୋକଙ୍କର ବିଶ୍ବାସ ଜନ୍ମାଇବା ପରେ ସେ ବିଭିନ୍ନ କାଗଜପତ୍ର ପ୍ରସ୍ତୁତି ଆଳରେ ଲୁଟିବା ଆରମ୍ଭ କରିଦିଏ। ଠକେଇର ଶିକାର ହୋଇଥିବା‌ ଅଭିଯୋଗକାରୀଙ୍କୁ ପଚରାଉଚରା କରିବା ପରେ ପୁଲିସ ଏହି ତଥ୍ୟ ସଂଗ୍ରହ କରିଛି। ତେଣୁ ରିମାଣ୍ଡ ଅବଧି କାଳରେ ଏ ସବୁ ବାବଦରେ ତା’ ଠାରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

କିଡ୍‌ନି ରୋଗୀଙ୍କ ପାଖରେ ପହଞ୍ଚିବା ପାଇଁ ହିମାଂଶୁ କେତେକ ଦଲାଲ ନିଯୁକ୍ତି କରିଥିବା ଜଣାପଡ଼ିଛି। ସେମାନେ ପ୍ରଥମେ ରୋଗୀଙ୍କ ପାଖରେ ପହଞ୍ଚି ହିମାଂଶୁର ସଫଳତା କାହାଣୀ ଶୁଣାନ୍ତି। ରୋଗୀଙ୍କ ଭିତରେ ଆଶା ସଂଚାର ହେବା ପରେ ହିମାଂଶୁ ରୋଗୀଙ୍କ ପାଖରେ ପହଞ୍ଚିଯାଏ। ଏହା ପରେ ତା’ର ଅପରେସନ୍ ଆରମ୍ଭ ହୁଏ। ଅଭିଯୋଗକାରୀଙ୍କ ପାଖରୁ ସଂଗୃହୀତ ତଥ୍ୟକୁ ଅଧାର କରି ପୁଲିସ ଏହି ସବୁ ଦଲାଲଙ୍କର ତାଲିକା ମଧ୍ୟ କରି ସାରିଛି। ରିମାଣ୍ଡ ବେଳେ ପଚରାଉଚରାରେ ସେହି ସବୁ ଦଲାଲଙ୍କୁ ପୁଲିସ ସାମିଲ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କୁ କିଡ୍‍ନି ଦେବାକୁ କହି ୨୦୧୯ ମସିହାରେ ହିମାଂଶୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା। ଏହା ପରେ ସେ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ଗତ ୧୧ ତାରିଖ ଦିନ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗତ ୧୨ ତାରିଖ‌ରେ ଗିରଫ କରିଥିଲା। ଏହି ଖବର ପ୍ରକାଶ ପାଇବା ପରେ ହିମାଂଶୁ କିଡ୍‌ନି ରୢାକେଟ୍‌ର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା। ରାଜଧାନୀରେ ତା’ ଦ୍ବାରା ଠକାମିର ଶିକାର ହୋଇଥିବା ଅନ୍ୟ ଲୋକେ ବି ଅଭିଯୋଗ କରିବାକୁ ଲାଗିଲେ। ତା’ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍‌ନି ଦେବାକୁ କହି ହିମାଂଶୁ ୧ ଲକ୍ଷ ୧୯ ହଜାର ଟଙ୍କା ଠକିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ସେହିଭଳି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କୁ କିଡ୍‌ନି ଦେବା ବାହାନାରେ ସେ ୧୮ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଥିବା‌ ଅଭିଯୋଗ ଆସିବା ପରେ ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର