ଭୁବନେଶ୍ବର :‘ଆଉ କେହି ଦଲାଲ ନାହାନ୍ତି। ସେ ନିଜେ ହିଁ ଏହି କାରବାରର ମୁଖିଆ। ଲୋକଙ୍କର କିଡ୍ନି ଦରକାର ହେଲେ, ସେମାନେ ଫୋନ୍ କରନ୍ତି। ସେମାନଙ୍କ ଆବଶ୍ୟକ ମୁତାବକ କାଗଜପତ୍ର ପ୍ରସ୍ତୁତ ହୁଏ। ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଦର୍ଶାଇ ସମୟ ଗଡ଼ାଇ ଦିଆଯାଏ। କେଉଁଠି ରୋଗୀର ମୃତ୍ୟୁ ହୋଇଯାଏ କିମ୍ବା ଲୋକ ଭୁଲି ଯାଆନ୍ତି। ହେଲେ ବେଳା ଖରାପ ଥିବାରୁ ଅଭିଯୋଗ ହେଲା ଆଉ ଜେଲ୍ ହେଇଗଲା। ବହୁ ଚର୍ଚ୍ଚିତ କିଡ୍ନି ରୢାକେଟ୍ର କିଙ୍ଗ୍ପିନ୍ ହିମାଂଶୁ ଭୂଷଣ ନନ୍ଦର ଦୁଇଦିନିଆ ରିମାଣ୍ଡ ଆଜି ଶେଷ ହୋଇଥିବା ବେଳେ ପୁଲିସ୍କୁ କେବଳ ସେ ଏତିକି କଥା କହିଛି। ଲକ୍ଷ୍ମୀସାଗର ପୁଲିସ୍ ଯେତେ ଚେଷ୍ଟା କଲେ ବି ତା’ଠାରୁ ଆଉ କିଛି ଆଦାୟ କରିପାରିନାହିଁ। ଏଣୁତେଣୁ କରି ତାକୁ ଯେତେ ପ୍ରଶ୍ନ ପଚାରିଲେ ବି ସେ ସବୁ ଫାଙ୍କି ଦେଇଥିଲା। ଦଲାଲ କିମ୍ବା ଘରୋଇ ମେଡିକାଲ ସମ୍ପୃକ୍ତି ନେଇ ସେ କିଛି ମାନୁ ନାହିଁ। ତେଣୁ ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।
ତେବେ ଗୋଟାଏ ଠକକୁ ଏତେ ଲୋକ କାହିଁକି ବିଶ୍ବାସ କରୁଥିଲେ? ଲକ୍ଷ ଲକ୍ଷ ଟଙ୍କା ବିନା ତର୍କରେ କାହିଁକି ଦେଇ ଦେଉଥିଲେ? କେଉଁ ପରିସ୍ଥିତିରେ ଦୀର୍ଘ ଦିନ ଧରି ଏତେ ଲୋକ କେମିତି ବୋକା ହୋଇଯାଇଥିଲେ? ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁଲିସକୁ ହିମାଂଶୁ କହିଛି ଯେ ୪ ବର୍ଷ ତଳେ ତା’ର ଜଣେ ସମ୍ପର୍କୀୟଙ୍କର କିଡ୍ନି ଦରକାର ଥିଲା। ଗଣମାଧ୍ୟମରେ ବିଜ୍ଞାପନ, ଡୋନର୍ ସଂଗ୍ରହ କରିବା ଓ ଅନ୍ୟାନ୍ୟ ସରକାରୀ ପ୍ରକ୍ରିୟାରେ ସେ ଏହି କିଡ୍ନି ପାଇବାକୁ ସକ୍ଷମ ହୋଇଥିଲା। ଏହି ସଫଳତାକୁ ଆଧାର କରି ତା’ ପାଖକୁ କିଡ୍ନି ରୋଗୀ ଆସିବା ଆରମ୍ଭ କରିଥିଲେ। ପ୍ରଥମେ ଦୁଇଜଣ ରୋଗୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ନେବା ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ପରିଜନ ଏହି ଟଙ୍କା ଭୁଲି ଯାଇଥିଲେ। ସହଜରେ ଟଙ୍କା ଆସୁଥିବାରୁ ସେ ଏହି କାରବାରକୁ ବେଉସା ଭାବେ ଗ୍ରହଣ କରି ନେଇଥିଲା। କେବଳ ଲୋକଙ୍କୁ ଠକି ମାଲାମାଲ ହେବାକୁ ଯୋଜନା କରିଥିଲା। ଏଥିରେ ସଫଳ ହେବା ସହ ବେଶ୍ ମୋଟା ଅଙ୍କର ଅର୍ଥ ରୋଜଗାର ସଫଳ ହୋଇଥିଲା। ମାର୍ଶାଘାଇ ଥାନାରେ ପ୍ରଥମେ ଅଭିଯୋଗ ହେବା ପରେ ଏହାକୁ ଚପାଇ ଦେବାକୁ ସେ ସକ୍ଷମ ହୋଇଥିଲା। ହେଲେ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ସମସ୍ତ ଉଦ୍ୟମ ସତ୍ତ୍ବେ ସେ ଆଉ ଖସି ପାରିନଥିଲା। ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରିଥିବା ବେଳେ ସହିଦନଗର, ଲକ୍ଷ୍ମୀସାଗର ଓ ମଞ୍ଚେଶ୍ବର ଥାନାରେ ତା’ ନାମରେ ଅଭିଯୋଗ ହୋଇଥିଲା। ନୂଆପଲ୍ଲୀ ଥାନା ପୁଲିସ ତାକୁ ଦୁଇ ଦୁଇଥର ରିମାଣ୍ଡରେ ଆଣି ପଚରା ଉଚରା କରିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲା।
ଗତବର୍ଷ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍ନି ଦେବାକୁ କହି ସେ ୧ଲକ୍ଷ ୧୯ହଜାର ଟଙ୍କା ଠକିଥିଲା। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାକୁ ରିମାଣ୍ଡରେ ଆଣିଥିଲା।