୩ ଦିନିଆ ରିମାଣ୍ଡରେ କିଡ୍‌ନି ରାକେଟ୍‌ କିଙ୍ଗ୍‌ପିନ୍‌: ୨ କୋଟି ଟପିପାରେ ଠକେଇ ପରିମାଣ

ଭୁବନେଶ୍ବର: ବହୁଚର୍ଚ୍ଚିତ କିଡ୍‌ନି ଠକେଇ ରୢାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ ଭୂଷଣ ନନ୍ଦକୁ ପୁଲିସ୍‌ ୩ ଦିନିଆ ରିମାଣ୍ଡରେ ଆଣିଛି। ନୂଆପଲ୍ଲୀ ଥାନା ପୁଲିସ୍‌ର ରିମାଣ୍ଡ ଆବେଦନକୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟ ମଞ୍ଜୁର କରିବା ପରେ ଆଜି ତାକୁ ଝାରପଡ଼ା ଜେଲ୍‌ରୁ ଅଣାଯାଇଛି। ତିନିଜଣ ବରିଷ୍ଠ ପୁଲିସ ଅଧିକାରୀ ଅଭିଯୁକ୍ତ ହିମାଂଶୁକୁ ମାରାଥନ୍‌ ଜେରା ଚଳାଇଛନ୍ତି। ଆଜିର ୮ ଘଣ୍ଟିଆ ଜେରାରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ଏହି ଠକେଇରେ ସେ ପ୍ରାୟ ୨ କୋଟି ଟଙ୍କା ଠକିଥିବା ଜଣାପଡ଼ିଛି। ଉକ୍ତ ଠକାମି ଅର୍ଥରେ ସେ ବିଳାସପୂର୍ଣ୍ଣ କୋଠା ତିଆରି କରିବା ସହ ମୋଟା ଅଙ୍କର ଟଙ୍କା ଅନ୍ୟ ବ୍ୟବସାୟରେ ଲଗାଇଥିବା ଜଣାପଡ଼ିଛି। ସେ ଭୁବନେଶ୍ବରରେ ୮ ଜଣ ଦଲାଲ୍‌ ନିୟୋଜିତ କରି ଏହି ଠକେଇ ଅର୍ଥରୁ କମିସନ ଦେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଜେରା ବେଳେ ତା ରୢାକେଟ୍‌ର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ନେଇ ତାକୁ ଘନଘନ ପଚରାଉଚରା କରାଯାଉଛି। ପୁଲିସ ସନ୍ଦେହ କରୁଛି। ଓଡ଼ିଶାରୁ କିଡ୍‌ନି କିଣି ସେ ରାଜ୍ୟ ବାହାରେ ଅଧିକ ଦାମ୍‌ରେ ବିକିଥିବା ସୂଚନା ମିଳିଛି। ତେଣୁ ତା ମୋବାଇଲ୍‌ ଫୋନ୍‌ ନମ୍ବର ଯାଞ୍ଚ କରିବାକୁ ଉଦ୍ୟମ ଚାଲିଛି। ତା’ ମୋବାଇଲ କଲ୍‌ ରେକର୍ଡରୁ ମିଳିଥିବା ବାହାର ରାଜ୍ୟର ଫୋନ୍‌ ନମ୍ବରକୁ ଆଧାର କରି ତାକୁ ପଚରାଉଚରା କରାଯାଉଛି ଓ ଉକ୍ତ ନମ୍ବର ସବୁକୁ ମଧ୍ୟ ପରେ ଯାଞ୍ଚ କରାଯିବ ବୋ‌ଲି ସୂଚନା ମିଳିଛି। ବଡ଼ କଥା ହେଉଛି, ଆସନ୍ତାକାଲି ପୁଲିସ ତା’ର ଗୁଡ଼ିଆପୋଖରୀସ୍ଥିତ ସୋ’ରୁମ୍‌ରେ ଚଢ଼ଉ କରିବ। ଏଠାରେ ସେ ଇଣ୍ଟେରିଅର ଡେକୋରେସନ ସାମଗ୍ରୀ ବେପାର କରୁଛି। ଏଥିରେ କୋଟି କୋଟି ଟଙ୍କା ବିନିଯୋଗ ହୋଇଛି। ସୋ’ରୁମ୍‌ କୋଠାରେ ମଧ୍ୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ କେଉଁ ସମ୍ପର୍କୀୟଙ୍କ ନାମରେ ସମ୍ପତ୍ତି କରିଛି କିମ୍ବା ଠକେଇ ଟଙ୍କା ସବୁ କଣ କରିଛି, ସେ ନେଇ ପଚରାଉଚରା କରାଯିବ। ଆବଶ୍ୟକ ପଡ଼ିଲେ ଆର୍ଥିକ କାରବାରର ତଦନ୍ତ ପାଇଁ ଆୟକର ବିଭାଗକୁ ସୁପାରିସ କରାଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ଗିରଫ ହେବା ପରଠାରୁ ତା’ ବିରୋଧରେ ଅଭିଯୋଗର ତାଲିକା ଲମ୍ବା ହେବାରେ ଲାଗିଛି। ନୂଆପଲ୍ଲୀ, ଲକ୍ଷ୍ମୀସାଗର, ମଞ୍ଚେଶ୍ବର ପରେ ଆଜି ସହିଦନଗର ଥାନାରେ ତା’ ନାମରେ ଅନୁରୂପ ଅଭିଯୋଗ ହୋଇଛି। କେନ୍ଦ୍ରପଡ଼ା ମାର୍ଶାଘାଇର ଆଲୋକ ଚଇନିଙ୍କୁ ସେ ୮ ଲକ୍ଷ ୫୦ ହଜାର ଟଙ୍କାର ଚୁନ ଲଗାଇଛି। ତାଙ୍କ ଅଭିଯୋଗ ମୁତାବକ, ସରକାରୀ ବ୍ୟବସ୍ଥାରେ ସେ କିଡ୍‌ନି ପାଇବାକୁ ପ୍ରଥମେ ଉଦ୍ୟମ କରିଥିଲେ। ହେଲେ ସେହି ପ୍ରକ୍ରିୟାରେ ବିଳମ୍ବ ହେବା ସହ କଷ୍ଟସାଧ୍ୟ ବୋଲି ଜାଣିବାକୁ ପାଇଥିଲେ। ଏତିକିବେଳେ ଜଣେ ଦଲାଲଙ୍କ ଜରିଆରେ ହିମାଂଶୁ ତାଙ୍କ ପାଖରେ ପହଞ୍ଚିଥିଲା। ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା। ପ୍ରଥମେ ହାଇକୋର୍ଟରୁ ସ୍ବୀକୃତି ପାଇଁ ଓକିଲ ଖର୍ଚ୍ଚ ବାବଦକୁ ୫୦ ହଜାର ନେଇ ଯାଇଥିଲା। ଏହା ପରେ କିଡ୍‌ନି ପାଇଁ ୮ ଲକ୍ଷ ଅଗ୍ରିମ ନେଇଥିଲା। ଚଳିତବର୍ଷ ଫେବୃଆରି ବା ମାର୍ଚ୍ଚ ଭିତରେ ସେ କିଡ୍‌ନି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଗଣମାଧ୍ୟମ ଜରିଆରେ ତାର ଗିରଫଦାରୀ ବାବଦରେ ସେ ଜାଣିବାକୁ ପାଇବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ର, ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁ, ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କୁ କିଡ୍‌ନି ଦେବା ବାହାନାରେ ସେ ଠକିଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର