ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ଭାବେ କାମ କରୁଛି କିଡ୍ନି ଯୋଗାଇବା ନାଁରେ ଲୋକଙ୍କୁ ଠକୁଥିବା ଏକାଧିକ ରାକେଟ୍। ଏମାନେ କିଡ୍ନି ଦେବାକୁ କହି ରୋଗୀଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଉଛନ୍ତି। ଏଭଳି ଏକ ରାକେଟ୍ର କିଙ୍ଗପିନ୍ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ହିମାଂଶୁ ଭୂଷଣ ନନ୍ଦ ଗତକାଲି ଗିରଫ ହେବା ପରେ ରାକେଟ୍ ର ଅନ୍ୟମାନଙ୍କୁ ଧରିବା ପାଇଁ କମିସନରେଟ୍ ପୁଲିସ ଜାଲ ବିଛାଇଛି। ଏ ନେଇ ଅଧିକ ତଥ୍ୟ ଯୋଗାଡ଼ କରିବାକୁ ନୂଆପଲ୍ଲୀ ଥାନା ପୁଲିସ ହିମାଂଶୁକୁ ତିନିଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି। ହିମାଂଶୁକୁ ପଚରାଉଚରା କଲେ ଏହି କିଡ୍ନି ରାକେଟ୍ ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ଆଶା କରିଛି।
କେବଳ ନୂଆପଲ୍ଲୀରେ ନୁହେଁ, ବରଂ ସାରା ଭୁବନେଶ୍ବରରେ ହିମାଂଶୁର ରାକେଟ୍ କାମ କରୁଛି। ତା’ ବିରୋଧରେ ଆଜି ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍ନି ଦେବାକୁ କହି ହିମାଂଶୁ ୧ ଲକ୍ଷ ୧୯ ହଜାର ଟଙ୍କା ଠକି ନେଇଛି। ନୂଆପଲ୍ଲୀ ଥାନା ପୁଲିସ ତାକୁ ଅନ୍ୟ ଏକ ମାମଲାରେ କାଲି ଗିରଫ କରିବା ପରେ ସେ ଠକ ବୋଲି ଜାଣି ଲିଲି ଆଜି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ହିମାଂଶୁ ଯେଉଁ ଏଜେଣ୍ଟମାନଙ୍କ ଜରିଆରେ ଏହି ସବୁ କାରବାର କରେ ସେମାନଙ୍କୁ ଏବେ ନୂଆପଲ୍ଲୀ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଖୋଜିବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ ହିମାଂଶୁ ନୂଆପଲ୍ଲୀ ଏନ୍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କୁ କିଡ୍ନି ଦେବାକୁ ତାଙ୍କଠାରୁ ୫ ଲକ୍ଷ ୫୦ ହଜାର ନେଇ ଯାଇଥିଲା। ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
୧୦ କୋଟିର ଠକେଇ କରିଛି ହିମାଂଶୁ!
ତଦନ୍ତ ବେଳେ ପୁଲିସ ଏହି ଠକ ରାକେଟ୍ ବାବଦରେ ଅନେକ ତଥ୍ୟ ହାସଲ କରିଛି। ଗୁଡ଼ିଆ ପୋଖରୀ ଛକରେ ହିମାଂଶୁର ସାଇ ହୋମ୍ ଇଣ୍ଟେରିୟର ନାମକ ଏକ ଦୋକାନ ରହିଛି। ଏହାକୁ ସେ ଅଫିସ୍ ଭାବରେ ବ୍ୟବହାର କରେ। କାହାର କିଡ୍ନି ଦରକାର ହେଲେ ଏଜେଣ୍ଟଙ୍କ ଜରିଆରେ ଖବର ପହଞ୍ଚେ। ଖବର ପହଞ୍ଚିବା ପରେ ହିମାଂଶୁ ସମ୍ପୃକ୍ତ ଲୋକ ଘରେ ହାଜର ହୋଇଯାଏ। କିଡ୍ନି ପ୍ରତିରୋପଣ କରିବାକୁ ହେଲେ କୋର୍ଟଙ୍କ ସ୍ବୀକୃତି ଆବଶ୍ୟକ ପଡ଼ିଥାଏ। ପ୍ରଥମେ ସେ ଏହି ସ୍ବୀକୃତି ହାସଲ କାରିବାକୁ ମୋଟା ଅଙ୍କର ଟଙ୍କା ନେଇଯାଏ। ପରେ ଏକ ନକଲି କୋର୍ଟ ସ୍ବୀକୃତିପତ୍ର ପ୍ରସ୍ତୁତ କରେ। ଏହି ସ୍ବୀକୃତିପତ୍ର ଦେଇ ସଂପୃକ୍ତ ବ୍ୟକ୍ତିଠାରୁ କିଡ୍ନି ପାଇଁ ପୁଣିଥରେ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଏ। ଅନେକ କ୍ଷେତ୍ରରେ ରୋଗୀ କିଡ୍ନି ନପାଇ ପ୍ରାଣ ହରାଏ। ଏଣୁ ଆଉ ଟଙ୍କା ମାଗିବା ପାଇଁ କେହି ଆସନ୍ତି ନାହିଁ। ଏଭଳି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସେ ଠକି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।