ମେଡିକାଲ୍‌ ଚାକିରିରୁ କିଡ୍‌ନି ଠକେଇ କୁବୁଦ୍ଧି, ଜେଲ୍‌ ଫେରିଲା କିଙ୍ଗ୍‌ପିନ୍‌ ହିମାଂଶୁ

ଅନ୍ୟ ଦଲାଲ୍‌ଙ୍କୁ ଧରିବାକୁ ୨ଟି ଟିମ୍, ରିମାଣ୍ଡ୍‌ରେ ଆଣିବ ସହିଦନଗର ଥାନା

ଭୁବନେଶ୍ବର: ଗୋଟିଏ ଘରୋଇ ହସ୍‌ପିଟାଲର ମାର୍କେଟିଂ ସେକ୍ସନରେ ଚାକିରି କରୁଥିଲା କିଡ୍‌ନି ଠକେଇ କିଙ୍ଗ୍‌ପିନ୍‌ ହିମାଂଶୁ ଭୂଷଣ ନନ୍ଦ। ଏଠାରେ ଚାକିରି କଲା ବେଳେ ଲୋକେ ଜମିବାଡ଼ି ବିକି କିଡ୍‌ନି କିଣିବାକୁ ପ୍ରସ୍ତୁତ ହେଉଥିବା ସେ ଦେଖିଥିଲା। ତେଣୁ କିଡ୍‌ନି ବେପାରରେ ପଶିବା ପାଇଁ ସେ ସ୍ଥିର କରିଥିଲା। ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖି ସେ ଦଲାଲ ହୋଇଯାଇଥିଲା। ମେଡିକାଲରେ ଚାକିରି କରୁଥିବାରୁ ତାକୁ ଲୋକମାନେ ବିଶ୍ବାସ କରୁଥିଲେ। ଏଣୁ ତାକୁ ଏହି କାମ ସହଜ ହୋଇଥିଲା।

ମାତ୍ର ୫ବର୍ଷରେ ଭୁବନେଶ୍ବରରୁ ବିଭିନ୍ନ ଜିଲ୍ଲା, ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟରୁ ରାଜ୍ୟ ବାହାର ପର୍ଯ୍ୟନ୍ତ ତା’ର ଚେର ଲମ୍ବି ଯାଇଥିଲା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଆସି ପିପିଲି ଗୁଡ଼ିଆପୋଖରୀରେ ସେ କୋଟିଏ ଟଙ୍କାର କୋଠା ତିଆରି କରିଥିଲା। ସେଠାରେ ସେ ଇଣ୍ଟେରିୟର ଡେକୋରେଟର୍‌ ବ୍ୟବସାୟରେ ମଧ୍ୟ କୋଟିକୋଟି ଟଙ୍କା ଲଗାଇଥିଲା। ଲୋକଙ୍କ ଭାବନା ସହ ଖେଳି ମଉଜ କରୁଥିଲା। ପୁଲିସ ରିମାଣ୍ଡ୍‌ରେ ଥିବା ବହୁଚର୍ଚ୍ଚିତ କିଡ୍‌ନି ଠକେଇ ରୢାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ ଭୂଷଣ ନନ୍ଦକୁ ତିନି ଦିନ ଧରି ମାରାଥନ୍‌ ଜେରା କରିବା ପରେ ନୂଆପଲ୍ଲୀ ଥାନା ପୁଲିସ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପାଇଛି। ଏହା ଛଡ଼ା ସମ୍ପୃକ୍ତ ହସ୍‌ପିଟାଲ ସମ୍ବନ୍ଧ‌ରେ ମଧ୍ୟ ଅନେକ ତଥ୍ୟ ହାସଲ କରିଛି। ସେହି ହସ୍‌ପିଟାଲରେ କିଡ୍‌ନି କାରବାର ହେଉଥିଲା ନା ହସ୍‌ପିଟାଲକୁ ଦେଖାଇ ହିମାଂଶୁ ବେପାର କରୁଥିଲା, ସେ ନେଇ ମଧ୍ୟ ପୁଲିସ ଖୋଳତାଡ଼ କରିଛି। ସେହିଭଳି କିଙ୍ଗ୍‌ପିନ୍‌ର ସହଯୋଗୀ ବାଲୁଗାଁର ସଞ୍ଜୟ ପଲେଇକୁ ଜେରା କରିବା ପାଇଁ ପୁଲିସ ନୋଟିସ୍‌ ଦେଇଛି। ତାକୁ ପଚରାଉଚରା ହେଲେ ପଶ୍ଚିମବଙ୍ଗ ଲିଙ୍କ୍‌ର ଗୁମର ଫିଟିବ ବୋଲି ପୁଲିସ କହିଛି। ଏଥିପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ବିଭିନ୍ନ ଜାଗାକୁ ଯାଇ ତଦନ୍ତ କରିବ। ଅନ୍ୟ ଏକ ଟିମ୍‌ କମ୍ପ୍ୟୁଟର ହାର୍ଡଡିସ୍କ ଓ ଅନ୍ୟ ଡିଜିଟାଲ ପ୍ରମାଣକୁ ଅନୁସନ୍ଧାନ କରିବ।

ତେବେ କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେ ଏଭଳି ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି। ମାର୍ଶାଘାଇ ପୁଲିସ ଏତଲା ନ ରଖି ତାକୁ ସୁରକ୍ଷା ଯୋଗାଇବା ଭଳି ଆଉ କେଉଁଠି ଷ୍ଟେସନ୍‌ ଡାଏରି ହୋଇଛି କି ନାହିଁ, ତାହାର ମଧ୍ୟ ଅନୁସନ୍ଧାନ ଆରମ୍ଭ ହୋଇଛି। ଏ ନେଇ ସମସ୍ତ ଥାନାକୁ ସୂଚନା ଦିଆଯାଇଛି। ହିମାଂଶୁ ବାବଦରେ ଥିବା ସମସ୍ତ ଅଭିଯୋଗ ସମ୍ବନ୍ଧରେ ସୂଚନା ଦେବାକୁ କୁହାଯାଇଛି। ତେବେ ଅନ୍ୟ ଏକ ମାମଲାରେ ସହିଦନଗର ଥାନା ପୁଲିସ୍‌ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଥିବା ଜଣାଯାଇଛି। ଗତକାଲି ହିମାଂଶୁର ଗୁଡ଼ିଆପୋଖରୀସ୍ଥିତ ଥିବା ସୋ’ ରୁମ୍‌ରୁ ଜବତ କମ୍ପ୍ୟୁଟର ହାର୍ଡ ଡିସ୍କଗୁଡ଼ିକରେ କ’ଣ ଅଛି, ତାହାର ଅନୁସନ୍ଧାନ ହେଉଛି। ଏକ ସ୍ବତନ୍ତ୍ର ଆଇଟି ଟିମ୍‌ ଏହାକୁ ପରୀକ୍ଷା କରୁଛି। ଏଥିରେ ଶତାଧିକ ଗ୍ରାହକ, ଦଲାଲଙ୍କ ନମ୍ବର ସହ ବହୁ ବିବରଣୀ ରହିଛି। ପ୍ରତ୍ୟେକ ଫୋନ୍‌ ନମ୍ବରକୁ ଗୋଟି ଗୋଟି କରି ପରୀକ୍ଷା କରାଯାଉଛି। ଯାହା ଉପରେ ‌ସନ୍ଦେହ ହେବ, ତାହାକୁ ଯୋଗାଯୋଗ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର