ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍‍ପିଟାଲ୍‍ (ପିବିଏମ୍‍ଏଚ୍‍)ରେ କିମ୍‍ସ ସୁପର ସ୍ପେସିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟର୍‌ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କିମ୍‍ସର ୩୦୦ ଶଯ୍ୟା ବିଶିଷ୍ଟ ଏହି ସୁପର ସ୍ପେସିଆଲିଟି ହସ୍‍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ହୃଦ୍‌ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‍ ଆଣ୍ଡ ଭାସ୍କୁଲାର ସର୍ଜରି (ସିଟିଭିଏସ୍‍) ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ନେଫ୍ରୋଲୋଜି ଏବଂ କିଡ୍‍ନି ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରି, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‍ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‍ ସର୍ଜରି ଓ ପ୍ଲାଷ୍ଟିକ୍‍ ସର୍ଜରି ଆଦି ବିଭାଗ ରହିଛି। ଏଠାରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି।

ସେହିପରି ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‍ସର୍‍ ସେଣ୍ଟର୍‌ ଅନ୍ତର୍ଜାତୀୟ ମାନର ହୋଇଥିବା ବେଳେ ଏଠାରେ ଭାରତର ଖ୍ୟାତିସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡା. ବିଧୁ କଲ୍ୟାଣ ମହାନ୍ତି ଏହାର ନିର୍ଦ୍ଦେଶକ ରହିଛନ୍ତି। ଏହି କ୍ୟାନ୍‍ସର ସେଣ୍ଟର୍‌ରେ ଗୋଟିଏ ସ୍ଥାନରେ ରୋଗୀ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ଆଦି ସବୁ ସୁବିଧା ପାଇପାରିବେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର୍‌.ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପିବିଏମ୍‍ଏଚ୍‍ ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି।