କିଟ୍ ଓ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

ଚନ୍ଦ୍ରଶେଖରପୁର: କିଟ୍ ବିଶ୍ବବିଦ୍ୟାଳୟ ଓ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିଟ୍ ସ୍କୁଲ୍ ଅଫ୍ ଆର୍କିଟେକ୍ଟ୍ ଏବଂ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ ସେଣ୍ଟର୍ ଅଫ୍ ଡେଭଲପମେଣ୍ଟ୍ ଷ୍ଟଡିଜ୍ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିଟ୍ ପକ୍ଷରୁ ସ୍କୁଲ୍ ଅଫ୍ ଆର୍କିଟେକ୍ଟ୍ ନିର୍ଦେଶକ ପ୍ରଫେସର ଏସ୍.ଏସ୍.ରାୟ ଓ କେମ୍ବ୍ରିଜ୍ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଡ. ଶୈଳଜା ଫେନେଲ୍ ଏହି ପତ୍ରରେ ସ୍ବାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଉପକୁଳାଧିପତି ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଉଭୟ ଅନୁଷ୍ଠାନ ମିଳିତ ଭାବେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ କାର୍ଯ୍ୟକ୍ରମ ବିକଶିତ କରିବେ। ଏହା ବ୍ୟତୀତ ଉଭୟ ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ସାଂସ୍କୃତିକ ବିନିମୟ ଏବଂ ମିଳିତ ଭାବେ ପାଠ୍ୟକ୍ରମ ବିକଶିତ କରିବା ସହ ଶିକ୍ଷାଦାନ, ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରିବେ। ଦୁଇ ବିଶ୍ବବିଦ୍ୟାଳୟ ଶୈକ୍ଷିକ ବିକାଶ ଓ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବେ। ଏହି ଅବସରରେ ଡ. ଫେନେଲ୍ କହିଲେ, ଗ୍ରାମାଞ୍ଚଳ ଯୁବକ/ଯୁବତୀଙ୍କ ବିକାଶ ପାଇଁ ସ୍ମାର୍ଟ ସିଟି ଭଳି ସ୍ମାର୍ଟ ଭିଲେଜର ଆବଶ୍ୟକ ରହିଛି। ଯାହାକୁ ନେଇ କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳରେ ବିକାଶ ପାଇଁ ସମସ୍ୟାର ସ୍ମାର୍ଟ ସମାଧାନ ଉପରେ କାର୍ଯ୍ୟ କରାଯିବ। ଏହି ବୁଝାମଣା ପାଇଁ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉଚ୍ଚତର ଶିକ୍ଷା ଓ ଗବେଷଣା‌ କ୍ଷେତ୍ରରେ ଲାଭବାନ୍‌ ହୋଇପାରିବେ।

ସମ୍ବନ୍ଧିତ ଖବର