ଚନ୍ଦ୍ରଶେଖରପୁର : ସର୍ବ ବୃହତ୍ ବୈଷୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବା ଟେକ୍ନୋଫେଷ୍ଟ ‘କିଟି ଫେଷ୍ଟ’ ଆଜି କିଟ୍ ଡିମ୍ଡ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବରେ ବଲିଉଡ୍ ଅଭିନେତା ମୁକେଶ ତିଓ୍ଵାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ତିଓ୍ଵାରୀ କହିଲେ, ଅର୍ଥ ବଦଳରେ ଡିଗ୍ରି କିଣି ହେବ, ହେଲେ ଶିକ୍ଷା କିଣି ହେବ ନାହିଁ। ଏହି ପରମ୍ପରାକୁ କିଟ୍ ଭଙ୍ଗ କରିଛି। କିଟ୍ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିତ୍ୱର ବିକାଶ କରାଇଥାଏ। ଭାରତୀୟ ଛାତ୍ରଛାତ୍ରୀମାନେ ବଲିଉଡ୍ ଚଳଚ୍ଚିତ୍ରର ଭବିଷ୍ୟତ ହୋଇଥିବାରୁ ସେମାନେ ବଲିଉଡ୍ ଚଳଚ୍ଚିତ୍ର ଦେଖିବା ଉଚିତ ବୋଲି ମୁକେଶ କହିଥିଲେ। ଉତ୍ସବରେ ପ୍ରତିଷ୍ଠାତା ଅଚ୍ୟୁତ ସାମାନ୍ତ, କିଟ୍ କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତ ଏବଂ ଷ୍ଟୁଡେଣ୍ଟ ଆଫାୟାର୍ସ ନର୍ଦେଶିକା ଡ଼.ସୁଚେତା ପ୍ରିୟବାଦିନୀ ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଚଳିତବର୍ଷ କିଟ୍ ଫେଷ୍ଟରେ ଅଂଶଗ୍ରହଣ ପାଇଁ ସମଗ୍ର ଦେଶର ବିଭିନ୍ନ ନାମୀ ଦାମୀ ବୈଷିୟିକ ଶିକ୍ଷାନୁଷ୍ଠାନରୁ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ଏହା ପୂର୍ବଭାରତର ସର୍ବ ବୃହତ୍ ବୈଷୟିକ ମହୋତ୍ସବ ବୋଲି କୁହାଯାଉଛି। ଏଥିରେ ସେମାନେ ବୈଷୟିକ, କଳା ଓ ସଂସ୍କୃତିକ ସୃଜନଶୀଳତା ପରିପ୍ରକାଶ କରିବାର ସୁଯୋଗ ପାଇବେ। କିଟ୍’ର ବିଭିନ୍ନ କ୍ୟାମ୍ପସ୍ରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଚାଲିଛି। ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା, ଦକ୍ଷତା ପ୍ରତିପାଦନ ପାଇଁ ବୈଷୟିକ କାର୍ଯ୍ୟ, ତର୍କ, ନୃତ୍ୟ, ଡ୍ରାମା ଏବଂ କୁଇଜ ଆଦି ୭୨ଟି କାର୍ଯ୍ୟକ୍ରମ ରହିଛି। ତେବେ ଏହାର ବିଭିନ୍ନ ଦିବସରେ ସୋନୁ ନିଗମ, ହର୍ଷ ଭୋଗଲେ, ଆକବର ସାମିଙ୍କ ଡିଜେ ନାଇଟ୍ ଆଦି ଅନୁଷ୍ଠିତ ହେବ। ଆଜି ଏହାର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁଙ୍କ ଦ୍ୱାରା ର୍ୟାମ୍ପ ସୋ’, ଓଡ଼ିଶୀ ନୃତ୍ୟ ଏବଂ କିସ୍ କଳାକାରଙ୍କ ଆଦିବାସୀ ଢେମ୍ସା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ସର୍ବାଧିକ ପୁରସ୍କାର ରାଶି ୫୦ଲକ୍ଷ ଟଙ୍କା ରଖାଯାଇଛି।