ଭୁବନେଶ୍ବର: ସର୍ବଭାରତୀୟ ଅନ୍ତଃଜୋନ୍ ବିଶ୍ବବିଦ୍ୟାଳୟ ଚେସ୍ (ପୁରୁଷ) ପ୍ରତିଯୋଗିତାରେ କିସ୍ ବିଶ୍ବବିଦ୍ୟାଳୟ ଭାଗନେବ। ଏହି ପ୍ରତିଯୋଗିତା ଚେନ୍ନାଇର ଏଏମ୍ଇଟି ବିଶ୍ବବିଦ୍ୟାଳୟଠାରେ ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପୂର୍ବାଞ୍ଚଳରୁ କିସ୍ ବିଶ୍ବବିଦ୍ୟାଳୟ ପୁରୁଷ ଦଳ ଯୋଗ୍ୟତା ଅର୍ଜନ କରିଥିଲା।
ସାଜନ କୁମାର ନାୟକ, ବୀରେନ୍ଦ୍ର ରାଇତା, ଅକ୍ଷୟ ସବର ଓ ଉତ୍ତମ ଛତ୍ରିଆଙ୍କୁ ନେଇ ଗଠିତ କିସ୍ ଦଳ ରବିବାର ଚେନ୍ନାଇ ଗସ୍ତ କରିଛି। ଗୌରହରି ମହାପାତ୍ର ଦଳର ପ୍ରଶିକ୍ଷକ ରହିଛନ୍ତି। ଏହି ପ୍ରତିଯୋଗିତାରେ ୪ ଜୋନ୍ (ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ)ରୁ ୧୬ ଦଳ ଭାଗନେବେ। କିସ୍ ଓ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଳର ଶୁଭକାମନା କରିବା ସହ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।