କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିଶୁ ସାହିତ୍ୟ ମହୋତ୍ସବ, ‘ଭଲ ଲେଖକ ହେବା ପାଇଁ ଭଲ ପାଠକ ହେବା ଜରୁରି’

ଚନ୍ଦ୍ରଶେଖରପୁର: ପୁସ୍ତକର ବିକଳ୍ପ ନାହିଁ। ଛାତ୍ରାବସ୍ଥାରେ ପିଲାମାନେ ଲେଖାଲେଖିକୁ ଅଭ୍ୟାସରେ ପରିଣତ କଲେ ଭବିଷ୍ୟତରେ ଜଣେ ଭଲ ଲେଖକ ହୋଇପାରିବେ। ଲେଖିବା ପାଇଁ ସେମାନେ ସୋସିଆଲ ମିଡିଆରୁ ଜ୍ଞାନ ଆହରଣ କରିବା ଅପେକ୍ଷା ବହି ପଢ଼ିବା ଢେର୍‌ ଭଲ। ଜଣେ ଭଲ ଲେଖକ ହେବା ପାଇଁ ଭଲ ପାଠକ ହେବା ଜରୁରୀ। ଛାତ୍ରଛାତ୍ରୀ ଇଣ୍ଟରନେଟ କିମ୍ବା ୱିକିପିଡ଼ିଆକୁ ନକଲ ନକରି ସୃଜନାତ୍ମକ ଭାବେ ନିଜର ଭାବନା ପରିପ୍ରକାଶ କରିବା ଉଚିତ ବୋଲି କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଷଷ୍ଠ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ସ୍ତମ୍ଭକାର ତଥା ସା˚ସଦ ଜୟରାମ ରମେଶ କହିଛନ୍ତି। ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଶ୍ରୀ ରମେଶ କହିଲେ, ଛାତ୍ରଛାତ୍ରୀ ଚାହିଁଲେ ପରିବେଶ ସୁରକ୍ଷିତ ରହିପାରିବ। ଭବିଷ୍ୟତରେ ଆମ ପରିବେଶର କିଭଳି ସୁରକ୍ଷା ହେବ ସେ ଦିଗରେ ଛାତ୍ରଛାତ୍ରୀମାନେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଆମ୍ବାସଡର୍‌ ପଦ୍ମଶ୍ରୀ ରସ୍କିନ୍‌ ବଣ୍ତ୍‌ ଯୋଗଦେଇ କହିଲେ, ଏଭଳି ଶିଶୁ ସାହିତ୍ୟ ମହୋତ୍ସବ ହେଉଛି ଶିଶୁମାନଙ୍କ ପାଇଁ, ଶିଶୁମାନଙ୍କର। ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶରେ ଏହି ଶିଶୁ ସାହିତ୍ୟ ମହୋତ୍ସବ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ। ଅନ୍ୟତମ ମୁଖ୍ୟବକ୍ତା ତଥା ଅଭିନେତ୍ରୀ ନନ୍ଦିତା ଦାସ କହିଲେ, ପଢ଼ିବା ଓ ଲେଖିବା ଦ୍ବାରା ଆମ ଅନ୍ତର୍ନିହିତ ଜ୍ଞାନର ପରିପ୍ରକାଶ ହୁଏ। ଅନ୍ୟାନ୍ୟ ଲେଖା ଅପେକ୍ଷା ଗଳ୍ପ ହେଉଛି ସବୁଠାରୁ ଶକ୍ତିଶାଳୀ। ଛାତ୍ରଛାତ୍ରୀ ଅଧିକରୁ ଅଧିକ ଗଳ୍ପ ପଢ଼ିବା ଉଚିତ। ଏହାଦ୍ବାରା ସେମାନଙ୍କ ଲେଖା ଦକ୍ଷତା ଓ ଭାବନା ଶକ୍ତିର ବିକାଶ ହେବ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏଭଳି ମହୋତ୍ସବ ଶିଶୁଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଉତ୍ସାହ ବୃଦ୍ଧି କରିଥାଏ। ମହୋତ୍ସବରେ ସ୍ବାଗତ ଭାଷଣ ପ୍ରଦାନ କରି ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ କହିଲେ, ଗତ କିଛି ବର୍ଷ ହେଲା ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ବହୁ ଖ୍ୟାତିସମ୍ପନ୍ନ ଲେଖକ, କବି ଓ କଳାକାର ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରୁଛନ୍ତି। ଏଥର ମହୋତ୍ସବର ବିଷୟବସ୍ତୁ ରହିଛି ‘ସାହିତ୍ୟ ଓ ସମାଜ’। ଏଥିରେ ବାକ୍‌ ସ୍ବାଧୀନତା, ରାଜନୀତି, ହି˚ସା, ପରିବେଶ, ଭ୍ରମଣ ଓ ନୀତି ଭଳି ବିଷୟ ଉପରେ ଆଲୋଚନା ହେବ। ଚଳିତବର୍ଷ ଦେଶର ୩୫ଟି ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅ˚ଶଗ୍ରହଣ କରିଛନ୍ତି। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଇ˚ରାଜୀ ସାହିତ୍ୟ ପତ୍ରିକା ‘କ୍ଲାଉଡ -୯’ ସ˚ସ୍କରଣ ଉନ୍ମୋଚିତ ହୋଇଥିଲା। ୧୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଯାପନୀ ଦିବସରେ ମୁମ୍ବାଇର ପ୍ରସିଦ୍ଧ ଆର ଗ୍ରୁପ ପକ୍ଷରୁ ‘ଟୁନି କି କାହାନୀ’ ନାଟକ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର