କିଟ୍’ଲ ସ୍କୁଲ୍‌ରେ ମୁଟକୋର୍ଟ ପ୍ରତିଯୋଗିତା, ୧୦ ସୂତ୍ରୀ ସଫଳତାର ମନ୍ତ୍ର ଦେଲେ ମୁଖ୍ୟ ବିଚାରପତି

ଚନ୍ଦ୍ରଶେଖରପୁର: କିଟ୍’ଲ ସ୍କୁଲ‌୍‌‌ରେ ୭ମ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଝାବେରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆଇନ୍ ଛାତ୍ରଛାତ୍ରୀଙ୍କୁ ୧୦ ସୂତ୍ରୀ ସଫଳତାର ମନ୍ତ୍ର ଦେଇଥିଲେ। ଜଣେ ଆଇନଜ୍ଞ ହେବାକୁ ହେଲେ ଆଇନରେ ବିଭିନ୍ନ ପରିବର୍ତନ ସହ ସର୍ବଦା ଯୋଡ଼ିହେବା, ଇଂରାଜୀ ଭାଷା ଉପରେ ଦକ୍ଷତା ଓ ସମସ୍ତ ଭାଷା ବୁଝିବା ଭଳି ସତର୍କତା ସହ ବ୍ୟବହାର, ମାମଲା ସଂପର୍କରେ ସବିଶେଷ ତଥ୍ୟ ଆହରଣ, ସମୟାନୁବର୍ତିତା, ନିଷ୍ଠା, ନ୍ୟାୟାଳୟର ସମ୍ମାନ ରକ୍ଷା, ପ୍ରତିପକ୍ଷ ପ୍ରତି ଭୟଭୀତ ନହେବା, ବୃତ୍ତି ପ୍ରତି ଉତ୍ସର୍ଗୀକୃତ ମନୋଭାବ, ସଫଳତା ପାଇଁ ସହଜ ବାଟ ନ ଆପଣାଇବା ଆଦି ଦିଗ ପ୍ରତି ଧ୍ୟାନ ଦେବାକୁ ସେ କହିଥିଲେ। ସେହିପରି ଛାୟା ଅଦାଲତ ଆଇନ୍‌ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଥିଲେ।

ଉତ୍ସବରେ କିଟ୍’ଲ ସ୍କୁଲ୍ ନିର୍ଦେଶକ ପ୍ରଫେସର ଏସ୍.ସି ଆଇନା ସ୍ବାଗତ ଭାଷଣ ଦେଇଥିବା ବେଳେ କିଟ୍ ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଛାୟା ଅଦାଲତ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର ପି.କେ ସରକାର ଓ ଆବାହିକା ପ୍ରତିତି ନାୟକ ଉପସ୍ଥିତ ଥିଲେ। ଏଥିରେ ୪୭ଟି ଦେଶର ଆଇନ୍ ବିଶ୍ବବିଦ୍ୟାଳୟ ପ୍ରତିଯୋଗୀ ଭାଗ ନେଇଛନ୍ତି। ପୁରସ୍କାର ରାଶି ୨ଲକ୍ଷ ଟଙ୍କା ରଖାଯାଇଛି। ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାଶ, ଆଡ଼ଭୋକେଟ୍ ଜେନେରାଲ୍ ‌ଅଶୋକ ପରିଜା, ସାଂସଦ ତଥା ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ପିନାକୀ ମିଶ୍ର ଓ ମହାରାଷ୍ଟ୍ର ଜାତୀୟ ଆଇନ୍ ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଭବାନୀ ପ୍ରସାଦ ପଣ୍ଡା ବିଚାରକଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର