କିଟ୍ ମୁଖ୍ୟ ରାସ୍ତାରେ ମୁକୁଳା ଡ୍ରେନ୍: ସ୍ଲାବ୍ ବଦଳରେ ପାଲ

ଚନ୍ଦ୍ରଶେଖରପୁର: କିଟ୍‌ ମୁଖ୍ୟ ରାସ୍ତାରେ ବଡ଼ ଭୟଙ୍କର ଅବସ୍ଥାରେ ରହିଛି ମୁକୁଳା ଡ୍ରେନ୍‌। ଦୀର୍ଘ ଦିନ ଧରି ମୁକୁଳା ପଡ଼ିଥିବାରୁ ଲୋକଙ୍କଠାରୁ ଆରମ୍ଭ କରି ବୁଲା ଗୋରୁଗାଈ ଓ କୁକୁର ଡ୍ରେନ୍‌ ଭିତରେ ଖସି ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବା କିମ୍ବା ଅସ୍ଥାୟୀ ବାଡ଼ ଘେରାଇବା ବଦଳରେ ବିଚିତ୍ର ଢଙ୍ଗରେ ପାଲ ଘୋଡ଼ାଇ ଦେଇଛନ୍ତି। ଫଳରେ ରାତିରେ ଏହି ମୁକୁଳା ଡ୍ରେନ୍‌ ଅଧିକ ବିପଜ୍ଜନକ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କିଟ୍-ଶିଖରଚ଼ଣ୍ଡୀ ମୁଖ୍ୟ ରାସ୍ତା ଫାଲ୍‌କନ୍ ରେସିଡେନ୍ସିକୁ ଲାଗିକି ରହିଛି ଏହି ମୁକୁଳା ଡ୍ରେନ୍। ଏଠାରେ ରାସ୍ତାର ବିପରୀତ ପାର୍ଶ୍ବରୁ ଏକ ଡ୍ରେନ୍‌ ଆସିଥିବା ବେଳେ ମୁଖ୍ୟ ରାସ୍ତା କଡ଼ର ଡ୍ରେନ୍‌ ମିଶିଛି। ତେଣୁ ତିନି ତିନିଟି ଡ୍ରେନ୍‌ ଏଠାରେ ମିଶିଛି। ଫଳରେ ସ୍ବାଭାବିକ ଭାବେ ଏହି ମୁକୁଳା ଅଂଶଟି ବେଶ୍ ବଡ଼ ଅଟେ। ମାତ୍ର ଏହାକୁ ଘୋଡ଼ାଇବାକୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏବେ କେବଳ ଏହି ଅଂଶରେ ସବୁଜ ଜରି ପାଲ ଘୋଡ଼ାଇ ଦିଆଯାଇଛି। ଗତବର୍ଷ ବର୍ଷା ଦିନରେ ଏଠାରେ ବଡ଼ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ଅଧିକ ବର୍ଷା ବେଳେ ଡ୍ରେନ୍‌ ପାଣି ଉଛୁଳି ରାସ୍ତାକୁ ମାଡ଼ି ଆସିଥିଲା। ଏବେ ବି ସମାନ ସ୍ଥିତି ଅଛି। ବର୍ଷା ଦିନ ପାଖେଇ ଆସିଲାଣି। ତେଣୁ ଚଳିତ ବର୍ଷ ବି ପୂର୍ବାବସ୍ଥା ଉପୁଜିବ ବୋଲି ଲୋକେ ଆଶଙ୍କା କରିଛନ୍ତି।

ଏବେ ଦିନ ବେଳା କଥା ଭିନ୍ନ। ଲୋକେ ଦେଖି ଚାହିଁ ଉକ୍ତ ବାଟରେ ଯାତାୟାତ କରୁଛନ୍ତି। କିନ୍ତୁ ରାତିରେ ଜରି ପାଲ ଜଣାପଡ଼ୁନାହିଁ। ଫଳରେ ଡ୍ରେନ୍‌ ମୁକୁଳା ଥିବା କଥା ଜଣାପଡ଼ୁନାହିଁ ଓ ଲୋକେ ଡ୍ରେନ୍‌ ଭିତରକୁ ଗଳିପଡ଼ୁଛନ୍ତି। ସ୍ଥାନୀୟ ବାସିନ୍ଦା ଲୋକନାଥ ସାହୁ କହିଛନ୍ତି ଯେ ଏହି ମୁକୁଳା ଡ୍ରେନ୍ ପାଇଁ ସେମାନେ ବିପଦରେ ଯେତିକି ପଡ଼ୁଛନ୍ତି, ସେମାନଙ୍କ ପରିବେଶ ସେତିକି ଖରାପ ହେଉଛି। ଦୁର୍ଗନ୍ଧ ଭିତରେ ଦିନ କାଟିବାକୁ ପଡୁଛି। ଗୋରୁଗାଈ, ବୁଲା କୁକୁର ଗଳି ପଡ଼ିବା ପରେ ଉଦ୍ଧାର କରାଯାଉଛି। କିନ୍ତୁ ଅନେକ ସମୟରେ କୁକୁରଙ୍କୁ ବାହାର କରି ହେଉନାହିଁ। ଫଳରେ ଡ୍ରେନ୍‌ ଭିତରେ ପଡ଼ି କୁକୁର ମରୁଛନ୍ତି ଓ ପରେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏନେଇ ସ୍ଥାନୀୟ କର୍ପୋରେଟର ମିହିର ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ଏଭଳି ସମସ୍ୟା ନେଇ କେହି ତାଙ୍କୁ ଜଣାଇନାହାନ୍ତି। ତେବେ ସେ ଖୁବ୍‌ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସ୍ଲାବ୍ ପକାଇବା ବ୍ୟବସ୍ଥା କରିବେ।

ସମ୍ବନ୍ଧିତ ଖବର