ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ରାଜୀବ କୁମାର

କିସ୍‌ରେ ୨ଟି ଜାତୀୟ କର୍ମଶାଳା ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ଜାତିସଂଘ ଦ୍ୱାରା ସ୍ଥିରୀକୃତ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଭାରତ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଅଧିକାଂଶ ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ସାମର୍ଥ୍ୟ ବିକାଶ ଉପରେ ଆୟୋଜିତ ଜାତୀୟ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ନିତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର।

ୟୁଏନ୍‌ଏସ୍‌ଏସ୍‌ସିର ମୁଖ୍ୟ ପାଟ୍ରିକ ଭାନ ୱେରେଲ୍ଟ କହିଲେ, ସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ ପାଇଁ ଯେଉଁ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି, ସେଥିପ୍ରତି ସମଗ୍ର ବିଶ୍ୱ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।

କିସ୍‌ରେ ତିନିଦିନ ଧରି ଚାଲିଥିବା ଦୁଇଟି ଜାତୀୟ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟକ୍ରମ କ୍ଷେତ୍ରରେ ସାମର୍ଥ୍ୟ ବିକାଶ ଉପରେ ପ୍ରଥମ ଜାତୀୟ କର୍ମଶାଳାଟି ଜାତିସଂଘ ଷ୍ଟାଫ୍‌ କଲେଜ (ୟୁଏନ୍‌ଏସ୍‌ଏସ୍‌ସି), ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଓ ଜାତିସଂଘ ସ୍ୱେଚ୍ଛାସେବୀ (ୟୁଏନ୍‌ଭି)ର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାଟି ଭାରତରେ କାର୍ଯ୍ୟ କରୁଥିବା ଜାତିସଂଘର ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେହିପରି ନିତି ଆୟୋଗ ସହଯୋଗରେ ସ୍ଥାନୀୟ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ସାମର୍ଥ୍ୟ ବିକାଶ ଉପରେ ଗତକାଲି ଓ ଆଜି ଦୁଇ ଦିନ ଧରି ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଦେଶର ୨୫ଟି ରାଜ୍ୟରୁ ବରିଷ୍ଠ ସରକାରୀ ପଦାଧିକାରୀ ନୀତି ନିର୍ଧାରକ, ଜିଲ୍ଲାସ୍ତରୀୟ ପ୍ରଶାସକ, ବିଭିନ୍ନ ତାଲିମ୍‌ ଅନୁଷ୍ଠାନର ପ୍ରତିନିଧି, ଗବେଷକ ଓ ଭାରତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ୨୦୩୦ କାର୍ଯ୍ୟକ୍ରମ ପୂରଣ ପାଇଁ ନିୟୋଜିତ ଅନ୍ତର୍ଜାତୀୟ ସହଯୋଗୀ ଅଂଶଗ୍ରହଣ କରିଥିଲେ।

ଉଭୟ କର୍ମଶାଳାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ସ୍ଥାୟୀ ବିକାଶ ଲକ୍ଷ୍ୟର ମୂଳ ଉଦ୍ଦେଶ୍ୟ ହେଉଛି ଏକ କ୍ଷୁଧାମୁକ୍ତ ଶାନ୍ତି ଓ ସମୃଦ୍ଧ ବିଶ୍ୱ ଗଠନ। ଏ ଦିଗରେ କିସ୍‌ ଦୀଘ ୨୫ବର୍ଷ ହେଲା କାର୍ଯ୍ୟ କରିଆସୁଛି। ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି.ଆର୍‌. ନାଇଡ଼ୁ, ବଲିଉଡ଼୍‌ ଅଭିନେତା ତଥା ରଗ୍‌ବି ଖେଳାଳି ରାହୁଲ ବୋଷ, ଭାରତରେ ବ୍ରିଟିଶ୍‌ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ଆଲାମ୍‌ ଗେମେଲ୍‌, ଜେଏନ୍‌ୟୁର ପ୍ରାକ୍ତାନ ପ୍ରଫେସର ଆନନ୍ଦ କୁମାର ଏବଂ ଭାରତରେ ଅବସ୍ଥାପିତ ଜାତିସଂଘ ଆବାସିକ ସଂଯୋଗକ ୟୁରି ଆଫାନ୍‌ସିଭ୍‌, ଓଡ଼ିଶା ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର