ୟଙ୍ଗ୍‌ ୟୁନିଭର୍ସିଟି ତାଲିକାରେ କିଟ୍‍ର ସଫଳତା, ରାଜ୍ୟରେ ଶ୍ରେଷ୍ଠ

ଭୁବନେଶ୍ୱର : ବର୍ଷ ୨୦୨୨ ପାଇଁ ଟାଇମ୍‌ସ ହାୟର୍‌ ଏଜୁକେସନ୍‌ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ୟଙ୍ଗ୍‌ ୟୁନିଭର୍ସିଟି ତାଲିକାରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୫୧+ ସ୍ଥାନରେ ରହି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛି। ଭାରତର ଅନେକ ଲବ୍ଧପ୍ରତିଷ୍ଠିତ ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ସର୍ବୋତ୍ତମ ସ୍ଥାନ ଅଧିକାର କରିବା ସହ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଶିକ୍ଷାଦାନ, ଗବେଷଣା, ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଓ ଔଦ୍ୟୋଗିକ ଉତ୍ପାଦନ ଆଦି ୫ଟି ମାନଦଣ୍ଡକୁ ବିଚାରକୁ ନେଇ ଏହି ରୢାଙ୍କିଙ୍ଗ୍‌ କରାଯାଇଥାଏ। ଗତବର୍ଷ ଅର୍ଥାତ୍‌ ୨୦୨୧ରେ ମଧ୍ୟ କିଟ୍‍ ବିଶ୍ୱର ୟଙ୍ଗ ୟୁନିଭର୍ସିଟି ତାଲିକାରେ ୩୦୧+ ସ୍ଥାନରେ ରହିଥିଲା।

ସୂଚନାଯୋଗ୍ୟ, ୫୦ ବର୍ଷରୁ କମ୍‍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ବିଶ୍ୱର ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ପ୍ରତିବର୍ଷ ରାଙ୍କିଙ୍ଗ କରାଯାଇଆସୁଛି। କିଟ୍‍ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ୨୫ବର୍ଷର ଅନୁଷ୍ଠାନ। ଖୁବ୍‌ କମ୍‌ ସମୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା, ଶୈକ୍ଷିକ ପରିବେଶ, ଛାତ୍ର ଓ କର୍ମଚାରୀ ଅନୁକୂଳ ପରିବେଶ ଏବଂ ବିଶେଷକରି ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ଯୋଗୁଁ କିଟ୍‌କୁ ଏଭଳି ସମ୍ମାନ ମିଳିପାରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। କିଟ୍‍ର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗ ଓ ନିଷ୍ଠା‌ ଯୋଗୁଁ ଏହି ସଫଳତା ମିଳିବା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର