କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ

ଛାତ୍ରଛାତ୍ରୀ ଦୁର୍ବଳ ବର୍ଗ ପ୍ରତି ସକାରାତ୍ମକ ଭାବନା ରଖନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଧାରା ବଜାୟ ରଖି ଭାରତକୁ ବିଶ୍ୱସ୍ତରରେ ଜ୍ଞାନ ଅର୍ଥନୀତିରେ ଶୀର୍ଷ ପହଞ୍ଚାଇବା ଦିଗରେ କାର୍ଯ୍ୟ କରି ଆସିଥିବା କିଟ୍‍ ବିଶ୍ୱବିଦ୍ୟାଳୟର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ, ଛାତ୍ରଛାତ୍ରୀମାନେ ଆହରଣ କରିଥିବା ଜ୍ଞାନ ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହେବ। ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟତା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ଏହି ଉତ୍କର୍ଷତା ନେଇ ସେମାନେ ଯେଉଁ ସଫଳତା ହାସଲ କରିବ ତାହା ସମାଜର ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ପାଇଁ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ। ସଂପ୍ରତି ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି -୨୦୨୦ ଜରିଆରେ ଭାରତରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

କରୋନା କଟକଣା ମଧ୍ୟରେ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‌ରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟଳୟ ପକ୍ଷରୁ ବିଶିଷ୍ଟ ଆଧ୍ୟାତ୍ମିକ ସ୍ବାଧ୍ୱୀ ମାତା ଅମୃତାନନ୍ଦମୟୀ ଦେବୀ (ଆମ୍ମା)ଙ୍କୁ ସମ୍ମାନସୂଚକ ଡିଲିଟ୍‍ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ‘ଏନାମ୍‍ ଗ୍ରୁପ୍‍ ଏବଂ ଦେଶ ଆପନାଏଁ ସହଯୋଗ ଫାଉଣ୍ଡେସନ୍‍’ର ପ୍ରତିଷ୍ଠାତା ତଥା ଫ୍ଲେମ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ବଲ୍ଲଭ ଭନଶାଲି ଓ ଫ୍ରାନସର ବିଶିଷ୍ଟ ରସାୟନ ନୋବେଲ୍‍ ବିଜେତା ପ୍ରଫେସର ଜିନ୍‍ ମାରି ଲେନଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍‍ ଉପାଧି ପ୍ରଦାନ କରାଯାଇଥିଲା। କରୋନା ମହାମାରୀ ସତ୍ତ୍ୱେ କିଟ୍‌ର ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିଛନ୍ତି ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ପ୍ରଫେସର ଡ. ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ସସ୍ମିତା ସାମନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମାବର୍ତ୍ତନ ଉତ୍ସବରେ କିଟ୍‍ ବିଶ୍ୱବିଦ୍ୟାଳୟର ୨୦୨୦-୨୧ ବ୍ୟାଚର ମୋଟ ୭୦୩୨ ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ୍‍ ମୋଡରେ ଡିଗ୍ରି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୁଷ କୁମାର, ବାସେଲ୍‍ ନାସର ଏବଂ ସୁଧାଂଶୁ ଉପାଧ୍ୟାୟଙ୍କୁ ଚଳିତବର୍ଷର ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୨୨ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୩୧ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ନନୀବାଳା ସ୍ୱର୍ଣ୍ଣପଦକ, ଶ୍ରୀକୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ପି.କେ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଦିଆଯାଇଥିବା ବେଳେ ୬୧ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର