‘କିକି ଚାଲେଞ୍ଜ୍‌’: ଟ୍ଵିଟ୍‌ କରି ସଚେତନ କଲା ପୁଲିସ, ଅଭିଯୋଗ ହେଲେ ୨ବର୍ଷ ଜେଲ୍‌, ଜରିମାନା

କଟକ(ଦୀପ୍ତିରଂଜନ ସାମଲ): ‘ବ୍ଲୁ-ହେ୍ଵଲ୍‌’ ଗେମ୍‌ ପରେ ଏବେ ‘କିକି ଚାଲେଞ୍ଜ’ ଆତଙ୍କ। ସାରା ବିଶ୍ୱରେ ଚହଳ ପକାଇଲାଣି ‘କିକି ଚାଲେଞ୍ଜ’ ଭିଡିଓ। ଚଳନ୍ତା କାର୍‌ରୁ ବାହାରି ରାସ୍ତାରେ ନାଚିବା ଏବଂ ପୁଣି କାର୍‌ ଭିତରକୁ ଆସିବାକୁ ଚେଷ୍ଟା କରିବା ଭଳି ଚାଲେଞ୍ଜ୍‌ ଏହି ଭିଡିଓ ଆହ୍ଵାନ ଦେଉଛି। ଯୁବପିଢି ଏଥିପ୍ରତି ଆକର୍ଷିତ ହେବା ସହ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ୍‍ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଏ ଚାଲେଞ୍ଜ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ବେଳେ କେତେକ ସ୍ଥଳରେ ଲୋକଙ୍କ ଜୀବନ ଯାଉଥିବା ଭଳି ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ଯଦିଓ ଓଡ଼ିଶାରେ ଏହି ଚାଲେଞ୍ଜ ଅଧିକ ମାତ୍ରାରେ ବ୍ୟାପି ନାହିଁ, କିନ୍ତୁ ବ୍ଲୁ-ହେ୍ଵଲ ପରି ଅନେକ ଯୁବପିଢି ଏହାର ଶିକାର ହେବା ନେଇ ପୁଲିସ୍‌ ଆଶଙ୍କା କରିଛି। ସେଥିପାଇଁ ସୋସିଆଲ୍‌ ମିଡିଆରେ ଓଡ଼ିଶା ପୁଲିସ୍‌ ପକ୍ଷରୁ ଏ ଭିଡିଓ ପ୍ରତି ସତର୍କ ରହିବାକୁ ସଚେତନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ଏବଂ ପୁଲିସ ଡିଜିଙ୍କ ଟ୍ଵିଟର ହାଣ୍ଡେଲରୁ ସଚେତନତାମୂଳକ ଟୁଇଟର କରାଯାଇଛି।

କାନାଡ଼ାର ର‍୍ୟାପ୍‌ ମ୍ୟୁଜିସିଆନ୍‌ ତଥା ଅଭିନେତା ଅବ୍ରେ ଡ୍ରେକ୍‌ଙ୍କ ମ୍ୟୁଜିକ୍‌ ଆଲ୍‌ବମ୍‌ ‘ସ୍କରପିଅନ୍‌’ର ଗୀତ ‘କିକି, ଡୁ ୟୁ ଲଭ୍‌ ମି?’ ଗୀତ ସୋସିଆଲ୍‌ ମିଡିଆରେ ଚହଳ ପକାଇଛି। ହେଲେ ‘କିକି ଚାଲେଞ୍ଜ’କୁ ଡ୍ରେକ୍‌ଙ୍କ ପରିବର୍ତ୍ତେ କମେଡିଆନ୍‌ ସିଗ୍‌ଗି ‘କିକି’ ଗୀତରେ ରାସ୍ତା ଉପରେ ନାଚିବା ସହ ତାହାକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଅପଲୋଡ୍‌ କରିଥିଲେ। ଏହିପରି ରାସ୍ତାରେ ନାଚିବାକୁ ବି ସେ ଚାଲେଞ୍ଜ ଦେଇଥିଲେ। ଉକ୍ତ ଭିଡିଓକୁ ସେତେବେଳେ ତାଙ୍କର ୧.୪ ମିଲିଅନ୍‌ ପ୍ରଶଂସକ ପସନ୍ଦ କରିବା ସହ ସେହିଠାରୁ ଧୀରେଧୀରେ ସୋସିଆଲ୍‌ ମିଡିଆରେ ‘କିକି ଚାଲେଞ୍ଜ’ ଭିଡିଓ ବହୁଳ ମାତ୍ରାରେ ଅପ୍‌ଲୋଡ ହୋଇଥିଲା।

ଏବେ ଭାରତରେ ମଧ୍ୟ ଏହି ଚାଲେଞ୍ଜକୁ ଅନେକ ସେଲିବ୍ରେଟି ଓ ସାଧାରଣ ଯୁବକ ଯୁବତୀମାନେ ଗ୍ରହଣ କରି ଭିଡିଓ ଅପଲୋଡ୍‌ କରୁଛନ୍ତି। ଅନେକ ସ୍ଥାନରେ ନାଚୁଥିବା ଯୁବକ ଯୁବତୀ ଦୁର୍ଘଟଣାର ଶିକାର ହୋଇଥିବା ଭିଡିଓ ରେକର୍ଡ କରାଯାଇଛି। ଅବଶ୍ୟ ଓଡ଼ିଶାରେ ହାତଗଣତି କେତୋଟି ଭିଡିଓ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ଘଟଣା ଖବର ଆସିନାହିଁ। ତେଣୁ ଏବେଠାରୁ କେବଳ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା କରାଯାଉଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି। ହେଲେ ଏଭଳି କରି ନିଜର ଓ ସାଧାରଣ ଲୋକଙ୍କ କ୍ଷତି କରାଯାଉଛି। ତେଣୁ ଏଭଳି ଚାଲେଞ୍ଜଠୁ ଦୂରେଇ ରହିବାକୁ ଡିସିପି ଅନୁରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଚାଲେଞ୍ଜ ସଂପର୍କିତ କୌଣସି ଅଭିଯୋଗ ଆସିନାହିଁ। ଯଦି କେହି ଅଭିଯୋଗ କରନ୍ତି ତାହେଲେ ଆଇନ୍‌ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଚାଲେଞ୍ଜ ଟ୍ରାଫିକ୍‌ ନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ଟ୍ରାଫିକ୍‌ ଏସିପି ପ୍ରଦୀପ କୁମାର ଦଳେଇ କହିଛନ୍ତି। ମୋଟର ଭେହିକିଲ୍‌ ଆଇନ୍‌ର ଧାରା ୧୭୭ଅନୁଯାୟୀ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଥିଲା ବେଳେ ଆଇପିସିରେ ଦଣ୍ଡବିଧାନ ରହିଛି। ଆଇପିସି ଦଫା ୨୭୯ ଅନୁଯାୟୀ ୬ମାସ ଜେଲ୍‌ ଓ ୧ହଜାର ଟଙ୍କା ଜରିମାନା, ଦଫା ୩୩୭ ଅନୁଯାୟୀ ୬ମାସ ଜେଲ୍‌ ଓ ୫୦୦ ଟଙ୍କା ଜରିମାନା, ଦଫା ୩୩୮ରେ ବର୍ଷ ଜେଲ୍‌ ଓ ୧ହଜାର ଟଙ୍କା ଜରିମାନା ଭଳି ଦଣ୍ଡ ରହିଥିବା ଟ୍ରାଫିକ୍‌ ଏସିପି ଶ୍ରୀ ଦଳେଇ କହିଛନ୍ତି। ତେଣୁ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ମଧ୍ୟ ଦୁର୍ଘଟଣାର ଶିକାର ନକରିବା ପାଇଁ ଏଭଳି ଚାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର