ଭୁବନେଶ୍ବର: ଦାମ୍ପତ୍ୟ କଳହକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥବିହାରସ୍ଥିତ ଲେନ୍-୧ ବସ୍ତିରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିବାକୁ ଉଦ୍ୟମ କରିବା ବେଳେ ଅଭିଯୁକ୍ତ ସ୍ବାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପାଖ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ସେମାନେ ହେଲେ, କୁଳମଣି ସାହୁ ଓ ତାଙ୍କ ପତ୍ନୀ ପ୍ରଭାତୀ ପାଇକରାୟ। ଏ ସଂପର୍କରେ ଭରତପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।
ପ୍ରଭାତୀଙ୍କ ପରିବାରଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ ମାସ ହେଲା ନିଶା ଖାଇବାକୁ କେନ୍ଦ୍ର କରି ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ଏପରିକି ଦୁହିଁଙ୍କ ଭିତରେ କଳି ଏତେ ବଢ଼ି ଯାଇଥିଲା ଯେ କିଛି ଦିନ ତଳେ ପ୍ରଭାତୀ ଭରତପୁର ଥାନାର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଥିଲେ। ସେ ଅଭିଯୋଗ କରିଥିଲେ ଯେ କୁଳମଣି ନିଶାସକ୍ତ ଅବସ୍ଥାରେ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ବିଭିନ୍ନ ସମୟରେ ମାରପିଟ୍ କରିବା ସହ ମାନସିକ ନିର୍ଯାତନା ବି ଦେଉଛନ୍ତି। ପୁଲିସ କୁଳମଣିଙ୍କୁ ଥାନାକୁ ଡକାଇ ତାଗିଦ୍ କରି ଛାଡ଼ି ଦେଇଥିଲା। କିନ୍ତୁ ଏହା ସତ୍ତ୍ବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥମି ନଥିଲା। କିଛି ଦିନ ପରେ ପୁଣି କୁଳମଣି ତାଙ୍କୁ ମାରଧର କରିବା ଆରମ୍ଭ କରିଥିଲେ। ଗତ ରାତି ପ୍ରାୟ ୧୧ଟା ବେଳେ ପ୍ରଭାତୀ ପୁଣିଥରେ କୁଳମଣିଙ୍କ ବିରୋଧରେ ସମାନ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଥିଲେ।
ପିସିଆର୍ ରାତାରାତି କୁଳମଣିଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା। କିନ୍ତୁ ୨ଘଣ୍ଟା ପରେ ପୁଲିସ କୁଳମଣିଙ୍କୁ ଛାଡ଼ି ଦେବାରୁ ଏହି ଅଘଟଣ ଘଟିଲା ବୋଲି ପ୍ରଭାତୀଙ୍କ ପରିବାରଲୋକ କହିଛନ୍ତି। ସେମାନଙ୍କ କହିବା କଥା, କୁଳମଣି ଥାନାରୁ ଛାଡ଼ ପାଇଯିବା ପରେ ବିଳମ୍ବିତ ରାତିରେ ଘରେ ପହଞ୍ଚି ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଥାନାରେ କାହିଁକି ଅଭିଯୋଗ କଲୁ କହି ପ୍ରଭାତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ପରେ ତାଙ୍କୁ ରୋଷେଇ ଘରକୁ ଘୋଷାଡ଼ି ନେଇ ଗ୍ୟାସ୍ ଟାଙ୍କିରେ ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲା। ଏଥିରେ ପ୍ରଭାତୀ ପୋଡ଼ିଯିବା ସହ କୁଳମଣି ବି ପୋଡ଼ି ଯାଇଥିଲେ।