ସ୍ତ୍ରୀକୁ ମାରିଦେଲା: ବାସୁଆଘାଇରେ ହଇଚଇ

ବାଲିଗଦାରେ ମହିଳାଙ୍କ ଶବ, ସ୍ବାମୀ ଅଟକ

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ତ୍ରୀକୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି ସ୍ବାମୀ। ଗତକାଲି ରାତିରେ ସହିଦନଗର ଥାନା ବାସୁଆଘାଇ ଦୁର୍ଗାପୁରପାଟଣା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାସ ତା’ ସ୍ତ୍ରୀ ଲିଲିଙ୍କୁ ନିର୍ଦ୍ଦୟ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ସୌଭାଗ୍ୟକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଘର ପାଖ ବାଲିଗଦା ଉପରୁ ଲିଲିଙ୍କ ରକ୍ତାକ୍ତ ମୃତଦେହକୁ ଜବତ କରିବା ପରେ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

ଆଜି ସକାଳୁ ଦୁର୍ଗାପୁରପାଟଣା ଗାଁରେ ହଇଚଇ ଖେଳିଯାଇଥିଲା। ସୌଭାଗ୍ୟର ଘର ସମ୍ମୁଖରେ ବାଲିଗଦା ଉପରେ ଲିଲିଙ୍କ ମୃତଦେହ ପଡ଼ିଥିଲା ଓ ପାଖରେ ସେ ବସିଥିବା ଗାଁ ଲୋକେ ଦେଖିଥିଲେ। ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ଥଳକୁ ଗାଁ ଲୋକଙ୍କ ସୁଅ ଛୁଟିଥିଲା। ଗତ ରାତିରେ ତାଙ୍କ ଘରେ ଗଣ୍ଡଗୋଳ ଘଟିଥିବାରୁ ଓ ସୌଭାଗ୍ୟ ତା’ ବାପାକୁ ନିସ୍ତୁକ ମାଡ଼ ମାରିଥିବାରୁ ଲିଲିଙ୍କୁ ବି ସେ ହତ୍ୟା କରିଛି ବୋଲି ଗାଁ ଲୋକେ ଅଭିଯୋଗ କରିଥି‌ଲେ। ତେଣୁ କିଛି ଲୋକ ତା’କୁ କାବୁ କରି ବହେ ଛେଚିବା ପରେ ଏକ ଘରେ ବନ୍ଦ କରି ପୁଲିସକୁ ଫୋନ୍‌ କରିଥିଲେ।

ଖବର ପାଇ ଏସିପି ସଞ୍ଜୀବ ଶତପଥୀ, ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲିଲିଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ମୁହଁ ଓ ବେକରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଥିଲା। ନିସ୍ତୁକ ପିଟିବା ପରେ କୌଣସି ଏକ ଓଜନିଆ ବସ୍ତୁରେ ମୁଣ୍ଡକୁ ପିଟିଦେବାରୁ ଲିଲିଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିବା ପୁଲିସ ସୂଚନା ଦେଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଲିଲିଙ୍କ ରକ୍ତଭିଜା ଶାଢ଼ି ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଛି।

ଗତରାତିରେ କ’ଣ ଘଟିଥିଲା

ଅଭିଯୁକ୍ତ ସୌଭାଗ୍ୟର ବାପାଙ୍କ କହିବା କଥା ଗତ କିଛି ବର୍ଷ ହେଲା ତା’ଠାରେ ମାନସିକବିକୃତି ଦେଖାଦେଇଥିଲା। ସବୁବେଳେ ଚିଡ଼ିଚିଡ଼ି ହୋଇ ଘରେ ସମସ୍ତଙ୍କୁ ମାର୍‌ଧର କରୁଥିଲା। ତେଣୁ ଘରୁ ଅଲଗା ହୋଇ ସେ, ସ୍ତ୍ରୀ ଲିଲି ଓ ଛୋଟ ଝିଅକୁ ଧରି ଗାଁରେ ଅଲଗା ରହୁଥିଲା। ଗତକାଲି ରାତିରେ ହଠାତ୍ ତା’ଠାରେ ପୁଣି ପାଗଳାମି ଦେଖାଯାଇଥିଲା। ବୋହୂ ଲିଲିଙ୍କଠାରୁ ଖବର ପାଇ ସେ ପୁଅକୁ ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ସୌଭାଗ୍ୟ ଅଧିକ ରାଗି ଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଗାଁ ଲୋକେ ତାଙ୍କୁ ଉଦ୍ଧାର କରିନଥିଲେ, ସେ ତାଙ୍କୁ ମାରିଦେଇଥା’ନ୍ତା। ତେବେ ସେ ଘରକୁ ଫେରିଆସିବା ପରେ ବୋହୂ ଲିଲି ଛୋଟ ଝିଅକୁ ସେମାନଙ୍କ ପାଖରେ ଛାଡ଼ି ସୌଭାଗ୍ୟକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ବିଳମ୍ବିତ ରାତିରେ ସେମାନେ ହସ୍ପିଟାଲରୁ ଫେରିଥିଲେ ଓ ସେମାନଙ୍କ ପାଖରୁ ଝିଅକୁ ନେଇ ଘରକୁ ଯାଇଥିଲେ। ରାତିରେ କ’ଣ ହେଲା, ସେ ଆଉ ଜାଣିନଥିଲେ। ସକାଳୁ ଗାଁ ଲୋକଙ୍କଠାରୁ ବୋହୂ ଲିଲିଙ୍କ ମୃତ୍ୟୁ କଥା ଜାଣିବାକୁ ପାଇଲେ।

ଏଣେ କୁନି ଝିଅଟି କହିଛି ଯେ ବାପା ମା’କୁ ବହୁତ ବାଡ଼େଇଥିଲେ। ନାକ ଓ ଗାଲକୁ ବାଡ଼େଇଥିଲେ। ଭୟରେ ସେ ଶୋଇପଡ଼ିଥିଲେ ଓ ଉଠିବା ବେଳକୁ ମା’ ମରିଯାଇଥିଲା। ଏଣେ ସୌଭାଗ୍ୟର ମା’ ଭିନ୍ନ କଥା କହିଛନ୍ତି। ପୁଅ ମାନସିକବିକାରଗ୍ରସ୍ତ ବୋଲି ସ୍ବୀକାର କରିଥିଲେ ବି ସେ ତା’ ସ୍ତ୍ରୀ ଲିଲିକୁ କେବେ ହତ୍ୟା କରିନାହିଁ ବୋଲି ସେ ଦାବି କରିଛନ୍ତି। ତାଙ୍କ କହିବା କଥା ପୁଅ ସୌଭାଗ୍ୟ ଲିଲିକୁ ବହୁତ ଭଲ ପାଉଥିଲା। କଳି ପାଇଁ ହୁଏତ ମାର୍‌ଧର କରିଛି। କିନ୍ତୁ ବୋହୂ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏହାକୁ ପ୍ରମାଣ କରିବାକୁ ଯାଇ ସେ ଏକ ରୁମ୍‌ରେ ବଙ୍କା ହୋଇଥିବା ଫ୍ୟାନ୍‌କୁ ଦେଖାଇଥିଲେ। ଆତ୍ମହତ୍ୟା କରିବାକୁ ଉକ୍ତ ଫ୍ୟାନ୍‌ରେ ଲିଲି ଝୁଲି ପଡ଼ିଥିବା ସେ ଦାବି କରିଛନ୍ତି। ପୁଲିସ ଉକ୍ତ ରୁମ୍‌ରେ ବି ଛାନ୍‌ଭିନ୍ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଲିଲିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ତେବେ ପୁଲିସ ସୂଚନାନୁସାରେ ଲିଲିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବହୁତ ମାଡ଼ ହୋଇଥିବା ସ୍ପଷ୍ଟ।

ସମ୍ବନ୍ଧିତ ଖବର