ଭୁବନେଶ୍ୱର: ହୃଦ୍ଘାତ ରୋଗୀଙ୍କୁ ବଞ୍ଚାଇବ ଗ୍ୟାଜେଟ୍। କିମସ୍ର ଡାକ୍ତରମାନେ ପ୍ରଯୁକ୍ତିବିଦ୍ୟାର ସହାୟତାରେ ଏଭଳି ଏକ ଗ୍ୟାଜେଟ୍ର ବିକାଶ କରିଛନ୍ତି। ସେମାନେ ଏହାର ନାମ ‘ସଂଜୀବନୀ’ ରଖିଛନ୍ତି। ଏହି କାର୍ଡିଓ ପଲ୍ମୋନାରି ରିସାଇଟେସନ୍ ପ୍ରୋସିଡ୍ୟୁୟର୍(ସିପିଆର୍) ଦ୍ବାରା ହୃଦ୍ଘାତର ଶିକାର ହୋଇଥିବା ରୋଗୀଙ୍କ ବଞ୍ଚିବାର ଆଶା ୩ଗୁଣା ହୋଇପାରିବ ବୋଲି କିମ୍ସ ଡାକ୍ତରମାନେ ଦାବି କରିଛନ୍ତି। ଡାକ୍ତରଙ୍କ ମତରେ ହୃଦ୍ଘାତର ଶିକାର ହେଉଥିବା ପ୍ରାୟ ୮୫ ଭାଗ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତରୁ କମ୍ ଲୋକ ହିଁ ବଞ୍ଚିଥା’ନ୍ତି।
ହୃଦ୍ଘାତର ପ୍ରାୟ ୬ ମିନିଟ୍ ପରେ ହୃତ୍ପିଣ୍ଡ ଏବଂ ମସ୍ତିଷ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଫଳରେ ବ୍ୟକ୍ତିଜଣଙ୍କର ମୃତ୍ୟୁ ଘଟିଥାଏ। ଏହି ସମୟ ମଧ୍ୟରେ ବ୍ୟକ୍ତିକୁ ସିପିଆର୍ ପ୍ରଣାଳୀ ଦ୍ୱାରା ବଞ୍ଚାଯାଇପାରିବ। ଏହି ସିପିଆର୍ ପଦ୍ଧତି ଠିକ୍ ସମୟରେ ଶୀଘ୍ର ଆରମ୍ଭ ହେଲେ ରୋଗୀର ବଞ୍ଚିବାର ଆଶା ୩ ଗୁଣ ବୃଦ୍ଧି ପାଇଥାଏ। ଏହି ଜରୁରୀକାଳୀନ ପରିସ୍ଥିତିରେ ପରିବାର ସଦସ୍ୟ, ବନ୍ଧୁ କିମ୍ବା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ରୋଗୀକୁ ସିପିଆର୍ ଦେବାକୁ ପଡ଼ିବ। ଏଥିରେ ‘ସଞ୍ଜୀବନୀ’ ଗ୍ୟାଜେଟ୍ଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କାର୍ଡିଆକ୍ ଆନାସ୍ଥେସିଆର ଆସୋସିଏଟ୍ ପ୍ରଫେସର ଡା. ଅଶୋକ କୁମାର ବଡମାଳୀ କହିଛନ୍ତି।
ସମସ୍ତ ଆଞ୍ଚଳିକ ଭାଷାରେ ସୂଚନା ରହିବା ସହ ଏହାକୁ ସହଜରେ ଚଳାଇ ହେବ। ମଣିଷ ହାତ ପାପୁଲିଲେ ସାଧାରଣତଃ ୨୦ରୁ ଅଧିକ ଛୋଟବଡ଼ ହାଡ଼ ଥାଏ। ଫଳରେ ପାପୁଲିକୁ ୯୦ଡିଗ୍ରିରେ ରଖି ସିପିଆର୍ ଦେବା କଷ୍ଟକର ହୋଇଥାଏ। କିନ୍ତୁ ସଞ୍ଜୀବନୀ ଗ୍ୟାଜେଟ୍ରେ ଏହା ସହଜରେ ସମ୍ଭବ ହୋଇଥାଏ ବୋଲି ସେ କହିଛନ୍ତି।
କିଟ୍ ଟିବିଆଇ ଜରିଆରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର କାର୍ଯ୍ୟକ୍ରମ ‘ନିଧି ପ୍ରୟାସ ଗ୍ରାଣ୍ଟ’ ସହାୟତାରେ ଏହି ଗ୍ୟାଜେଟ୍କୁ ପ୍ରାରମ୍ଭିକ ରୂପ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ଡା. ବଡ଼ମାଳୀଙ୍କୁ ଏହି ଗ୍ୟାଜେଟ୍ ପ୍ରସ୍ତୁତ ନିମନ୍ତେ ସର୍ବୋଚ୍ଚ ଅନୁଦାନ ମଞ୍ଜୁର କରିଛନ୍ତି। ଏହି ଗ୍ୟାଜେଟ୍ଟି ବିଭିନ୍ନ ସ୍ଥାନରେ ଉଚ୍ଚପ୍ରଶଂସିତ ମଧ୍ୟ ହୋଇଛି।