ଭୁବନେଶ୍ବର: ଗ୍ରୀକ୍‌ର ଅନ୍ୟତମ ସମୃଦ୍ଧ ନଗରୀ ‘ଥିବସ୍‌’ର ରାଜା ଲାୟସ୍‌। ଏକଦା ଧର୍ମଦେବତା ଆପୋଲୋ ଭବିଷ୍ୟବାଣୀ କରନ୍ତି ଯେ ନିଜ ପୁଅ ହାତରେ ଲାୟସ୍‌ଙ୍କ ଜୀବନ ଯିବ। ଧର୍ମଦେବତାଙ୍କ ଏହି ଭବିଷ୍ୟବାଣୀ ରାଜାଙ୍କୁ ବିଚଳିତ କରେ। କ’ଣ କରିବେ, କିଛି ବୁଝିପାରନ୍ତି ନାହିଁ। ଶେଷରେ ନିଜ ଜୀବନ ରକ୍ଷା ପାଇଁ ସେ ନିଜ ସଦ୍ୟଜାତ ଶିଶୁପୁତ୍ରକୁ ମେଷପାଳକ ଭୃତ୍ୟ ହାତରେ ଟେକି ଦିଅନ୍ତି। କିଥେରନ୍‌ ପାହାଡ଼କୁ ଫିଙ୍ଗି ଶିଶୁପୁତ୍ରକୁ ହତ୍ୟା କରିବାକୁ ଆଦେଶ ଦିଅନ୍ତି। କିନ୍ତୁ କଅଁଳ ଛୁଆର ମୁହଁ ଦେଖି ମେଷ ପାଳକର ହାତ ଯାଏନି। ସେ ପଡ଼ୋଶୀ କୋରନ୍ଥନଗରୀର ନିଃସନ୍ତାନ ରାଜା ପଲିବସ୍‌ ଓ ରାଣୀ ମେରୋପିଙ୍କ ହାତକୁ ଶିଶୁପୁତ୍ରକୁ ଟେକି ଦିଏ।

Advertisment

ସେହି ଶିଶୁଟି ବଡ଼ ହୋଇ ନିଜ ଅଜାଣତରେ ପିତା ଲାୟସ୍‌ଙ୍କୁ ହତ୍ୟା କରି ବସେ ଓ ‘ଥିବସ୍‌’ର ରାଜଗାଦି‌ରେ ଅଭିଷିକ୍ତ ହୁଏ। ୨୫ ଶହ ବର୍ଷ ତଳର କାଳଜୟୀ ଗ୍ରୀକ୍‌ ନାଟକ ‘ରାଜା ଇଡ଼ିପସ୍‌’ର ଏହି ଘଟଣାକ୍ରମ ଆଜି ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା। ‘ହୃଦୟ’ ଅନୁଷ୍ଠାନର କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମଞ୍ଚ ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ନାଟକର ପ୍ରତିଟି ମୁହୂର୍ତ୍ତ ଦର୍ଶକଙ୍କ ମନରେ ଜିଜ୍ଞାସା ଭରି ଦେଉଥିଲା।

ସଫୋକ୍ଲିସ୍‌ଙ୍କ ରଚିତ ଏହି ନାଟକକୁ ପ୍ରଫେସର୍‌ ରମାକାନ୍ତ ମିଶ୍ର ଓଡ଼ିଆ ଭାଷାନ୍ତର ଓ ନିର୍ଦ୍ଦେଶନା ଦେଇଥିଲେ। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା, କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ, ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ ଅତିଥି ଭାବେ ଯୋଗ‌ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମଧୁମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ‘ହୃଦୟ’ର ସମ୍ପାଦକ ସନ୍ତୋଷ ପଣ୍ଡା ଧନ୍ୟବାଦ ଦେଇଥିଲେ।