ଭୁବନେଶ୍ୱର: ରସଗୋଲା..। ବାସ୍ ଏତିକି ଶବ୍ଦ କାନରେ ପଡ଼ିଗଲେ ଜିଭ ସମ୍ଭାଳ ପଡ଼େନି। ନଜର ପଡ଼ିଲେ ନଖାଇ ଲେଉଟି ହୁଏନି। ବଜାରରେ ରକମ ରକମର ମିଠା ଉପଲବ୍ଧ। ମାତ୍ର ମିଠା ଭିତରେ ଏବେ ବି ରାଜା ରସଗୋଲା..। ଗୁଲାପ ଜାମୁନ, ଅନାରକଲି, ହୀରାମଣି, ମଲାଇ ଚପ୍, କେଶର ପେଡ଼ା, ସନ୍ଦେଶ ଆଦି ଶତାଧିକ ମିଠା ରହିଛି। ମାତ୍ର ମିଠା କଥା ପଡ଼ିଲେ ମନ ଆଗେ ଖୋଜେ ରସଗୋଲା। ମିଠା ରଙ୍କୁଣାଙ୍କ ମନ ଚାହିଁ ପାହାଳରେ ଖୋଲିଛି ବୃହତ୍ ରସଗୋଲା ବଜାର। ଆସନ୍ତାକାଲି ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସଜେଇ ହେଉଛି ରାଜଧାନୀର ରସଗୋଲା ବଜାର।
ସୁଗାର୍ଫ୍ରି ଓ ଗୁଡ଼ ରସଗୋଲା
ମଧୁମେହ ରୋଗୀଙ୍କ ସଂଖ୍ୟାର ଅନୁପାତ ଏତେ ପରିମାଣରେ ବଢ଼ୁଛି ଯେ, ରସଗୋଲା ଖାଇବାକୁ ମନ ଲୋଡ଼ୁଥିଲେ ବି ଖାଇପାରୁନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁଗାର ଫ୍ରି ଲିକୁଇଡ୍ ମିଶାଇ ସୁଗାର ଫ୍ରି ପ୍ରସ୍ତୁତ ହେଉଛି। ସେହିଭଳି ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିଙ୍କୁ ରସଗୋଲା ପ୍ରତି ଆକର୍ଷଣ ଜନ୍ମେଇବା ପାଇଁ ଗୁଡ଼ରେ ନିର୍ମିତ ରସଗୋଲା ପ୍ରସ୍ତୁତ ହେଉଛି ବୋଲି ନିମାପଡ଼ା ସ୍ୱିଟ୍ସର ସ୍ୱତ୍ତ୍ୱାଧିକାରୀ ତଥା ଉତ୍କଳ ମିଠା ବ୍ୟବସାୟୀ ସଂଘର ସଭାପତି ବିମ୍ବାଧର ବେହେରା କହିଛନ୍ତି।
ରସଗୋଲାରେ ଫ୍ଲେଭର
ରସଗୋଲାରେ ରୁଚି ରଖୁଥିବା ଲୋକଙ୍କ ସ୍ୱାଦକୁ ଦୃଷ୍ଟିରେ ରଖି ଉପଲବ୍ଧ ହେଲାଣି ଫ୍ଲେଭର୍ ରସଗୋଲା। ରାଜଭୋଗ, ବ୍ରାଉନ୍ ରସଗୋଲା ପ୍ରାୟ ସବୁବେଳେ ଉପଲବ୍ଧ ହୁଏ। କିନ୍ତୁ ଅର୍ଡର ଦେଲେ ନଚେତ୍ ରସଗୋଲା ଦିବସ ଆସିଲେ କିଛି ନିର୍ଦିଷ୍ଟ ମିଠା ଦୋକାନରେ ଫ୍ଲେଭର୍ ରସଗୋଲା ସଂଖ୍ୟା ବଢ଼ିଯାଏ। ପୁଦିନା, ତୁଳସୀ, ଆମ୍ବ, ଭାନିଲା, ପାଲକ, ଗାଜର, ଷ୍ଟ୍ରବେରି ଓ ଆଇସ୍କ୍ରିମ୍ ରସଗୋଲା ମଧ୍ୟ ଉପଲବ୍ଧ ହୁଏ ବୋଲି କହିଛନ୍ତି ଭେନସ୍ ଇନ୍ର କେ. ମାନସ ରଂଜନ। ଏହାର ଦର ୧୨ରୁ ୧୫ ଟଙ୍କା ରହୁଥିବା ବେଳେ ଷ୍ଟ୍ରବେରି ଓ ଆଇସ୍କ୍ରିମ୍ ରସଗୋଲା ଦର ୨୦ ଟଙ୍କା ରୁହେ। କଳ୍ପନାରୁ ରବି ଟକିଜ୍ ଦିଗରେ ଯାଇଥିବା ରାସ୍ତା କଡ଼ ଭାଇ ଭାଇ ରସଗୋଲା ଦୋକାନରେ ୫୦ରୁ ୫୦୦ ଟଙ୍କିଆ ରସଗୋଲା ବି ଉପଲବ୍ଧ ହୁଏ।
ରାଜ୍ୟ ବାହାରେ ବି ଓଡ଼ିଶା ରସଗୋଲା ଚାହିଦା
ସାଲେପୁରର ବିକଳାନନ୍ଦ ରସଗୋଲା କେବଳ ଓଡ଼ିଶାରେ ସୀମିତ ନାହିଁ ବରଂ ରାଜ୍ୟ ବାହାରକୁ ରପ୍ତାନୀ ହେଉଛି ବୋଲି କହିଛନ୍ତିି ସ୍ୱତ୍ତ୍ୱାଧିକାରୀ ପ୍ରଦୀପ୍ତ କୁମାର କର। ଭୁବନେଶ୍ୱରରେ ସ୍ୱିଟ୍ସ ଷ୍ଟୋର୍ରେ ବ୍ରାଉନ୍ ରସଗୋଲା, କମଳା ରସଗୋଲା ଓ କେଶର ରସଗୋଲା ୯ପ୍ରକାରର ଦିନକୁ ୨ଲକ୍ଷରୁ ଊର୍ଧ୍ୱ ଟଙ୍କାର ରସଗୋଲା ବିକ୍ରି ହୁଏ। ବ୍ରାଉନି ରସଗୋଲାର ଚାହିଦା ବଢ଼ୁଥିବା ବେଳେ ରପ୍ତାନୀ ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି ହେବା ଆବଶ୍ୟକ ବୋଲି ଶ୍ରୀ କର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/m2-3.jpg)