ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୨ତମ ଜୟନ୍ତୀ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ପ୍ରମୁଖ ବିନ୍ଧାଣୀ

ଭୁବନେଶ୍ୱର: ଓଡ଼ିଶାର ରାଜନୀତି, ସମାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାଂସ୍କୃତିକ ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ପ୍ରମୁଖ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ଅନ୍ୟତମ କର୍ଣ୍ଣଧାର। ଲଣ୍ଡନରେ ଆୟୋଜିତ ତୃତୀୟ ଗୋଲଟେବୁଲ୍‌ ବୈଠକରେ ରାଜା ରାମଚନ୍ଦ୍ର ଯୋଗଦେଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଓଡ଼ିଆ ଭାଷା ଆନ୍ଦୋଳନ ଇତିହାସରେ ଏକ ଅମ୍ଳାନ ଅଧ୍ୟାୟ ସୃଷ୍ଟି କରିଥିବା ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ ଏ ଜାତିର ଗର୍ବ ଓ ଗୌରବ। କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୨ତମ ଜୟନ୍ତୀ ଅବସରରେ ଉପସ୍ଥିତ ଅତିଥିମାନେ ଏଭଳି ମତପ୍ରକାଶ କରିଥିଲେ। ଅତିଥିମାନେ ପ୍ରଥମ‌େ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସଭାରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‌ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ ଏବଂ ସନ୍ତୋଷ ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର