ଭୁବନେଶ୍ୱର : ଭଡ଼ାରେ ଯିବେ ବୋଲି ଅଟୋଚାଳକଙ୍କୁ ଘରକୁ ଡାକିଲେ। ତାଙ୍କୁ ଏକ ଘରେ ପୂରାଇ କିନ୍ନରମାନେ ୬ଘଣ୍ଟା କାଳ ଅଟକ ରଖି ନିସ୍ତୁକ ମାଡ଼ ମାରିଲେ। ଏନେଇ ଶନିବାର ଦିନ ଅଟୋଚାଳକ ଗୋବର୍ଦ୍ଧନ ବେହେରା ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଗୋବର୍ଦ୍ଧନଙ୍କ ଅଭିଯୋଗ ଅନୁଯାୟୀ ଶନିବାର ସକାଳେ ବରମୁଣ୍ଡା ଫାୟାରଷ୍ଟେସନ ଛକରୁ ଜଣେ କିନ୍ନର ତାଙ୍କୁ ଭଡ଼ାରେ ଭରତପୁର ଛକକୁ ଯିବାକୁ କହିଥିଲା। ସେ ତାକୁ ଭରତପୁରରେ ଛାଡ଼ିବା ପରେ ଫାୟାରଷ୍ଟେସନ୍‌ସ୍ଥିତ ଅଟୋଷ୍ଟାଣ୍ଡ୍‌କୁ ଫେରିଥିଲେ। କିଛି ସମୟ ପରେ ତାଙ୍କୁ ଆଉ ଜଣେ କିନ୍ନର ଫୋନ୍ କରି ଭରତପୁରରୁ ତମାଣ୍ଡୋ ଭଡ଼ାରେ ଯିବାକୁ ଡାକିଥିଲା। ଏଥିପାଇଁ ୫ଶହ ଟଙ୍କା ଭଡ଼ା ସ୍ଥିର ହୋଇଥିଲା। ଏହା ପରେ ଭରତପୁରକୁ ଯିବା ପରେ କିନ୍ନର ତାଙ୍କ ହାତରେ ୫ଶହ ଟଙ୍କା ଦେଇ ଦୋକାନରୁ ମଦ ଆଣିବାକୁ କହିଥିଲା। ମଦ ଆଣି ଆସିବା ପରେ କିନ୍ନରମାନେ ଗୋବର୍ଦ୍ଧନଙ୍କୁ ଘରକୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କୁ ୬ଘଣ୍ଟା କାଳ ଏକ ଘରେ ବନ୍ଦୀ ରଖି ପିଟିବା ସହ ତାଙ୍କ ଅଟୋ, ମୋବାଇଲ୍, ପାଖରେ ଥିବା ୨୭ଶହ ଟଙ୍କା, ସୁନା ଲକେଟ୍ ଓ ଘଣ୍ଟା ନେଇ ଯାଇଥିଲେ। ଗୋବର୍ଦ୍ଧନ କାକୁତି ମିନତି ହୋଇ ତାଙ୍କୁ ଛାଡ଼ିଦେବାକୁ ନିବେଦନ କରିବା ପରେ କିନ୍ନରମାନେ ତାଙ୍କ ମୋବାଇଲ୍ ଓ ଅଟୋ ଚାବି ଫେରାଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।