ଭୁବନେଶ୍ବର: ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନକୁ ଅଲ୍ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘ ସ୍ବାଗତ କରିଛି। ଏହି ବୋର୍ଡ ଗଠନ ଦ୍ବାରା ରାଜ୍ୟର ୩୦ହଜାରରୁ ଅଧିକ କିନ୍ନର ଉପକୃତ ହୋଇପାରିବେ ବୋଲି ସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି। କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ୩୦ବର୍ଷରୁ ଅଧିକ ସମୟ ଧରି ମହାସଂଘ ପକ୍ଷରୁ ଦାବି ହୋଇଆସୁଥିଲା।
ଗୁରୁବାର ରାଜ୍ୟ ସରକାର ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଏହି ବୋର୍ଡରେ କିନ୍ନର ସୁରକ୍ଷା ଅଧିକାର ନିୟମ-୨୦୧୯କୁ ଗୁରୁତ୍ବ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଓ ବିଭାଗୀୟ କମିସନର୍ଙ୍କୁ ମହାସଂଘ ଧନ୍ୟବାଦ ଦେଉଛି ବୋଲି ଶ୍ରୀ ସାହୁ କହିଛନ୍ତି। ବୋର୍ଡ ଗଠନ ଖୁସିରେ କିନ୍ନର ସୁଇଟି ସାହୁ ପରିବାର ପକ୍ଷରୁ ମିଠା ବଣ୍ଟନ କରାଯାଇଛି। ସେହିପରି ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ମେନକା କିନ୍ନର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।