କିନ୍ନର ଆଦାୟ କରିବେ ପାର୍କିଂ ଫି’

ଦୁଇଟି ପ୍ୟାକେଜ୍‌ ଦୁଇ ମାସ ପାଇଁ ଦେଲା ବିଏମ୍‌ସି

ଭୁବନେଶ୍ବର : ଏବେ ସ୍ମାର୍ଟ ଜନପଥ କାମ ଚାଲୁଥିବାରୁ ଜନପଥରେ ପାର୍କିଂସ୍ଥଳୀ ନିଲାମ ହେଉନି। ବାରମ୍ବାର ନିଲାମ ଡକାଯାଉଥିଲେ ହେଁ କେହି ଟେଣ୍ଡର ପକାଉନାହାନ୍ତି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଦୁଇଟି ପାର୍କିଂ ପ୍ୟାକେଜ୍‌ କିନ୍ନରମାନଙ୍କ ସ୍ବୟଂସହାୟକ ଗୋଷ୍ଠୀ ‘ଟିଜି ସ୍ବୀକୃତି’କୁ ଦେଇଛନ୍ତି। କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ବିଏମ୍‌ସି ରାଜସ୍ବ ଆଦାୟ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି। ଆଜି ଜନପଥରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ‌ଚୌଧରୀ ଟିଜି ସ୍ବୀକୃତିକୁ ଏହି ଦାୟିତ୍ବ ଦେବା ସହ କିନ୍ନରମାନଙ୍କୁ ସ୍ବତନ୍ତ୍ର ଆପ୍ରୋନ୍ ଓ ମନିବ୍ୟାଗ୍ ପ୍ରଦାନ କରିଛନ୍ତି।

ବିଏମ୍‌ସିର ନିଷ୍ପତ୍ତି ଅନୁ‌ଯାୟୀ, ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଅର୍ଥାତ୍‌ ଶ୍ରୀଲେଦର୍‌ ସୋ’ରୁମ୍‌ରୁ ଅଶୋକା ମାର୍କେଟ୍‌ ପର୍ଯ୍ୟନ୍ତ ଗୋଟିଏ ପାର୍କିଂ ପ୍ୟାକେଜ୍ ଥିବାବେଳେ ଏଥିରେ ଖାଦିମ୍‌ ‌ସୋ’ ରୁମ୍‌ ସାମ୍ନାରୁ ଶ୍ରୀଲେଦର ସୋ’ରୁମ୍‌ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମିଡଟାଉନ୍‌ରୁ ଆର୍ଯ୍ୟ ପ୍ୟାଲେସ୍‌, ଅଶୋକା ମାର୍କେଟ୍‌ରୁ ସିଟି ରେସିଡେନ୍ସି, ରୟାଲ ମିଡଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ପର୍ଯ୍ୟନ୍ତ ଅଞ୍ଚଳ ରହିଛି। ଏହାର ମାସିକ ଦେୟ ୨ ଲକ୍ଷ ୨୩ ହଜାର ଟଙ୍କା ରହିଛି।

ସେହିପରି ଦ୍ବିତୀୟ ପାର୍କିଂ ପ୍ୟାକେଜ୍‌ରେ ମାଷ୍ଟର କ୍ୟାଣ୍ଟିନରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଅଞ୍ଚଳ ରହିଛି। ଏଥିରେ ହୋଟେଲ ସ୍ବସ୍ତିର ବିପରୀତ ପାର୍ଶ୍ବ ଅଞ୍ଚଳ, ଇପାରି ସଦାଶିବ ଜୁଏଲାରି ସମ୍ମୁଖ ପାର୍କିଂସ୍ଥଳୀ, ଗୋଦାବରୀଶ ସାହିତ୍ୟ ସଂସଦ ସମ୍ମୁଖ ପାର୍କିଂସ୍ଥଳୀ, ହୋଟେଲ କେଶରୀ ସମ୍ମୁଖ ଅନ୍‌ଷ୍ଟ୍ରିଟ୍‌ ପାର୍କିଂସ୍ଥଳୀ ଅଞ୍ଚଳ ରହିଛି। ଏହାର ମାସିକ ଦେୟ ୧ଲକ୍ଷ ୪୬ହଜାର ୮୯ଟଙ୍କା ରହିଛି। ଟିଜି ସ୍ବୀକୃତି ଏବେ ପାର୍କିଂ ଫି’ ଆଦାୟ କରିବାକୁ ଥିବାବେଳେ ଆସନ୍ତା ମାସର ପ୍ରଥମ ସପ୍ତାହରେ ଏହି ଟଙ୍କା ଜମା କରିବ। ଆସନ୍ତା ଦୁଇ ମାସ ପାଇଁ କିନ୍ନରମାନଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସେମାନେ ହିଁ ପାର୍କିଂ ଫି’ ଆଦାୟ କାର୍ଯ୍ୟରେ ନିୟୋଜିତ ହେବେ। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ଆପ୍ରୋନ୍ ଏବଂ ମନି ବ୍ୟାଗ୍‌ ବ୍ୟବହାର କରିବେ ବୋଲି ବିଏମ୍‌ସିର ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ ନୂଆ ପାର୍କିଂ ନୀତି ନିୟମ ଅନୁସାରେ ଇଲେକ୍ଟ୍ରିକ୍ ଯାନ ପାଇଁ ୪୦% ପାର୍କିଂ ଫି’ ଛାଡ଼ ହେବ। ପାର୍କିଂ ଅଞ୍ଚଳରେ ୫% ସ୍ଥାନ ସାଇକେଲ୍‌ ପାର୍କିଂ ପାଇଁ ରହିବ। ସାଇକେଲ୍‌ ପାଇଁ କୌଣସି ଫି’ ପଡ଼ିବନି। କେଉଁ ଗାଡ଼ି କେତେ ସମୟ ପାର୍କିଂ କଲେ କେତେ ଫି’ ଦେବ ତାହା ଧାର୍ଯ୍ୟ ହୋଇଛି। ୫ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ ଫି’ ଧାର୍ଯ୍ୟ ହୋଇଛି। ଏହାଠାରୁ ଅଧିକ ସମୟ ପାର୍କିଂ କଲେ ଘଣ୍ଟା ପ୍ରତି ୨୦% ଅଧିକ ଫି’ ଦେବାକୁ ପଡ଼ିବ। ଏଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ବିଏମ୍‌ସିର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ଡେପୁଟି କମିସନର ଶୁଭେନ୍ଦୁ ସାହୁ, ଟିଜି ସ୍ବୀକୃତିର ମେଘନା, ଅଭିନେତ୍ରୀ ବିଦୁସ୍ମିତା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର