ପୁଲିସ ଚାକିରି ପାଇଁ କିନ୍ନରଙ୍କ ଜୋର୍‌ଦାର କସରତ, ଚାକିରି ପରେ ସମାଜରୁ ଭେଦଭାବ ଉଠାଇବୁ

ସରକାର ସଂରକ୍ଷଣ ବ୍ୟବସ୍ଥା କରନ୍ତୁ: ମୀରା ପରିଡ଼ା

ଭୁବନେଶ୍ବର: ଏବେ ଶିକ୍ଷିତ କିନ୍ନରମାନଙ୍କ କେବଳ ଗୋଟିଏ ଲକ୍ଷ୍ୟ, ସେମାନେ ଖାକି ପିନ୍ଧିବେ। ପୁଲିସ ବିଭାଗରେ ଚାକିରି କରି ଦୁନିଆକୁ ଦେଖାଇବେ ଯେ ସେମାନେ ବି ସକ୍ଷମ। ପୁରୁଷ ଓ ନାରୀ ଭଳି ସେମାନେ ବି ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଲିଙ୍ଗଗତ ବିଭେଦର ଊର୍ଦ୍ଧ୍ବକୁ ଉଠି କିନ୍ନରମାନେ ଏକ ଇତିହାସ ରଚିବାକୁ ଯାଉଛନ୍ତି। ରାଜ୍ୟ ସରକାର ସୃଷ୍ଟି କରିଥିବା ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି। ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ସରକାରଙ୍କ ଏହି ସୁଯୋଗର ଭରପୂର ଫାଇଦା ଉଠାଇବାକୁ କିନ୍ନରମାନେ ଚଳାଇଛନ୍ତି ଜୋର୍‌ଦାର କସରତ। ସକାଳେ ସୂର୍ଯ୍ୟ ଉଇଁବା ପୂର୍ବରୁ ସ୍ବପ୍ନ ଗଢ଼ିବା ଦିଗରେ ସେମାନେ ଅଗ୍ରସର ହେଉଛନ୍ତି।

ପୁଲିସ ସବ୍ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇବା ପାଇଁ ଚାଲିଛି କିନ୍ନରମାନଙ୍କ ଜୋରଦାର ପ୍ରସ୍ତୁତି। ବର୍ତ୍ତମାନ ସୁନ୍ଦରପଦାସ୍ଥିତ ‘ସଖା ଗରିମା ଗୃହ’ (ଟ୍ରାନ୍‌ସଜେଣ୍ଡର ସେଲଟର୍ ହୋମ୍)ରେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ୧୧ ଜଣ କିନ୍ନର ପ୍ରସ୍ତୁତି ଚଳାଇଛନ୍ତି। କିଏ ଦୌଡ଼ୁଛି ତ କିଏ ବ୍ୟାୟାମ କରୁଛି। କସରତ ସରିବା ପରେ ଆରମ୍ଭ ହେଉଛି ପାଠପଢ଼ା। କିଏ ସାଧାରଣ ଜ୍ଞାନ ବହି ଧରି ବସୁଛି ତ କିଏ ଗଣିତ କଷିବାରେ ବ୍ୟସ୍ତ। ପ୍ରତିଦିନ ୮ ରୁ ୧୦ ଘଣ୍ଟା ପାଠପଢ଼ାରେ ବିତୁଛି। ପୂରା ଜୋସ୍‌ରେ ଲାଗିପଡ଼ିଛନ୍ତି ସେମାନେ। ସେମାନଙ୍କ ଦୃଢ଼ ଇଚ୍ଛା ଆଗରେ ହାର୍ ମାନିଛି ସେମାନଙ୍କ ଅଭାବ ଓ ଅସହାୟତା।

ସୂଚନାଯୋଗ୍ୟ ଓଡ଼ିଶା ପୁଲିସ ବିଭାଗରେ ୪୭୭ଟି ସବ୍ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଗତ ଜୁନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଥମ ଥର ଲାଗି ଏହି ପଦ ପାଇଁ କିନ୍ନରମାନେ ଆବେଦନ କରିପାରିବେ ବୋଲି ସରକାର ଘୋଷାଣ କରିଥିଲେ। ଏହା କିନ୍ନରମାନଙ୍କ ମନରେ ନୂଆ ଆଶା ଉଜ୍ଜୀବିତ କରିଛି। ସରକାରୀ ତଥ୍ୟ ଅନୁସାରେ ୪୭୭ ଏସ୍‌ଆଇ ପଦ ପାଇଁ ମୋଟ୍‌ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭ ହଜାର ୫୦୬ ପୁରୁଷ, ୩୪ ହଜାର ୯୬୪ ମହିଳା ଓ ୨୬ ଜଣ କିନ୍ନର ଅଛନ୍ତି।

ସାମାଜିକ ବାସନ୍ଦରୁ ମୁକ୍ତି ଆମର ଲକ୍ଷ୍ୟ

ପ୍ରଥମ ଥର ପାଇଁ କିନ୍ନରମାନଙ୍କୁ ସରକାରୀ ଚାକିରି ଦେବାକୁ ସୁଯୋଗ ମିଳିଛି। ପ୍ରଥମ ଥର ପାଇଁ ୨୬ ଜଣ କିନ୍ନର ଏଥିପାଇଁ ଆବେଦନ କରିବାର ସୁଯୋଗ ପାଇଛନ୍ତି ଓ ଚାକିରି ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ପୁଲିସ ଏସ୍‌ଆଇ ଭଳି ସମ୍ମାନସ୍ପଦ ଚାକିରି କରି ମିଳିବା ପରେ କିନ୍ନରମାନଙ୍କ ଉପରେ ଯେଉଁ ସାମାଜିକ ବାସନ୍ଦ ରହିଛି, ତାହା ସ୍ବତଃ ଲୋପ ପାଇବ। ଏଥିସହିତ ଚିରାଚରିତ ଅପବାଦରୁ ମଧ୍ୟ ମୁକ୍ତି ମିଳିବ। ଜୀବନଶୈଳୀ ମଧ୍ୟ ବଦଳିବ। ବଡ଼ କଥା ହେଉଛି; ଆଗାମୀ ପିଢ଼ି ପାଇଁ କିନ୍ନର ଜୀବନ ଆଉ ଅଭିଶାପ ହୋଇ ରହିବନାହିଁ। ସରକାରଙ୍କ ଏହି ପ୍ରୟାସ ବହୁତ ବଡ଼ ପଦକ୍ଷେପ। ବର୍ତ୍ତମାନ ଏଠାରେ ୧୧ ଜଣ ପିଲା ପ୍ରସ୍ତୁତି ଚଳାଇଛନ୍ତି। ଦିନରାତି ଏକ କରି କଷ୍ଟ କରୁଛନ୍ତି। ସେହିଭଳି ୪ ଜଣ ପିଲା ରେଭେନ୍ୟୁ ଇନ୍‌ସ୍ପେକ୍ଟର (ଆର୍‌ ଆଇ) ପରୀକ୍ଷା ପାଇଁ ତାଲିମ ନେଉଛନ୍ତି। ସେମାନଙ୍କୁ ତାଲିମ ଦେବାକୁ ବିଭିନ୍ନ ବିଭାଗରେ ଶିକ୍ଷକ ରହିଛନ୍ତି। ତେବେ ସରକାର କିନ୍ନରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କଲେ, ଆମେ ଅଧିକ ଖୁସି ହେବୁ।

ମୀରା ପରିଡ଼ା, କିନ୍ନର ସଂଘ ସଭାପତି

ଠିକ୍‌ରେ ଦାୟିତ୍ବ ନିର୍ବାହ କରିବି
ମୋର ଲିଙ୍ଗଗତ ପରିବର୍ତ୍ତନ ଜାଣିବା ପରେ ଘର ଲୋକେ ଗ୍ରହଣ କଲେ ନାହିଁ। ତେଣୁ ଅଧାରୁ ପାଠପଢ଼ା ଛାଡି ଟ୍ରେନ୍‌ରେ ବୁଲିବୁଲି ଭିକ ମାଗିଲି। ଦୁଇ ବର୍ଷ ପରେ ଘର ଲୋକମାନେ ମୋତେ ଡାକିଲେ। ମୁଁ ପୁଣି ପାଠପଢ଼ା ଆରମ୍ଭ କଲି ଓ ଗ୍ରାଜୁଏସନ୍‌ ଶେଷ କଲି। ଏହା ପରେ ଚୌଦ୍ବାର ପୌର କାର୍ଯ୍ୟାଳୟରେ ସପୋର୍ଟିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ପାଇଲି। ଏବେ ପୁଲିସ ଏସ୍‌ଆଇ ନିଯୁକ୍ତି ପାଇଁ ଆବେଦନ କରିଛି ଓ ତାଲିମ ନେଉଛି। ଭୋର୍ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଆମକୁ ପ୍ରସ୍ତୁତିରେ ଲାଗି ରହିବାକୁ ପଡୁଛି। ଏଠି ବହୁତ ଭଲ ପଢ଼ା ଓ ତାଲିମ ପ୍ରଦାନ କରାଯାଉଛି। ତେଣୁ ପରୀକ୍ଷାରେ ସଫଳ ହେବୁ ବୋଲି ଦୃଢ଼ ଆଶା ରହିଛି। ସମାଜରେ କିନ୍ନରମାନଙ୍କୁ ଲୋକେ ଯାହା ଭାବୁଛନ୍ତି, ଆମେ କେବଳ ସେୟା ନୁହଁ ବୋଲି ପ୍ରମାଣ କରି ଦେଖାଇବୁ। ଚାକିରି ପାଇବା ପରେ ଠିକ୍‌ରେ ଦାୟିତ୍ବ ନିର୍ବାହ କରିବି।
ପ୍ରତିମା ବେହେରା, ଆବେଦନକାରୀ
ମହିଳା ଓ ଶିଶୁଙ୍କୁ ଗୁରୁତ୍ବ ଦେବି
ପୂର୍ବରୁ ମୁଁ ଏହି ‘ସଖା’ରେ ରହି କାମ କରୁଥିଲି। ଏସ୍‌ଆଇ ପୋଷ୍ଟ ବାହାରିବା ପରେ ଆବେଦନ କରିଛି ଓ ବର୍ତ୍ତମାନ ତାଲିମ ନେଉଛି। ଏଠାରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଉଛି। ସକାଳୁ ଶାରୀରିକ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ସାଧାରଣ ଜ୍ଞାନ, ଗଣିତ ଓ କମ୍ପ୍ୟୁଟର୍ ଶିକ୍ଷା ଦିଆଯାଉଛି। ବହୁତ କଷ୍ଟ କରିବାକୁ ପଡୁଛି। କିନ୍ତୁ ମନବଳ ଦୃଢ଼ ଅଛି। ସରକାର ଆମକୁ ଯେଉଁ ସୁଯୋଗ ଦେଇଛନ୍ତି, ତାକୁ ଆମେ ହାତଛଡ଼ା କରିବୁନି। ସମାଜରେ କିନ୍ନରମାନଙ୍କ ପ୍ରତି ଥିବା ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇବୁ। ରହି ଆସିଥିବା ସାମାଜିକ ଚିନ୍ତାଧାରାକୁ ଏଥର ଆମେ ଭୁଲ ପ୍ରମାଣିତ କରିବୁ। ପୁଲିସ ଚାକିରି ପାଇବା ପରେ ମହିଳା ଓ ଶିଶୁମାନଙ୍କୁ ଅଧିକ ଗୁରୁତ୍ୱ ଦେବି।
ଅନନ୍ୟା ନାୟକ, ଆବେଦନକାରୀ
ପୁଲିସ ଚାକିରି ଏକ ସେବା
ମୋ ଜୀବନରେ ମୁଁ ବହୁତ କିଛି କଷ୍ଟ ସହିଛି। ପାଠପଢ଼ା ପରେ ଘର ଛାଡ଼ି ଏକ ହୋଟେଲରେ କାମ କରୁଥିଲି। କରୋନା ପାଇଁ ହୋଟେଲ ବନ୍ଦ ହେବାରୁ ପୁଣି ଘରକୁ ପଳାଇଥିଲି। ସରକାରୀ ଚାକିରିଟିଏ ପାଇଁ ମନରେ ଆଶା ଥିଲେ ବି ସୁଯୋଗ ନଥିଲା। ଏବେ ସୁଯୋଗ ମିଳିଛି। ବର୍ତ୍ତମାନ ସଖା ଗରିମା ଗୃହରେ ରହି ତାଲିମ ନେଉଛି। ଆମେ ଦିନ ରାତି ପଢ଼ାପଢ଼ି କରିବା ସହ ଶାରୀରିକ ପ୍ରଶିକ୍ଷଣ ନେଉଛୁ। ମୋର ଦୃଢ଼ ଆଶା ଅଛି ଯେ ମୁଁ ନିଶ୍ଚୟ ପରୀକ୍ଷାରେ ସଫଳ ହେବି। ଆମକୁ ଶିକ୍ଷକମାନେ ଭଲ ଶିକ୍ଷା ପ୍ରଦାନ କରୁଛନ୍ତି ଓ ମୀରା ମା’ଙ୍କ ପ୍ରେରଣା ଅଧିକ ଉତ୍ସାହିତ କରିଛି। ପୁଲିସ ଚାକିରି ଏକ ସେବା, ତେଣୁ ଚାକିରି ପାଇଲେ ମୁଁ ସେହି ଅନୁସାରେ କାମ କରିବି।
କ଼ୁମାରୀ ଶ୍ରେୟା ନାୟକ, ଆବେଦନକାରୀ
ସାମାଜିକ ଭେଦଭାବ ଦୂର କରିବି
ପୂର୍ବରୁ ବିଭିନ୍ନ ଏନ୍‌ଜିଓରେ କାମ କରିଛି। ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲି। ପିଲା ବେଳୁ ଇଚ୍ଛା ଥିଲା ପୁଲିସ ଚାକିରି କରିବି, ହେଲେ ସୁବିଧା ସୁଯୋଗ ନଥିଲା। ପ୍ରଥମ ଥର ପାଇଁ ଆମକୁ ପୁଲିସ ବିଭାଗରେ ନିଯୁକ୍ତି ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଖୁସି। ମୀରା ମା’ଙ୍କ ପ୍ରେରଣା ଓ ନିର୍ଦ୍ଦେଶରେ ଆବେଦନ କରି ତାଲିମ୍ ନେଉଛି। ବହୁତ କଷ୍ଟ କରି ଏଠି ସମସ୍ତେ ଲାଗିପଡ଼ିଛୁ। ଏଠାରେ ଖୁବ୍ ଭଲ ତାଲିମ୍ ଦିଆଯାଉଛି। ଦିନରାତି ଏକ କରି ଲାଗିଛୁ। ମନରେ ଆଶା ରହିଛି ଯେ ଉତ୍ତୀର୍ଣ୍ଣ ହେବି। ଚାକିରି ପାଇଲେ ସାମାଜିକ ଭଦେଭାବ ଦୂର କରିବାକୁ ଚେଷ୍ଟା କରିବି।
ତ୍ରିସା ପାତ୍ର, ଆବେଦନକାରୀ

 

ସମ୍ବନ୍ଧିତ ଖବର