ଭୁବନେଶ୍ବର: ଜନପଥକୁ ସ୍ମାର୍ଟ କଲେ। ଉଠାଦୋକାନୀଙ୍କୁ ଶୃଙ୍ଖଳିତ କରି ସ୍ବତନ୍ତ୍ର କିଓସ୍କ ଦେଲେ। ସ୍ମାର୍ଟ ଜନପଥ କଡ଼ରେ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗୋଟିଏ ରଙ୍ଗର କିଓସ୍କ ଜନପଥର ବେଶ୍ ଶୋଭା ବର୍ଦ୍ଧନ କଲା। ହେଲେ ଉଠାଦୋକାନୀଙ୍କ ମନକଥା ବୁଝିଲେନି। ରାଜମହଲରେ ବେପାର କରୁଥିବା ଦୋକାନୀକୁ ବାଣୀବିହାରରେ କିଓସ୍କ ଦେଲେ। ରୂପାଲି ଛକ ବେପାରୀକୁ ଖାରବେଳ ନଗରରେ ଦେଲେ। ପ୍ରୀୟାପ୍ରୀତି ତୋଷଣ ହେବାରୁ ମୂଳ ବେପାରୀ ବାଦ୍ ପଡ଼ିଲେ। ଫଳରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହେଲା। ଏଣେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଯୋଜନା କରିଥିଲେ ତାହା ମଧ୍ୟ ପୂରଣ ହେଲା ନାହିଁ। ବାଦ୍ ପଡ଼ିଥିବା ଉଠା ଦୋକାନୀମାନେ ପୂର୍ବବତ୍ ରାସ୍ତା କଡ଼ରେ ବସିଲେ। କେତେକ କୋର୍ଟ ମଧ୍ୟ ଗଲେ। ୩ ବର୍ଷ ବିତିବାକୁ ବସିଲା, ହେଲେ ସମସ୍ୟା ସମାଧାନ ହୋଇ ପାରିଲା ନାହିଁ।
ଆଜି ବି ୫୦ରୁ ଊର୍ଦ୍ଧ୍ବ କିଓସ୍କରେ ତାଲା ପଡ଼ିଛି। ଏସବୁକୁ ଯୋଗ୍ୟ q}ବସାୟୀଙ୍କୁ ବାଣ୍ଟିବା ପାଇଁ ବିଏମ୍ସି ଉଦ୍ୟମ କରୁନାହିଁ। କିନ୍ତୁ ଖାଲି ପଡ଼ିଥିବା ୫୦ କିଓସ୍କରୁ ଦୁଇଟିକୁ ସରକାରୀ ସଂସ୍ଥାକୁ ଦେବା ପାଇଁ ବିଏମ୍ସି ଯୋଜନା କରିଛି। କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି କରିବା ପାଇଁ ଗୋଟିଏ କିଓସ୍କ ନେବା ପାଇଁ ଚିଠି ଲେଖିଛି। ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି) ମଣ୍ଡଳ ମହାପ୍ରବନ୍ଧକ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଗୋଟିଏ କିଓସ୍କ ନେବା ପାଇଁ ଚିଠି ଲେଖିଛନ୍ତି। ଏହି ଦୁଇ ସରକାରୀ ସଂସ୍ଥାର ଚିଠିକୁ ଆଧାର କରି ବିଏମ୍ସି କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ କିଓସ୍କ ନଂ ୧୪୧ ଓ ଓଏଫ୍ଡିସିକୁ ୧ ନଂ କିଓସ୍କ ଆବଣ୍ଟନ କରିବା ପାଇଁ କର୍ପୋରେସନ ବୈଠକରେ ସର୍ବସମ୍ମତି କ୍ରମେ ସ୍ବୀକୃତି ଦେଇଛି। ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରୁ ବାଦ୍ ପଡ଼ିଥିବା ଯୋଗ୍ୟ ବ୍ୟବସାୟୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ସ୍ମାର୍ଟ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ୨୩୧ଟି କିଓସ୍କ ନିର୍ମାଣ କରିଥିଲା। ୨୦୨୦ ଏପ୍ରିଲ ୨୯ ତାରିଖ ଠାରୁ ଏହାର ଆବଣ୍ଟନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୯୦, ଦ୍ୱିତୀୟ ପର୍ଯ୍ୟାୟରେ ୩ ଓ ପରେ ୨୫, ୨୨, ୩୬ ଓ ୩୮ଏଭଳି ୨୧୪ ଗୋଟି କିଓସ୍କ ବଣ୍ଟା ଯାଇଥିଲା। ଗୋଟିକୁ ବିଏମ୍ସି ‘ମୋ ଖତ’ ବିକ୍ରୟ କେନ୍ଦ୍ର ଭାବେ ବ୍ୟବହାର କରୁଥିଲା। ବିଏମ୍ସି ଏସବୁକୁ ବାଣ୍ଟି ଦେଇଥିବା କହୁଥିଲେ ମଧ୍ୟ ଅନେକ ବ୍ୟବସାୟୀ ଏହି କିଓସ୍କ ନେଇନଥିଲେ। ଯେଉଁ ଜାଗାରେ ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ ସେହି ଜାଗା ଛାଡ଼ି ସେମାନଙ୍କୁ ୩ରୁ ୪ କିଲୋମିଟର ଦୂରରେ ଦିଆଯାଇଥିବାରୁ ସେମାନେ କିଓସ୍କ ନେଇନଥିଲେ। କେବଳ ଦୂର ନୁହେଁ, ବରଂ କାହାକୁ ୪୮ବର୍ଗଫୁଟ୍ର କିଓସ୍କ ମିଳିଥିବା ବେଳେ କାହାକୁ ୩୦ ବର୍ଗଫୁଟ୍ ଘର ମିଳିଥିଲା। ଦୋକାନ ଭଡ଼ା ବାବଦକୁ ବର୍ଷକ ପାଇଁ ୧୨ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ଟ୍ରେଡ୍ ଲାଇସେନ୍ସ ବାବଦକୁ ୪ ବର୍ଷ ପାଇଁ ୪ ହଜାର ଟଙ୍କା ଅଗ୍ରୀମ ଦେବାକୁ ପଡ଼ୁଥିଲା। ବଡ଼ ଘର ପାଇଁ ଯେତିକି ଛୋଟ ଘର ପାଇଁ ମଧ୍ୟ ସେତିକି। ଏଣୁ ପ୍ରବଳ ବିଶୃଙ୍ଖଳା ହୋଇଥିଲା। ଅନେକ ଦୋକାନ ଚାବି ନେଇ ନଥିଲେ। ବିଏମ୍ସି କେବଳ କାଗଜପତ୍ରରେ ଆବଣ୍ଟନ କରି ବସି ଯାଇଥିଲା।
ଫଳରେ ବିଏମ୍ସି ଖାତାରେ ୧୬ଟି ଖାଲି ପଡ଼ିଥିବା ଦର୍ଶାଉଥିଲେ ମଧ୍ୟ ବାସ୍ତବରେ ୫୦ରୁ ଊର୍ଦ୍ଧ୍ବ କିଓସ୍କ ଖାଲି ପଡ଼ିଛି। ମୋଟା ଅଙ୍କର ଲାଞ୍ଚ ନେଇ କିଓସ୍କ ବଣ୍ଟା ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଆଉ ଗୋଟିଏ ବଡ଼ ଅଭିଯୋଗ ହେଉଛି କେତେକ ଅଯୋଗ୍ୟ ଏହି କିଓସ୍କ ହାତେଇ ଅନ୍ୟ ବ୍ୟବସାୟୀମାନଙ୍କୁ ଭଡ଼ା ଦେଉଥିଲେ। କିଏ ସିକ୍ୟୁରିଟି ବାବଦକୁ ୨ ଲକ୍ଷ ମାଗୁଥିଲା ତ କିଓସ୍କ ଭଲ ଜାଗାରେ ଥିବାରୁ କିଏ ୩ ଲକ୍ଷ ମାଗୁଥିଲା। ମାସିକ ଭଡ଼ା ବାବଦକୁ ୧୫ରୁ ୨୦ ହଜାର ଦାବି କରୁଥିଲା। ଫଳରେ ପ୍ରବଳ ବିଶୃଙ୍ଖଳା ରହିଥିଲା। ଯାହାକୁ ବିଏମ୍ସି ଆଜି ପର୍ଯ୍ୟନ୍ତ ସମାଧାନ କରିପାରି ନାହିଁ। କିନ୍ତୁ ସରକାରୀ ସଂସ୍ଥାକୁ ଗୋଟିଏ ଗୋଟିଏ ଆବଣ୍ଟନ କରିବା ଆରମ୍ଭ କରିଛି। ଯାହାକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ଏଣେ ବର୍ଷ ବର୍ଷ ଧରି ତାଲା ପଡ଼ି ରହିବା ଫଳରେ ସେ ସବୁ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏହାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷଲକ୍ଷ ଟଙ୍କା ବରବାଦ ହେବାକୁ ଯାଉଛି। ଖାଲି ପଡ଼ିଥିବା କିଓସ୍କ ସାମ୍ନାରେ ଘାସ ଉଠିବା ସହ ସେଠାରେ ମଦ୍ୟପଙ୍କ ଆଡ଼ା ଜମୁଛି। ଏ ସବୁକୁ ଆବଣ୍ଟନ କରିବା ପାଇଁ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କର୍ପୋରେସନ ବୈଠକରେ ପ୍ରସ୍ତାବ ଦେଇଥିଲେ। ଏହାର ସମାଧାନ ହେବା ସହ ଖାଲି ପଡ଼ିଥିବା କିଓସ୍କ ଖୋଲିବା ପାଇଁ ଉଦ୍ୟମ ହେଉଥିବା ଜଣେ ଅଧିକାରୀ କହିଛନ୍ତି।