ସମ୍ବାଦ ବିତର୍କ ଓ ସାରେଗାମା ପ୍ରତିଯୋଗିତା: କ୍ଷମତା ରାଜନୀତିରେ ଧୂମକେତୁ ନୁହେଁ, ଆଲୋକବର୍ତିକା ସାଜ

କିରଣ, ସିପ୍ରା ଓ ମୋନାଲି ବିଜୟୀ

ଭୁବନେଶ୍ୱର: ଝିଣ୍ଟିକା ମାରି ବଣି ପୋଷିବା ରାଜନୀତି ନୁହେଁ। ରାଷ୍ଟ୍ର ପରିଚାଳନାର ମହାନ ନୀତି ହେଉଛି ରାଜନୀତି। ସୁସ୍ଥ ରାଜନୀତି ଏକ ରାଷ୍ଟ୍ରକୁ ସମୃଦ୍ଧ କରେ। ମାତ୍ର ପୁଞ୍ଜିବାଦୀ ବ୍ୟବସ୍ଥା ଆସିବା ପରେ ରାଜନୀତିରେ ବ୍ୟବସାୟୀଙ୍କ ପତିଆରା ବୃଦ୍ଧି ପାଇଛି। ଭାରତୀୟ ରାଜନୀତିକୁ ଏହା ଋଗ୍‌ଣ କରିଛି। ତେଣୁ କ୍ଷମତା ରାଜନୀତିରେ ଧୂମକେତୁ ନସାଜି ଆଲୋକବର୍ତିବା ସାଜିବାକୁ ପଡ଼ିବ। ‘ସମ୍ବାଦ’ ଓ ‘କନକ-ନ୍ୟୁଜ୍‌’ ପକ୍ଷରୁ ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଆୟୋଜିତ ଜୋନ୍‌ସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଏପରି ଆହ୍ଵାନ ଦେଇଛନ୍ତି ଛାତ୍ରଛାତ୍ରୀ। ବିତର୍କର ବିଷୟବସ୍ତୁ ଥିଲା ‘ଭାରତୀୟ ରାଜନୀତି ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ’।

ପୁରୀ, ଖୋର୍ଧା, ନୟାଗଡ଼ ଓ ଭୁବନେଶ୍ୱରର ବିଭିନ୍ନ କଲେଜ୍‌ ଓ ବିଶ୍ୱବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୯୫ ପ୍ରତିଶତ ପ୍ରତିଯୋଗୀ ବିଷୟ ସପକ୍ଷରେ ମତ ରଖିଥିବା ବେଳେ ଅନ୍ୟ ପ୍ରତିଯୋଗୀମାନେ ରାଜନୀତି ଓ ବ୍ୟବସାୟ ପରସ୍ପର ପରିପୂରକ ବୋଲି କହିଥିଲେ। ଭାଷା, ତଥ୍ୟ, ବିଶ୍ଳେଷଣ ଓ ଉପସ୍ଥାପନା ଶୈଳୀରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ପ୍ରତିଯୋଗୀବୃନ୍ଦ। ପ୍ରତ୍ୟେକ ୪ ମିନିଟ୍‌ ବକ୍ତବ୍ୟ ରଖିଥିଲେ। ରାଜନୀତିର ଇତିହାସଠୁ ନେଇ ସାଂପ୍ରତିକ ରାଜନୈତିକ ବାତାବରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ। କହିଥିଲେ, ଗଣତନ୍ତ୍ର ଜଣଙ୍କର ନୁହେଁ, ଗଣଙ୍କର। ଆମର କିନ୍ତୁ ଦୃଷ୍ଟି ଥିଲେ ହେଁ ଦୂରଦୃଷ୍ଟି ନାହିଁ। ତେଣୁ ନିର୍ବାଚନ ଆସିଲେ, ନେତାମାନେ ଭୋଟ୍‌ ପିଛା ୫୦୦ ଟଙ୍କା ବାଣ୍ଟି ୫ ବର୍ଷର କ୍ଷମତା ରାଜନୀତିକୁ କରାୟତ କରନ୍ତି। ଏହି ଟଙ୍କା ସେମାନେ ନିଜ ହାତରୁ ନୁହେଁ, ବରଂ କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀଙ୍କଠାରୁ ଆଣନ୍ତି। ଏହାର ସୁଯୋଗ ନେଇ ପରବର୍ତୀ ସମୟରେ ସେହି ବ୍ୟବସାୟୀମାନେ ରାଜନୀତିରେ ହସ୍ତକ୍ଷେପ କରନ୍ତି। ରାଜନେତାଙ୍କୁ ଆୟୁଧ କରି ବ୍ୟବସାୟୀମାନେ ନିଜର ଇଚ୍ଛାକୁ ଚରିତାର୍ଥ କରନ୍ତି। ଫଳରେ ଶାସନ ବ୍ୟବସ୍ଥାରେ ନକରାତ୍ମକ ପ୍ରଭାବ ପଡ଼େ। ତେଣୁ ଯଥାସମ୍ଭବ ରାଜନୀତିକୁ ବ୍ୟବସାୟୀଙ୍କଠାରୁ ଦୂରେଇ ରଖିପାରିଲେ ସ୍ୱଚ୍ଛ ଶାସନ ପ୍ରତିଷ୍ଠା ହୋଇପାରିବ। ଛାତ୍ର ଓ ଯୁବ ସମାଜ ଏ ଦିଗରେ ଯାଥୋଚିତ୍‌ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀମାନେ ଆହ୍ଵାନ ଦେଇଥିଲେ। ସ୍ତମ୍ଭକାର, ଅଧ୍ୟାପକ ତଥା ସଫଳ ବ୍ୟବସାୟୀ ଶ୍ୟାମସୁନ୍ଦର ଅଗ୍ରଓ୍ଵାଲ୍‌, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଏବଂ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଚେୟାରମ୍ୟାନ୍‌ ବିଜୟ କୁମାର ସାହୁ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌ର ଦ୍ୱିତୀୟ ବର୍ଷ ଛାତ୍ର କିରଣ କୁମାର ମହାନ୍ତି ପ୍ରଥମ, ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌ର ଏମ୍‌ବିବିଏସ୍‌ ଛାତ୍ରୀ ସିପ୍ରା ଦାଶ ଦ୍ୱିତୀୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

ସାରେଗାମା ସମର: ସିପ୍ରା, ବର୍ଷାରାଣୀ, ସ୍ମରଣିକା ବିଜୟୀ

ଭୁବନେଶ୍ୱର: ସ୍ୱରରେ ସ୍ୱରରେ ଚାଲିଥିଲା ସମର। ସଂଗୀତର ସାତସୁରେ ସତେଜ ହୋଇ ଉଠୁଥିଲା ବର୍ଷା ଭିଜା ଅଳସ ଅପରାହ୍‌ଣ। ଅବକାଶ ଥିଲା ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ଆୟୋଜିତ ଜୋନ୍‌ ସ୍ତରୀୟ ସଂଗୀତ ପ୍ରତିଯୋଗିତା ‘ସାରେଗାମା’। ଭଜନଠୁ ନେଇ ଆଧୁନିକ, ନୂଆ ଓ ପୁରୁଣା ଗୀତରେ ଶ୍ରୋତାଙ୍କୁ ଭିଜିବାର ଅବସର ଦେଇଥିଲା ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଆୟୋଜିତ ସାରେଗାମା କାର୍ଯ୍ୟକ୍ରମ। ପୁରୀ, ଖୋର୍ଧା, ନୟାଗଡ଼ ଓ ଭୁବନେଶ୍ୱରର ବିଭିନ୍ନ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରୁ ୧୧୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟନେ ସୁନୟନା.., ଜୋଚ୍ଛନା ଲୁଚନା.., ବଂଶୀରେ ପ୍ରେମରେ ତୋ ସାତ ସୁର ବନ୍ଧା.., ବୃନ୍ଦାବନେ ବଂଶୀ କେ ବଜାଇଲା.., ମୋଲା ମେରେ ମୋଲା.., ଅଭିମାନିନୀ ଏ ଅମାନିଆ ଢେଉ.., ଚାହୁଁଗା ତୁଝେ.., ପାନ୍‌ ଖାୟୋ ସୟାଁ ହମାରା.., ହମ୍‌ ତେରେ ବିନ୍‌…ଭଳି ଭଜନ ଓ ମେଲୋଡିୟସ ଗୀତରେ ଶ୍ରୋତାଙ୍କର ମନୋରଂଜନ କରିଥିଲେ।

‘ସାରେଗାମା’ରେ ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌ର ଏମ୍‌ବିବିଏସ୍‌ ଛାତ୍ରୀ ସିପ୍ରା ଦାଶ ପ୍ରଥମ, ରାଜା ମଧୁସୂଦନ ଦେବ ଡିଗ୍ରି କଲେଜ୍‌ର ବର୍ଷାରାଣୀ ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ମରଣିକା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଶିବ ରଥ, ଟି ସୌରୀ ଏବଂ ମିତାଲି ଚିନାରା ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। ଶେଷରେ ୩ ବିଚାରକ ଗୀତ ଗାଇ ଶୁଣାଇବା ସହ ପିଲାମାନଙ୍କୁ ସଂଗୀତ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ। ବିଚାରକଙ୍କ ସମେତ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ଆମ ଓଡ଼ିଶା ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ବାର୍ତା) ମହମ୍ମଦ ହିଫ୍‌ଜୁର ରହେମାନ୍‌, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକ, ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ‘ସମ୍ବାଦ’ର ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ତ୍ରିପାଠୀ ଏବଂ ସହକାରୀ ମହାପ୍ରବନ୍ଧକ (ବିଜ୍ଞାପନ) କଲ୍ୟାଣେନ୍ଦୁ ନାୟକ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଅଜୟ ଚୌଧୁରୀ, ଘନଶ୍ୟାମ ପୃଷ୍ଟି, ଚିତ୍ତରଂଜନ ପ୍ରଧାନ ଓ କିଶୋର କୁମାର ନାୟକ। ରେଡିଓ ଚକ୍‌ଲେଟ୍‌ ଆର୍‌ଜେ କୋମଲ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର