ବାଲିପାଟଣା: ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଶାନ୍ତ ସିଂ ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି। ଏକ ଟ୍ରଷ୍ଟର ଦଲିଲ କରାଇବାକୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। ଏହି ଲାଞ୍ଚ ଟଙ୍କା ଦେଣନେଣରେ କିରାଣି ଶ୍ରୀ ସିଂଙ୍କୁ ସହଯୋଗ କରିଥିବା ତାଙ୍କ ବେସରକାରୀ ସହାୟକ ମହେନ୍ଦ୍ର ସାହୁଙ୍କୁ ମଧ୍ୟ ଭିଜିଲାନ୍ସ୍ ସ୍କ୍ବାଡ୍ ହେପାଜତକୁ ନେଇଛି। ଦୁଇ ଅଭିଯୁକ୍ତଙ୍କୁ ଭିଜିଲାନ୍ସ ସ୍କ୍ବାଡ୍ ଅଟକ ରଖିବା ସହ କାର୍ଯ୍ୟାଳୟରେ କିରାଣୀ ଶ୍ରୀ ସିଂଙ୍କ କାଗଜପତ୍ର ଖୋଳତାଡ଼ କରୁଛି।
ଏହି ବ୍ଲକ୍ ତୁରିନ୍ତିରା ପଞ୍ଚାୟତ ବାଗଲପୁର ଗ୍ରାମର କିଛି ଯୁବକ ବୁଢ଼ୀମା’ ମଙ୍ଗଳା ଟ୍ରଷ୍ଟ ନାଁରେ ଏକ ସାମାଜିକ ସଂଗଠନ ଗଢ଼ିଛନ୍ତି। ଏହାର ପଞ୍ଜୀକରଣ ପାଇଁ ସେମାନେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଟ୍ରଷ୍ଟ ଦଲିଲ ପ୍ରସ୍ତୁତ କରାଇବାକୁ କନିଷ୍ଠ କିରାଣି ସୁଶାନ୍ତ ସିଂ ସେମାନଙ୍କୁ ୫ହଜାର ଟଙ୍କା ମାଗିଥିଲେ। ମୂଲଚାଲ ହେବା ପରେ କଥା ୪ ହଜାର ଟଙ୍କାରେ ଛିଡ଼ିଥିଲା। ଅଗ୍ରିମ ବାବଦରେ ତାଙ୍କୁ ଦେଢ଼ହଜାର ଟଙ୍କା ଦିଆଯାଇଥିଲା। ୧୧ ତାରିଖରେ ଦଲିଲ ପ୍ରସ୍ତୁତ ହୋଇଗଲା। ମାତ୍ର ଛିଡ଼ିଥିବା କଥା ଅନୁସାରେ ବାକି ଅଢ଼େଇ ହଜାର ଟଙ୍କା ନ ଦେବା ପର୍ଯ୍ୟନ୍ତ କିରାଣି ବାବୁ ଦଲିଲ ଦେଲେ ନାହିଁ। ତେଣୁ ଟ୍ରଷ୍ଟର କର୍ମକର୍ତ୍ତାମାନେ ବାବୁଙ୍କୁ ପାନେ ଦେବାକୁ ଯୋଜନା କରି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ସ୍କ୍ବାଡ୍ ଅଭିଯୋଗକାରୀ ପ୍ରଳୟ ଦାସଙ୍କୁ ରଙ୍ଗ ବୋଳା ଅଢ଼େଇ ହଜାର ଟଙ୍କା ଦେଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ପଠାଇଥିଲା। ପ୍ରଳୟ ଟଙ୍କା ନେଇ କିରାଣି ଶ୍ରୀ ସିଂଙ୍କ ପାଖକୁ ଯାଇଥିଲେ ଏବଂ ଭିଜିଲାନ୍ସ ରଙ୍ଗ ବୋଳା ଟଙ୍କା ଦେଇଥିଲେ। ମାତ୍ର ଧୂର୍ତ୍ତ କିରାଣି ବାବୁ ସିଧାସଳଖ ଟଙ୍କା ନ ଧରି ତାଙ୍କ ଟେବୁଲ୍ ଉପରେ ରଖିବାକୁ କହିଥିଲେ। ପ୍ରଳୟ ଟଙ୍କାତକ ଟେବୁଲ ଉପରେ ରଖିବା ପରେ କିରାଣି ବାବୁ ସହାୟକ ମହେନ୍ଦ୍ରଙ୍କୁ ଡାକି ଟଙ୍କାତକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମହେନ୍ଦ୍ର ଟେବୁଲ ତଳେ ଟଙ୍କା ଲୁଚାଇବା ବେଳେ ଛକି ରହିଥିବା ଭିଜିଲାନ୍ସ ସ୍କ୍ବାଡ୍ ଅଫିସରେ ପଶି ମାଡ଼ିବସିଥିଲା। ଭିଜିଲାନ୍ସ ଅଧିକାରୀ ସୁରେନ୍ଦ୍ରନାଥ ବଳଙ୍କ ନେତୃତ୍ବରେ ୨ଟି ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ।
ଭିଜିଲାନ୍ସ ଫାଶରେ କିରାଣି ବାବୁ
ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଶାନ୍ତ ସିଂ ଭିଜିଲାନ୍ସ ଫାଶରେ ପଡ଼ିଛନ୍ତି। ଏକ ଟ୍ରଷ୍ଟର ଦଲିଲ କରାଇବାକୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। ଏହି ଲାଞ୍ଚ ଟଙ୍କା ଦେଣନେଣରେ...
/sambad/media/media_files/2025/07/17/vigilance-trap-2025-07-17-07-30-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)