କିସ୍‌ ଓ ଏମ୍‌ଡିଏଚ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ, କନ୍ଧମାଳରେ ଖୁବ୍‌ଶୀଘ୍ର ଖୋଲିବ ‘କିସ୍‌’ର ଶାଖା

ଚନ୍ଦ୍ରଶେଖରପୁର: ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନି ଏମ୍‌ଡିଏଚ୍‌ ଓ କିସ୍‌ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍‌ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଆଜି ଏନେଇ ନୂଆଦିଲ୍ଲୀଠାରେ କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିବା ବେଳେ ଏମ୍‌ଡିଏଚ୍‌ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧରମପାଲ ଗୁଲାଟି ସ୍ବାକ୍ଷର କରିଛନ୍ତି।

ବୁଝାମଣା ଅନୁସାରେ କନ୍ଧମାଳ-କିସ୍‌ ପାଇଁ ଏମ୍‌ଡିଏଚ୍ ପକ୍ଷରୁ ସମସ୍ତ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ। ଏ ନେଇ ପୂର୍ବରୁ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଶ୍ରୀ ଗୁଲାଟିଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ସାମନ୍ତଙ୍କ ଅନୁରୋଧକ୍ରମେ ଶ୍ରୀ ଗୁଲାଟି ଏଥିରେ ସମ୍ମତି ପ୍ରକାଶ କରିବା ପରେ ଆଜି ନୂଆଦିଲ୍ଲୀ‌ରେ ଥିବା ଏମ୍‌ଡିଏଚ୍‌ କାର୍ଯ୍ୟାଳୟଠାରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କନ୍ଧମାଳ କିସ୍‌ରେ ଜିଲ୍ଲାର ୩ରୁ ୪ହଜାର ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ଜମି କ୍ରୟ ସରିଛି। ଏକବର୍ଷ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସରିବା ପରେ ଛାତ୍ରଛାତ୍ରୀଙ୍କୁ ନିଆଯିବ। ଏହାସହ ଏମ୍‌ଡିଏଚ୍‌ ପକ୍ଷରୁ ଏଠାରେ ମଧ୍ୟ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍‌ପିଟାଲ୍ ଖୋଲାଯିବ। ଶ୍ରୀ ସାମନ୍ତଙ୍କ ଅନୁରୋଧକ୍ରମେ କନ୍ଧମାଳର ୩ଟି ସ୍ଥାନରେ ଏମଡିଏଚ୍ ମସଲାର ୩ଟି ୟୁନିଟ୍ ଖୋଲିବା ସହ ସ୍କୁଲ୍ ଓ ଡାକ୍ତରଖାନା ଖୋଲିବା ପାଇଁ ଶ୍ରୀ ଗୁଲାଟି ସମ୍ମତି ଜଣାଇଥିଲେ। ଏହାବ୍ୟତୀତ ଦାରିଙ୍ଗିବାଡ଼ିରେ ୧୦୦ କୋଠରି ବିଶିଷ୍ଟ ଏକ ହୋଟେଲ୍ ତଥା ରିସର୍ଟ ଖୋଲିବା ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏମ୍‌ଡିଏଚ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। କାର୍ଯ୍ୟକ୍ରମରେ ଏମ୍‌ଡିଏଚ୍‌ କମ୍ପାନି ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ, ବିନୟ ଆର୍ଯ୍ୟ ଓ ଗୁଲାଟିଙ୍କ କନ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର