ଚନ୍ଦ୍ରଶେଖରପୁର: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍ (କିସ୍) ପକ୍ଷରୁ ଆଜି ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ‘କନ୍ୟା କିରଣ’ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ (ମିଶନ ଶକ୍ତି) ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପୁଲିସ କମିସନର ୱାଇ ବି ଖୁରାନିଆ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଜାତୀୟ ଯୁବ ପ୍ରକଳ୍ପର ମଧୁସୂଦନ ଦାସ, ସମାଜସେବୀ ଡ. କେ. ଅବଦୁଲ୍ ଘନୀ, ଶୁଭଶ୍ରୀ ଦାସ, ସାମ୍ବାଦିକ ଦିଲ୍ଲୀପ ହାଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ସମସ୍ତେ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ଓ ହିଂସା ବିରୋଧରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା ଓ ଆଇନ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ମାନସିକତାରେ ପରିବର୍ତନ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଏଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମ ସମାଜ ଉପରେ ନିଶ୍ଚିତ ରୂପେ ପ୍ରଭାବ ପକାଇବ ବୋଲି ଅତିଥିମାନେ କହିିଥିଲେ।
ସୂଚନାଯୋଗ୍ୟ, ବିଗତ ୫ ବର୍ଷ ଧରି ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ କିସ୍ର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ଅଞ୍ଚଳରେ ୭ଦିନ ଧରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରିଥାନ୍ତି। ଚଳିତବର୍ଷ ‘କନ୍ୟା କିରଣ’ ବିଷୟବସ୍ତୁ ଉପରେ କିସ୍ର ୨୭ ହଜାର ଛାତ୍ରଛାତ୍ରୀ, ସେମାନଙ୍କ ପରିବାରବର୍ଗ ଏବଂ କିଟ୍ ଓ କିସ୍ର ୩ ହଜାର ମହିଳା କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିସ୍ ଓ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଆରଏନ୍ ଦାଶ, ହରେକୃଷ୍ଣ ଶତପଥୀ, ହିମାଂଶୁ ଖଟୁଆ, ସସ୍ମିତାରାଣୀ ସାମନ୍ତ, ପ୍ରଶାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ୟୁଏନ୍ ୱିମେନ୍ ଓ କଳିଙ୍ଗ ଫେଲୋସିପ ସହଯୋଗରେ କନ୍ୟା କିରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଲିଟିଲ୍ ମିସ୍ ୱାର୍ଲଡ ଗାଲାକ୍ସି ବିଜେତା ମ୍ରିଗାକ୍ଷୀ ଆର କୁମାର ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ସୁନ୍ଦର ଉପସ୍ଥାପନା କରିଥିଲେ।