ଭୁବନେଶ୍ୱର : ବିଶ୍ୱର ଲୋକପ୍ରିୟ ତଥା ସମ୍ମାନଜନକ ପରିବେଶ ପୁରସ୍କାର ‘ଊର୍ଜା ବିଶ୍ୱ ପୁରସ୍କାର ୨୦୧୭’ର ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଏକମାତ୍ର ଅନୁଷ୍ଠାନ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ (କିସ୍) ସ୍ଥାନ ପାଇଛି। ଚଳିତମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି ତେହେରାନ୍ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏକ ଭବ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ବିଶ୍ୱର ୧୭୮ଟି ଦେଶର ୨ହଜାର ପ୍ରକଳ୍ପ ଊର୍ଜା ବିଶ୍ୱ ପୁରସ୍କାର ୨୦୧୭ର ବିଭିନ୍ନ ବର୍ଗ ଯଥା ଭୂମି, ଅଗ୍ନି, ଜଳ, ବାୟୁ ଓ ଯୁବ ଆଦି ବର୍ଗରେ ପ୍ରତିଯୋଗିତା କରୁଛନ୍ତି।
ଏହି ପୁରସ୍କାର ପ୍ରଦାନ ଉତ୍ସବରେ ୬୦ଟି ଦେଶ ଯୋଗଦେଉଥିବା ବେଳେ ବିଶ୍ୱବ୍ୟାପୀ ଏହାର ପ୍ରାସାରଣ କରାଯିବ। ଅଗ୍ନି ବର୍ଗରେ ଭାରତ, ଥାଇଲାଣ୍ଡ ଓ ସ୍ପେନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭାରତର ଏକମାତ୍ର ଅନୁଷ୍ଠାନ କିସ୍ ଏଥିରେ ସ୍ଥାନ ପାଇଛି। ବାୟୋଗ୍ୟାସ୍ ପ୍ଲାଣ୍ଟ ଯୋଗେ ଆଧୁନିକ ଉପାୟରେ ୨୭ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି, ସୌରଶକ୍ତି ଚାଳିତ ଜଳତାପନ ବ୍ୟବସ୍ଥା ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ କିସ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କିସ୍କୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ରାଷ୍ଟ୍ରନେତା, ରାଷ୍ଟ୍ରଦୂତ, ନୀତି ନିର୍ଧାରକ, ପ୍ରଶାସକ, ନୋବେଲ୍ ପୁରସ୍କାର ବିଜେତାମାନେ କିସ୍ର ସବୁଜ ପ୍ରକଳ୍ପରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାର ପ୍ରଶଂସା କରିଆସୁଛନ୍ତି।
ଊର୍ଜା ବିଶ୍ୱ ପୁରସ୍କାର ୨୦୧୭ ଚୂଡ଼ାନ୍ତ ପର୍ଯ୍ୟାୟରେ କିସ୍ ସ୍ଥାନ ପାଇବା ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଏହା କେବଳ କିସ୍ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। କିସ୍ ସର୍ବଦା ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଆସୁଛି। ବର୍ତମାନ ସମୟରେ ବିଶ୍ୱ ତାପନ ଯୋଗୁଁ ପରିବେଶ ଜନିତ ସମସ୍ୟା ଉଗ୍ର ହୋଇଥିବା ବେଳେ ପରିବେଶ ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ସମସ୍ତେ ପରିବେଶ ସୁରକ୍ଷା ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଊର୍ଜା ବିଶ୍ୱ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବା ପାଇଁ କିସ୍ର ପ୍ରତିନିଧି ଆସନ୍ତା ୧୩ତାରିଖରେ ତେହେରାନ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kiss.jpg)