ହାତ ପାହାନ୍ତାରେ ତାଜା ପରିବା : କିଚେନ ଗାର୍ଡେନ

0

କଂକ୍ରିଟ ସହରରେ ସବୁଜ ଆଉ ସତେଜ ପରିବା ମିଳିଗଲେ ଲୋକଙ୍କ ଖୁସି ଦ୍ବିଗୁଣିତ ହୋଇଯାଏ। ବାଡ଼ିର ଭେଣ୍ଡି, ଶାଗ, କାକୁଡ଼ି, କଲରା, ଅମୃତଭଣ୍ଡା ଓ କୋବି ଖାଇବାକୁ ସମସ୍ତେ ଚାହାନ୍ତି। ତାହା ପୁଣି ବିନା ସାରଦିଆ ପରିବା। ଏପରି ତାଜା ପରିବା ଖାଇ ସୁସ୍ଥ ଓ ସବଳ ରିହିବାକୁ ସମସ୍ତଙ୍କର ଇଚ୍ଛା। ତେବେ ଇଚ୍ଛା ଥିଲେ ମଧ୍ୟ ବିନା ସାରର ପରିବା ଓ ଫଳମୂଳ ଖାଇବା ସମ୍ଭବପର ହୋଇପାରେ ନାହିଁ। କାରଣ ଗାଁ ଗହଳିରେ ଥିବା ବାଡ଼ି ବଗିଚାର ସୁବିଧା‌ ସହରବାସୀଙ୍କୁ ମିଳେ ନାହିଁ। ସହରର ଏହି କଂକ୍ରିଟ ଜଙ୍ଗଲକୁ ସବୁଜିମା କରିବାକୁ ଉଦ୍ୟମ କରୁଛନ୍ତି ସହରବାସୀ। ବାଡ଼ିର ଶାଗ ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ସେମାନେ ଆପଣାଇଛନ୍ତି କିଚେନ୍‌ ଗାର୍ଡେନର ବ୍ୟବସ୍ଥା। ପୂରା ସହରବାସୀ ଏ ନେଇ ଆଗ୍ରହ ପ୍ରକାଶ କଲେଣି। ରାଜଧାନୀର ଏମିତି କିଛି ଲୋକଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

ପ୍ରସ୍ତୁତି: ସସ୍ମିତା ମଲ୍ଲ, ଫଟୋ: ଅସିତ

ବାହାରେ ମିଳୁଥିବା ସ୍ବାଦହୀନ ଓ ରଙ୍ଗମିଶା ପରିବାଠାରୁ ନିଜ ଶରୀରକୁ ସୁରକ୍ଷା ଦେବା ପାଇଁ ସହରବାସୀ ଘରର ଛାତକୁ କିଚେନ ଗାର୍ଡେନରେ ପରିଣତ କରିଛନ୍ତି। ସେମାନେ ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛନ୍ତି। ବାଡ଼ି ବଗିଚାରେ ଲଗାଯାଉଥିବା ‌ପ୍ରତ୍ୟେକ ପରିବା ଏବେ ଛାତ ଉପରେ ମଧ୍ୟ ଚାଷ କରାଯାଉଛି। ଭେଣ୍ଡି, କୋବି, ବାଇଗଣ, ବିଭିନ୍ନ ପ୍ରକାରର ଶାଗ, ସାରୁ, ମୂଳା‌, ଲେମ୍ବୁ, ଭୁର୍ସୁଙ୍ଗ ପତ୍ର, ଅମୃତଭଣ୍ଡା, ଲାଉ, କଖାରୁ, ଝୁଡ଼ଙ୍ଗ, ବିନ୍‌ସ୍‌ ଓ କଲରା ଭଳି ଅନେକ ପରିବା ଲଗାଯାଉଛି। ଏହି ପରିବା ଗଛରେ ପୋକ ନଲାଗିବା ପାଇଁ ଗଛର ମଝିରେ ତୁଳସୀ ଓ ଗେଣ୍ଡୁ ଗଛ ଲଗାଯାଉଛି ବୋଲି ମଧୁସୂଦନ ନଗରରେ ନିଜ ଛାତ ଉପରେ କିଚେନ୍ ଗାର୍ଡେନ୍ କରିଥିବା ଭାରତୀ କାନୁନ୍‌ଗୋ କହିଛନ୍ତି।

ଉପକାର

ନିଜ ହାତରେ ପରିବା ଚାଷ କରିବା ଦ୍ବାରା ଅନେକ ଉପକାର ମିଳିଥାଏ। ଏହା ଦ୍ବାରା ତାଜା ପରିବା ଖାଇବାକୁ ମିଳିଥାଏ ଆଉ ବଜାରରୁ ମିଳୁଥିବା ବିଷାକ୍ତ ପରିବାଠାରୁ ରକ୍ଷା ମିଳେ। ଅନେକ ରୋଗରୁ ମୁକ୍ତି ମିଳିଥାଏ। ତା’ସହିତ ଛାତ ଉପରେ ପନିପରିବା ଲାଗିବା ଦ୍ବାରା ଘର ଭିତରେ ଖରା କୋପରୁ ରକ୍ଷା ପାଇବା ସହ ସ୍ୁସ୍ଥ ଓ ଥଣ୍ଡା ପରିବେଶ ସୃଷ୍ଟି ହୁଏ।

ପାକଶାଳା ଉଦ୍ୟାନକାରୀ ସଂଘ

ସହରବାସୀଙ୍କୁ ପନିପରିବା ଚାଷ ସଂପର୍କରେ ଅବଗତ କରିବା ଓ ତାଲିମ ଦେବା ପାଇଁ ପାକଶାଳା ଉଦ୍ୟାନକାରୀ ସଂଘ ତିଆରି ହେଇଛି। ଏହା ଏକ ସୀକୃତିପ୍ରାପ୍ତ ସଂସ୍ଥା। ଏହି ସଂଘରେ ୧୩ ଜଣ ଟ୍ରଷ୍ଟି, ଓଡ଼ିଶା ବାହାରୁ ଓ ଭିତରୁ ୭୦୦ରୁ ଅଧିକ ସଭ୍ୟ ଅଛନ୍ତି। ଚାଷ ସମ୍ବନ୍ଧୀୟ ତାଲିମ ଓ ସହରର କମ୍‌ ସ୍ଥାନରେ କିପରି ଚାଷ କରାଯାଇପାରିବ ସେହି ବିଷୟରେ ଶିକ୍ଷା ଦିଆଯାଇଥାଏ।

ହାତ ତିଆରି ଖତର ବ୍ୟବହାର

ଭଲ ଅମଳ ପାଇଁ ହାତ ତିଆରି ଖତର ବ୍ୟବହାର କରାଯାଏ। ପରିବା ଚୋପା, ପତ୍ର, ନଡ଼ା ଓ ଗୋବର ପରି ଅନେକ ପ୍ରାକୃତିକ ଜିନିଷକୁ ନେଇ ଖତ ତିଆରି କରାଯାଇଥାଏ। ଏହାକୁ ଗଛରେ ଦେଲେ ଗଛ ଭଲ ଭାବେ ବଢ଼ିବା ସହ ଭଲ ଫଳ ଧରିଥାଏ। ଗଛ ପାଇଁ ଗୋବର ୧ କେଜି, ଗୋମୂତ୍ର ୧ ଲିଟର ଓ ୫୦ ଗ୍ରାମ ଗୁଡ଼କୁ ନେଇ ଅମୃତ ଜଳ ତିଆରି କରାଯାଇଥାଏ। ଏହା ମଧ୍ୟ ଏକ ପ୍ରାକୃତିକ ସାର ବୋଲି ସହିଦ ନଗରରେ କିଚେନ୍ ଗାର୍ଡେନ୍ କରିଥିବା ଅମରେଶ ଖିଲାର କହିଛନ୍ତି।

ସମ୍ବନ୍ଧିତ ଖବର