ରାତି ପାହିଲେ ମକର : ରଙ୍ଗବେରଙ୍ଗ ଗୁଡ଼ିରେ ଭରିବ ଆକାଶ, ଡିଜାଇନ୍ ଗୁଡ଼ିର ଚାହିଦା ଥିବା‌ ବେଳେ ମାଞ୍ଜାଦିଆ ସୂତା ବିକ୍ରି ଉପରେ ଲାଗିଛି ରୋକ

କଟକ: ରାତି ପାହିଲେ ମକର ସଂକ୍ରାନ୍ତି । କଟକବାସୀ ନଈପଠାରେ ଗୁଡ଼ି ଉଡାଇବାକୁ ସଜବାଜ ହୋଇଗଲେଣି।  ଏଥିପାଇଁ କଟକରେ ଜମିଛି ଗୁଡି ବ୍ୟବସାୟ । ବଜାରରେ ଦେଖିବାକୁ ମିଳୁଛି ବିଭିନ୍ନ କିସମର ରଙ୍ଗବେରଙ୍ଗର ଜରି ଗୁଡି । ଗୁଡ଼ିରେ ଲେଖାଥିବା ଶବ୍ଦ ଓ ବାକ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ବୋଲି କହନ୍ତି ବ୍ୟବସାୟୀ । ଅନ୍ୟପଟେ ବେଆଇନ ମାଞ୍ଜାଦିଆ ଧାରୁଆ ସୂତା ବିକ୍ରି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି।

କଟକରେ ଗୁଡି ଉଡା ପରମ୍ପରା ବେଶ ପୁରୁଣା । କଟକ ସହର ଏବଂ ଗୁଡିଉଡାକୁ ନେଇ ରହିଛି କଥା,କାହାଣୀ ଓ କିଂବଦନ୍ତି । ମକର ସଂକ୍ରାନ୍ତି ଆସିଲେ ମନେପଡେ ଗୁଡିଉଡା । ବୁଧବାର ମକ ହୋଇଥିବାରୁ କଟକର ଚୌଧୁରୀ ବଜାରରେ ବିକ୍ରି ହେଉଛି ଭଳି କି ଭଳି ଗୁଡି । ବିଭିନ୍ନ ଡିଜାଇନର ଗୁଡିରେ ଲେଖା ହୋଇଛି ନୂଆ ନୂଆ କଥା । ଡ୍ରାଗନ ଠାରୁ ଆରମ୍ଭ କରି ଆପନା ଟାଇମ୍ ଆୟେଗା, ସବ୍ ଗୋଲମାଲ ହେ, ପବଜୀ, ୟୁନିକର୍ଣ୍ଣ ମ୍ୟାଜିକ, ଜଙ୍ଗଲ ବୁକ୍, ହାପି ବାର୍ଥ ଡେ ଟୁ ୟୁ ଲେଖା ଥିବା ଗୁଡିର ଅଧିକ ଚାହିଦା ରହିଛି । ଏହାସହ ବିଗ୍ ବି ଅଭିତାଭ ବଚ୍ଚନଙ୍କ ଚର୍ଚ୍ଚିତ ଟିଭି ସୋ କୈନ୍ ବନେଗା କରୋଡପତି ଏବଂ ସଲମନ୍ ଖାନଙ୍କ “ଭାରତ” ଫିଲ୍ମର ପୋଷ୍ଟର ଥିବା ଗୁଡି ବି ବଜାରରେ ମିଳୁଛି । ଗୁଡି ଗୁଡିକର ଦର ୫ ଟଙ୍କାରୁ ୧୦ ଟଙ୍କା ରହିଛି । ଗୁଡି ଦିଲ୍ଲୀ ଏବଂ କୋଲକାତାରୁ ଆଣି କଟକରେ ବିକ୍ରି କରୁଛନ୍ତି ବ୍ୟବସାୟୀ ।

କଟକରେ ଗୁଡି ଉଡାର ତିକ୍ତ ଇତିହାସ ବି ରହିଛି । ଗୁଡି ଉଡାଇବା ସମୟରେ ମାଞ୍ଜା ସୂତାରେ କଟି ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେଣୁ ହାଇକୋର୍ଟ ମାଞ୍ଜା ସୂତା ବିକ୍ରି ଏବଂ ଗୁଡି ଉଡାଇବା ଉପରେ କଟକଣା ଜାରି କରିଛନ୍ତି । ମାଞ୍ଜା ସୂତା ବିକ୍ରି କିମ୍ବା ଗଚ୍ଛିତ ଥିବା ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୁଲିସ । ଖବର ମିଳିବା ମାତ୍ରେ ଚଢାଉ କରିବା ପାଇଁ ସବୁ ଥାନାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି କଟକ ଡିସିପି । ଏହାସହ ରାସ୍ତାରେ ଗୁଡି ନ ଉଡାଇ ଛାତ କିମ୍ବା ଖୋଲା ସ୍ଥାନରେ ଗୁଡି ଉଡାଇବାକୁ ପରାମର୍ଶ ଦେଇଛି ଡିସିପି ଅଖିଳେଶ୍ୱର ସିଂ ।

ସମ୍ବନ୍ଧିତ ଖବର