କିଟ୍‌ ଲ’ କଲେଜ ସାଇନ୍‌-ଡାଏ, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୧୫ ଆହତ

ଭୁବନେଶ୍ୱର: କମେଣ୍ଟମରାକୁ କେନ୍ଦ୍ର କରି ଆଜି ସଂଧ୍ୟାରେ କିଟ୍‌ ଲ’ କଲେଜରେ ତୁମୁଳକାଣ୍ଡ ଘଟିଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡ଼ପିଟ୍‌ ହେବାରୁ ଏଥିରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ଓ ପୁଲିସର ହସ୍ତକ୍ଷେପ ପରେ ବି ଉତ୍ତେଜନା ନ ଥମିବାରୁ ଓ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ଆଶଙ୍କାରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ବିଳମ୍ବିତ ରାତିରେ କର୍ତ୍ତୃପକ୍ଷ କଲେଜକୁ ସାଇନ୍‌-ଡାଏ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨ଦିନ ତଳେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଜଣେ ତୃତୀୟ ବର୍ଷର ଛାତ୍ର କମେଣ୍ଟ ମାରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୨ଦିନ ଧରି ପରିସରରେ ଚାପା ଉତ୍ତେଜନା ଜାରି ରହିଥିଲା। କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଫଳରେ ପ୍ରସଙ୍ଗର ଆପୋସ ସମାଧାନ ହୋଇଥିଲା। କିନ୍ତୁ ଆଜି ପୁଣି ଥରେ ସେହି ପୁରୁଣା ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ପରିସ୍ଥିତି ଉଗ୍ରରୂପ ଧାରଣ କରିବାରୁ ଇନ୍‌ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଥମେ କର୍ତ୍ତୃପକ୍ଷ ଏହାକୁ ସମାଧାନ କରିବା ପାଇଁ ପୁଲିସ ପରାମର୍ଶ ଦେଇଥିଲା। ଉଭୟଗୋଷ୍ଠୀଙ୍କୁ ଏକାଠି କରି କର୍ତ୍ତୃପକ୍ଷ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାତି ସୁଦ୍ଧା ସମ୍ଭବ ହୋଇ ନଥିବା ଜଣାପଡ଼ିଛି। ପରିସରରେ ପୁଲିସ ମୁତୟନ ହୋଇଛି। କର୍ତ୍ତୃପକ୍ଷ ସମାଧାନ କରି ନପାରିଲେ ଗଣ୍ଡଗୋଳରେ ସାମିଲ ଉଭୟ ପକ୍ଷରୁ ଛାତ୍ରଙ୍କୁ ପୁଲିସ ଗିରଫ କରିବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏ ସଂପର୍କରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଦୋଷୀ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର