କେଏମ୍‌ବିବିରୁ ୧୨୩ ୟୁନିଟ୍‌ ସଂଗ୍ରହ

‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର

ଖୋର୍ଧା: ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ କେଏମ୍‌ବିବି ଇଂଜିନିୟରିଂ କଲେଜ ପକ୍ଷରୁ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। କେଏମ୍‌ବିବି ଓ ‘ଆମ ଓଡ଼ିଶା’ ସହଯୋଗରେ କଲେଜ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରୁ ରେକର୍ଡ ସଂଖ୍ୟକ ୧୨୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ଅଧିକାଂଶ ଛାତ୍ରଛାତ୍ରୀ ପ୍ରଥମଥର ପାଇଁ ରକ୍ତଦାନ କରିବା ଘଟଣା ମଧ୍ୟ ଉଲ୍ଲେଖଯୋଗ୍ୟ। ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା।

ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ କେଏମବିବିର ନିର୍ଦେଶକ (ଆଡ୍‌ମିନିଷ୍ଟ୍ରେସନ୍‌) ପ୍ରଫେସର୍‌ ସରୋଜ କୁମାର ପଣ୍ଡା ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷକରି ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୁବପିଢ଼ି ସାମିଲ ହେବା ଘଟଣା ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ଏଥିରେ ଯୋଗଦେଇ ରକ୍ତଦାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। କଲେଜ ଉପାଧ୍ୟକ୍ଷ ସୁବ୍ରତ କୁମାର କବି ରକ୍ତଦାନ ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାନ୍ତି, ଅଧ୍ୟାପକ ବ୍ରଜକିଶୋର ବାରିକ, ଅଂଜନ ପ୍ରଧାନ, ରଜନୀକାନ୍ତ ଦାସ, ନୟନ ରଂଜନ ପାଲ ପ୍ରମୁଖ ଉପସ୍ଥିତ ଥିଲେ। କଟକ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତସଂଗ୍ରହ କରିଥିଲେ। ଅନୁଷ୍ଠାନର କୃଷ୍ଣଚନ୍ଦ୍ର ବହ୍ମା, ରମେଶ ଚନ୍ଦ୍ର ସ୍ୱାଇଁ, ଗନ୍ଧର୍ବ ମାର୍ଥା, ବିଜୟ ବେହେରା, ସୁବାସ ପ୍ରଧାନ, ନିରଜଂନ ସାମନ୍ତରାୟ, ସତ୍ୟବାଦୀ ରାଉତ, ସମୀର ପାଣିଗ୍ରାହୀ, ନବୀନ ନାୟକ, ତୋଫାନ ନାୟକ, ରଂଜନ ନାୟକ ପ୍ରମୁଖ କର୍ମଚାରୀମାନେ ସହଯୋଗ କରିଥିଲେ। ‘ସମ୍ବାଦ’ର ଜିଲ୍ଲା ସାମ୍ବାଦିକ ଶ୍ରୀନାଥ ଜେନା, ‘ଆମ ଓଡ଼ିଶା’ର ପ୍ରଭଞ୍ଜନ ପାଣିଗ୍ରାହୀ, ସଂଗ୍ରାମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମସ୍ତ ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର