କେଏମ୍‌ବିବି କଲେଜ୍‌ରେ ‘ଥ୍ରିଲ୍-ଟୁକେଟ୍ବେଣ୍ଟି’

ଯେଉଁ ବୃତ୍ତି ଆପଣାନ୍ତୁନା କାହିଁକି ଅନ୍ୟର ଲୁହ ପୋଛିବାକୁ ଚେଷ୍ଟା କରନ୍ତୁ: ଜଷ୍ଟିସ୍‌ ବିମଳ ପ୍ରସାଦ ଦାଶ
ଲଢ଼ିବା ପାଇଁ ଇଚ୍ଛା, ଅଧ୍ୟବସାୟ ଓ ବୃତ୍ତି ପ୍ରତି ସମର୍ପଣ ମଣିଷକୁ ସଫଳତା ଦିଏ: ଅଶୋକ ବାସା
ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ବୟ ରକ୍ଷା କରିବା ଆବଶ୍ୟକ: ସୌମ୍ୟରଂଜନ ପଟ୍ଟନାୟକ

ଖୋର୍ଦ୍ଧା : କେଏମ୍‌ବିବି କଲେଜ୍ ଅଫ୍ ଇଂଜିନିୟରିଂ ଆଣ୍ଡ୍‌ ଟେକ୍ନଲୋଜିରେ ‘ଥ୍ରିଲ୍–ଟୁକେଟ୍ବେଣ୍ଟି’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବର୍ତମାନର ରାଜ୍ୟ ମାନବାଧିକାର କମିସନର ବିମଳ ପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମଣିଷ ଜୀବନରେ ମାନବାଧିକାରର ଆବଶ୍ୟକତାକୁ ଅମ୍ଳଜାନ ସହ ତୁଳନା କରି କହିଥିଲେ ଯେ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି ମଣିଷ ହେବାକୁ ଚେଷ୍ଟା କରିବା ଆବଶ୍ୟକ। ଯେଉଁ ବୃତ୍ତି ଗ୍ରହଣ କରନ୍ତୁନା କାହିଁକି ଅଭାବ, ସମସ୍ୟାରେ ଜର୍ଜରିତ, ପ୍ରପୀଡ଼ିତ ବ୍ୟକ୍ତିର ସହାୟତା କରିବା ପାଇଁ ସର୍ବଦା ଚେଷ୍ଟିତ ହେବାକୁ ସେ ପରାମର୍ଶ ଦେଇଥିଲେ। ଆଜିକାଲିର ଯୁଗରେ ବ୍ୟକ୍ତି ସ୍ବାଧୀନତା ଓ ବାଧ୍ୟବାଧକତା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ଥପତି ଅଶୋକ ବାସା କହିଲେ, ଯେଉଁମାନେ ଆଜି ବଡ଼ଲୋକ ହୋଇଛନ୍ତି ପ୍ରାୟ ସମସ୍ତେ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। କାରଣ ସେମାନଙ୍କ ମଧ୍ୟରେ ଲଢ଼ିବାର ପ୍ରବଳ ଇଚ୍ଛାଶକ୍ତି ରହିଥିଲା। ଏଣୁ ନିଜ ଇଚ୍ଛାନୁଯାୟୀ ବୃତ୍ତି ଚୟନ, ଅଧ୍ୟବସାୟ ଓ ଲଢ଼ିବାର ଇଚ୍ଛା ମଣିଷକୁ ସଫଳତା ପ୍ରଦାନ କରେ ବୋଲି ଶ୍ରୀ ବାସା କହିଥିଲେ। ଶ୍ରୀ ବାସା ବକ୍ତବ୍ୟରେ ନିଜ ଜୀବନର ଅଧ୍ୟାପନା, ବୃତ୍ତିଗତ ଜୀବନର ସ୍ମୃତିଚାରଣ କରି କହିଥିଲେ ଯେ ଶିକ୍ଷାରେ ଟପର୍‌ ହେବା ଜୀବନରେ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ନିଜ ବୃତ୍ତିରେ ଶ୍ରେଷ୍ଠ ହେବା ତା’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ନିଜ ଇଚ୍ଛାନୁସାରେ ବୃତ୍ତି ଚୟନ କରିବା ପରେ ବୃତ୍ତିଗତ ଆଦର୍ଶ ସଂହିତାକୁ ପାଳନ କରିବା ଓ ନିଜ ବୃତ୍ତି ପ୍ରତି ଅହଂକାର ଓ ସମ୍ମାନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜକୁ ଏକ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ଉଚିତ ଏବଂ ଏଥିପାଇଁ ଏକନିଷ୍ଠ ସମର୍ପଣ ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ଓ କେଏମ୍‌ବିବି କଲେଜର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ ଯେ କେଉଁ ଭଳି ଚିନ୍ତା କରିବ ସେଇ କଥା ଶିକ୍ଷା ଶିଖାଇଥାଏ। ଜ୍ଞାନୀର ସଂଜ୍ଞା ସମ୍ପର୍କରେ ଆଲୋଚନା କରି କହିଲେ ଯେ ଅଧିକ ପାଠ ପଢ଼ିଥିବା କିମ୍ବା ଶିକ୍ଷିତ ବ୍ୟକ୍ତିଙ୍କୁ ଜ୍ଞାନୀ ବୋଲି କୁହାଯିବ ନାହିଁ, ବରଂ ଯିଏ ଜାଣିଛି ଯେ ସେ କ’ଣ ଜାଣିନାହିଁ ସେ ହିଁ ପ୍ରକୃତରେ ଜ୍ଞାନୀ। ବର୍ତମାନ ଯୁଗରେ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। ସଂପ୍ରତି ଦେଖାଯାଉଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ମାଳିକାରେ ବର୍ଣ୍ଣିତ ପ୍ରଳୟ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ପ୍ରଳୟର କାରଣ ନିଜେ ମଣିଷ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ମଧ୍ୟ ମଣିଷ ଜାଣିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳକୁ ବିନିଯୋଗ କରି ସମ୍ଭାବ୍ୟ ସଂକଟରୁ ବିଶ୍ବକୁ ରକ୍ଷା କରିବା ସହ ପ୍ରକୃତିର ସୁରକ୍ଷା କରିବାକୁ ସେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ କଲେଜର ଛାତ୍ରୀ ଅଦ୍ୟାଶା ରାଉତ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଧନଦାକାନ୍ତ ମିଶ୍ର ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। କଲେଜର ଉପାଧ୍ୟକ୍ଷ ସୁବ୍ରତ କର ଧନ୍ୟବାଦ ଦେଇଥିଲେ। ଅଜୟ କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର