ପୁରୁଣା ଭୁବନେଶ୍ୱର: ଗତ ୧୦ଦିନ ହେଲା ନୂଆଗାଁ ମାରୁତିନଗର ଛକରେ ଆଣ୍ଠୁଏ ପାଣି ଜମି ରହିଛି। ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକ କ୍ଷୋଭ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ମାରୁତିନଗରରେ ପ୍ରାୟ ୩୦୦ ପରିବାର ବାସ କରୁଛନ୍ତି। ପ୍ରାୟ ୨ହଜାର ଲୋକ ଉକ୍ତ ରାସ୍ତାରେ ଯାତାୟାତ କରନ୍ତି। ମୁଖ୍ୟ ଛକରେ ୫୦ମିଟର ପର୍ଯ୍ୟନ୍ତ ଆଣ୍ଟୁଏ ପାଣି ଜମି ରହିଥିବା ବେଳେ  ବିଜୟବିହାରରୁ ମାରୁତିନଗର ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଜମି ରହିଛି।

Advertisment

ଏ ସଂକ୍ରାନ୍ତରୋ ସମାଜସେବୀ ଗୀତାଞ୍ଜଳି ବେହେରା କହିଛନ୍ତି, ପ୍ରାୟ ୧୫ଦିନ ହେବ ରାସ୍ତାରେ ପାଣି ଜମିଛି। ଏହା ଭିତର ଦେଇ ଗଲେ ସାଇଲେନ୍ସରରେ ପାଣି ପଶିବାରୁ ଗାଡ଼ିର ଇଞ୍ଜିନ୍‌ ବନ୍ଦ ହୋଇଯାଉଛି। ହେଲେ ବିଏମ୍‌ସି ଜଳ ନିଷ୍କାସନ ପାଇଁ‌ କୌଣସି ପଦକ୍ଷେପ ନେଉ ନାହିଁ। ଏନେଇ ବିଏମ୍‌ସି ଜୋନାଲ ଡେପୁଟି କମିସନର ରାଜଲକ୍ଷ୍ମୀ ନାୟକ କହିଛନ୍ତି, ଏ ସଂକ୍ରାନ୍ତରେ ଆମ ପାଖକୁ ଅଭିଯୋଗ ଆସିନାହିଁ। ତୁରନ୍ତ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯିବ।